ପଲ୍ଲୀଛାୟା

 

 

 

 

 

 

 

 

 

 

ପଲ୍ଲୀଛାୟା

ଶ୍ରୀ ଗୋଦାବରୀଶ ମହାପାତ୍ର

 

 

 

 

ପଲ୍ଲୀଜୀବନର ଆଠ ଗୋଟି ଛାୟା ଏଥିରେ ପଡ଼ିଛି । ‘ମୁକୁର’ ଓ ‘ସହକାର’ରେ ଏଥିରୁ କେତେକ ବାହାରିଥିଲା । ‘ଭାଇ’, ‘ଭଗ୍ନ ହୃଦୟ’ ଓ ‘ପନ୍ଦରବର୍ଷ ତଳର କଥା’ ପଶ୍ଚିମଦେଶୀୟ ଅଳ୍ପ ଅବଲମ୍ୱନରେ ଲେଖା ।

 

ଭାଇ

 

ମଫସଲ ଗାଁର ଦୁଇଟି ଭାଇ, ସତେ ଯେପରି ଗୋଟିଏ ଡେମ୍ଫରେ ଦୁଇଟି ଫୁଲ ! ଦୁଇ ଭାଇଙ୍କର କଥା ପଡ଼ିଲେ ଆଖପାଖ ଗାଁଲୋକେ ତୋଷି ହୋଇଯାନ୍ତି । ବଡ଼ ଭାଇ ମଧୁ କଥା ପକାଇଲା ବେଳେ ସାନ ଭାଇ କଥା ବଳେ ଆସି ପଡ଼େ; ସାନ ଭାଇ ସାଧୁର ଗୁଣ ଗାଇଲା ବେଳେ ମଧୁର କଥା ମଧ୍ୟ ଛାଡ଼ ପାଏ ନାହିଁ ।

 

ବାଗଲପୁରର ଧୋଇୟା ଅଞ୍ଚଳର ଘରକୋଣରେ ଏପରି ଭାବରେ ଦୁଇଟି ଭାଇ ବାଇଶ ବର୍ଷ ଯାଏ ବଢ଼ିଲେ । ବାଇଶି ବର୍ଷ ଭିତରେ ଲୋକଙ୍କ ଆଖିରେ ଦୁହେଁ ଦୁଇଟି ଦେବତା ପରି ହୋଇଉଠିଲେ । ଗାଁଦାଣ୍ଡରେ ଦୁହିଁଙ୍କର ଏକାବେଳକେ ଖେଳ, ନଈରେ ଦୁହିଁଙ୍କର ଏକାବେଳକେ ପହଁରା, ଗାଁ ଚହାଳୀରେ ଏକାବେଳକେ ପାଠପଢ଼ା- ଜୀବନରେ କିଏ କାହାକୁ ବାଇଶ ବର୍ଷ ପର୍ଯ୍ୟନ୍ତ ମୁହୂର୍ତ୍ତେ ହେଲେ ଛାଡ଼ିପାରିଲେ ନାହିଁ । ଦୁହେଁ ଗଲେ ଚାକିରୀ କରି । ବଡ଼ ଭାଇ ହେଲା ଗୁମସ୍ତା, ସାନ ଭାଇ ହେଲା ଦଫାଦାର । କିଏ କାହା ଅର୍ଜନ ଅଲଗା କରି ରଖିଲେ ନାହିଁ । ମଫସଲରେ ଏପରି ଦୁଇଟି ଭାଇଙ୍କି ଦେଖି ଲୋକେ ଧନ୍ୟ ଧନ୍ୟ କଲେ; କହିଲେ, କୁଳ ଉଜ୍ଜ୍ୱଳ ହେବାକୁ ଥିଲେ ଏପରି ପୁଅ ଜନ୍ମ ହୁଅନ୍ତି ।

 

ଘରକୁ ପଡ଼ିଲା ବିପଦ । ପଚାଶ ବର୍ଷ ନ ପୂରୁଣୁ ପିତା ବାମନଚରଣ ଦୁଇ ପୁଅଙ୍କୁ ଶୋକ-ସାଗରରେ ଭସାଇ ଦେଇ ସଂସାର ଛାଡ଼ି ଚାଲିଗଲେ । ଘରେ ସଂପତ୍ତିପତ୍ର କମ୍‌ ନଥିଲା । ବାମନଚରଣ ଆପଣାର ବୁଦ୍ଧି ବଳରେ ନିତାନ୍ତ ଗରିବ ଅବସ୍ଥାରୁ ଉଠି ମଧ୍ୟ ଅନେକ ସମ୍ପତ୍ତି ଅର୍ଜି ଯାଇଥିଲେ । ଗାଁ ଭିତରେ ତାଙ୍କରି ଘରେ ପାଟ, ତାଙ୍କରି ଘରେ ବାଲେଶ୍ୱରୀ ବାସନ, କଟକୀ ସୁନାରୂପା ଗହଣା-ଏ ସବୁ ବାମନ-ଚରଣଙ୍କର ଅର୍ଜନ ଥିଲା ।

 

ଲୋକେ ଯାହା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ, ସେହି କଥା ଶୁଣାଗଲା; ଶୁଣାଗଲା ନାହିଁ, କାର୍ଯ୍ୟରେ ମଧ୍ୟ ଘଟିଲା; ମଧୁ ଆଉ ସାଧୁ ଭାଇଭାଗ ବାଣ୍ଟି ବସିଲେ ।

 

ଏହିଠାରେ ଗୋଳମାଳ ଆରମ୍ଭ ହେଲା । ସୁନାର ସଂସାର ଏହିଠାରେ ଚୂନା ହେବାକୁ ବସିଲା, ଅମୃତ ହାଣ୍ଡିରେ ଏହିଠାରେ ବିଷ ପଡ଼ିଲା । ଭାଗବଣ୍ଟା ସହଜରେ ତୁଟିଲା ନାହିଁ । କଥା ତ ଅଛି, ଭାଇକି ଭାଗ, ମାତ୍ର ସେ ଭାଗ ହେବ କେମିତି ? ବାମନଚରଣଙ୍କର ଖଣ୍ଡିଏ ସୁନାବେଣ୍ଟ ଲଗା ବାଡ଼ି ଥିଲା । ଦୁଇ ଭାଇ ବସି ବିଚାର କଲେ ଯେ ସବୁ ସମ୍ପତ୍ତି ନିଲାମ ବାଢ଼ି ଦେବେ । ଯେ ଯାହା ପାରିବ ଡାକି ଟଙ୍କା ଦେଇ ନେବ । ସେ ଟଙ୍କା ପରେ ଦୁହେଁ ବାଣ୍ଟି ନେବେ ।

 

ଏ ପର୍ଯ୍ୟନ୍ତ ଦୁଇ ଭାଇ ଭିତରେ କଳିଗୋଳ ବା ମନାନ୍ତର ଘଟି ନଥିଲା । ନିଲାମ ସ୍ଥାନରେ ଗାଁର ଜଣାଶୁଣା ଲୋକେ ଆସି ଜମାହେଲେ । ସବୁ ଜିନିଷ ନିଲାମ ସରିଲା ପରେ କେବଳ ସୁନାବେଣ୍ଟିଆ ବାଡ଼ି ଖଣ୍ଡିକ ରହିଲା । ସେହି ବାଡ଼ି ଖଣ୍ଡକ ପାଇଁ ଦୁଇ ଭାଇଙ୍କର ଲୋଭ ।

 

ପ୍ରଥମେ ସାଧୁ ଡାକିଲା ପାଞ୍ଚ ଟଙ୍କା । ତାକୁ ଦୁଇ ଟଙ୍କା ବଳି ବଡ଼ ଭାଇ କହିଲା ସାତ । ସାଧୁ ହଟିଲା ନାହିଁ, ସାତରେ ଆଉ ତିନି ଟଙ୍କା ବଢ଼ାଇ ଦଶ ବୋଲି ଡାକିଦେଲା । ମଧୁ ଦେଖିଲା ଯେ ସାଧୁ ଦୁଇ ତିନି ଟଙ୍କା କରି ବଢ଼ୁଛି; ତେଣୁ ସେ ତାକୁ ହଟାଇବା ପାଇଁ ଏକାବେଳକେ କୋଡ଼ିଏ ଡାକିଦେଲା । ସେ ଭାବିଥିଲା ଯେ କୋଡ଼ିଏ କହିଲେ ସାନ ଭାଇ ଆଉ ବଢ଼ିବ ନାହିଁ । ମାତ୍ର ସେ କି ହଟେ ? ସେ ଏକାବେଳକେ କହିଲା ଚାଳିଶ । ଚାଳିଶ ସାନ ଡାକିଦେଲା; ମାତ୍ର ସାଙ୍ଗେ ସାଙ୍ଗେ ତା’ ହୃଦୟ ଭିତରଟା ଦୁମ୍‌ଦୁମ୍‌ହୋଇ ପଡ଼ିଲା । ଭାବିଲା, ବଡ଼ ଭାଇ ସେ- କେତେ ସ୍ନେହ, କେତେ ମମତା, କେତେ ଆଦର ତା’ଠୁ ପାଇଛି, ଆଜି ମୁହଁକୁ ନ ଚାହିଁ କ’ଣ କରୁଛି ? ଲାଜରେ, ଅପମାନରେ ତାର ମୁଣ୍ଡ ଲଇଁଗଲା । ଭାଇ ଯେ ପୁଣି ସାନ ଭାଇକୁ ଏଠି ସ୍ନେହ ନ କରି ବଢ଼ିଯାଉଛି ଏହା ବିଚାରି ରାଗ ମଧ୍ୟ ଆସିଲା । ସେ ଆଉ ସେଠାରେ ନ ରହି ଯାହା କିଛି ଜିନିଷପତ୍ର ଦି’ଖଣ୍ଡ ଥିଲା ଧରି ଚାଲିଗଲା ।

 

ଏଣେ ମଧୁ ମନରେ ମହାରାଗ ! ସାନ ଭାଇ ସାଧୁ ପୁଣି ତା’ ମୁହଁକୁ ଚାହିଁଲା ନାହିଁ ! କେଡ଼େ ଆଦର କରିଥିଲା, କେତେ ସୁଖପାଉଥିଲା, ସବୁ କ’ଣ ଏହି ବାଡ଼ିଖଣ୍ଡକୁ ଚାହିଁ ପାଶୋରି ଦେଲା ? ଛିଃ ! ତା’ ମନ ଛି ହୋଇଗଲା । ରାଗରେ ଦିହ ଜଳିଲା । ଆଉ ନିଲାମ ଡାକିଲା ନାହିଁ । ପାଖରେ ଆଉ ଲୋକ ଥିଲେ । ସାଧୁ ଖଣ୍ଡେ ଦୂର ଯିବା ପରେ ଜଣେ ବାଡ଼ିଖଣ୍ଡିକ ନେଇ ଦାଣ୍ଡରେ ଦେଇ କହିଲା, ‘‘ମଧୁ ଆଉ ଡାକିଲା ନାହିଁ, ନିଲାମରେ ତୁମେ ଜିଣିଲ, ତୁମର ଏ ବାଡ଼ି, ତୁମେ ନିଅ-!’’

 

ଭାଇକୁ ପାଞ୍ଚଲୋକ ଆଗରେ ଅପମାନ ଦେଇ- ଭାଇକୁ ଜିଣି ସେ ବାଡ଼ି ପାଇଛି, ଏକଥା ବିଚାରି ସାଧୁ ମନରେ ଯେ କେତେ କଷ୍ଟ ହେଲା, ସେ କଥା ସେହି କେବଳ ବୁଝିଲା ।

 

ଦାଣ୍ଡପିଣ୍ଡାରେ ଥାଇ ବଡ଼ ଭାଇ ମଧୁ ସାଧୁକୁ ଶୁଣାଇଲା ପରି କହିଲା, ‘‘ଏଥର ସନ୍ତୋଷ ହୁଅ । ପ୍ରଭୁଙ୍କଠାରେ ଗୁହାରି, ଆଉ ଏପରି ଭାଇ ଯେପରି ମୁଁ ନ ପାଏ ।’’ ତା’ ହୃଦୟ ରାଗରେ ଜଳୁଥିଲା ।

 

ମଧୁ କଥା ଶୁଣି ସାଧୁ ପାଟିକରି କହିଲା, ‘‘ଦଣ୍ଡବତ ଭାଇ, ଆଉ ଏ ଘର ମାଡ଼ିବି ନାହିଁ-। ଜୀବନ ଯାଉ ପଛକେ ଏ ପାହାଚ ଆଉ ଉଠିବି ନାହିଁ । ତୁମେ ସବୁ ରଖ ।’’

 

ଲୋକେ ଦେଖିବାକୁ ଦୁଇ ଭାଇ ଥିଲେ ଦୁଇଟି ଦିଅଁ । କେତେଟା ଦିନରେ ଦୁଇ ଦିଅଁ ଦୁଇଟି ଶତ୍ରୁ ପାଲଟିଗଲେ -ବାଗଲପୁର ଗାଁରେ ଏ କଥାଟା ଗୋଟେ ବଡ଼ କଥା ହେଲା ।

 

ସାଧୁ ହାତରେ କିଛି ପଇସା ଥିଲା । ଗାଁମୁଣ୍ଡରେ ସେ ଏକ ଜାଗା ନେଇ ଘର କରି ରହିଲା । ବାମନଚରଣଙ୍କ ପୁରୁଣା ଘର ମଧୁ ଆଦରି ରହିଲା । ଏକା ଗାଁରେ ଦୁଇ ଭାଇ ରହିଲେ; ମାତ୍ର କିଏ କାହାକୁ ମୁହଁ ଟେକି ଚାହିଁଲେ ନାହିଁ । ଗାଁଲୋକେ କିଏ କିଏ ଏ କଥା ଦେଖି ହସିଲେ, କିଏ କିଏ ବା ଗାଁକୁ ଦୁର୍ଦ୍ଦଶା ପଡ଼ିଲା ବୋଲି ଦୁଃଖ ପ୍ରକାଶ କଲେ । ଏ ମଧ୍ୟରେ ବଡ଼ଭାଇ ମଧୁର ବିଭାଘର ହେଲା, ମଧୁ ଘର ଦାଣ୍ଡଦୁଆରରେ ବାଦ୍ୟ-ବାଜଣା ବାଜିଲା, ମାତ୍ର ସାଧୁର ସେଠାରେ ପାଦ ପଡ଼ିଲା ନହିଁ । ଦୁଃଖବେଳେ ଯେଉଁ ଦୁଇ ଭାଇ ଆନନ୍ଦରେ ଖେଳୁଥିଲେ ଏବେ ସୁଖବେଳେ ସେହି ଦୁଇ ଭାଇ ମୁହଁ ଚୁହାଁଚୁହିଁ ହେଲେ ନାହିଁ ।

 

ଏ ମଧ୍ୟରେ ମଧୁର ଗୁମସ୍ତା-ଚାକିରୀ ଖଣ୍ଡିକ ଯାଇଛି । ସେ ଗାଁରେ ପିତୃଅର୍ଜିତ ଜମି ମାଣେ ଦି’ମାଣ ଚାଷକରି, ଖଣ୍ଡିଏ କଦଳୀ ବଗିଚା କରି ଚଳୁଛି । ଘରେ ଗୋଟିଏ ଦୁହାଁଳିଆ ଗାଈ । ପ୍ରତିଦିନ ସକାଳେ ସେରେ ଖଣ୍ଡେ ଦୁଧ ହୁଏ । ସେଥିରୁ ପ୍ରିଦିନ ସନ୍ଧ୍ୟାକୁ ହାତକୁ ଚାରିପଇସା ଆସେ । ଏହାଛଡ଼ା ବଗିଚା ଖଣ୍ଡିକରୁ ଯାହା ରୋଜଗାର ।

 

ମଧୁର ସଂସାର ଏହିପରି ଭାବରେ ସୁରୁଖୁରୁରେ ଚଳୁଥିବା ବେଳେ ତାକୁ ଆସି ଦଇବ ବିପତ୍ତି ପଡ଼ିଲା । ଏଡ଼େ ବଡ଼ କାଳୀଗାଈ, ତାକୁ କିଏ କ’ଣ କଲା ଦିନେ ସକାଳେ ଦେଖିଲାବେଳକୁ ଗୁହାଳରେ ମରି ଶୋଇଛି । ସେଦିନ ମଧୁ କପାଳରେ ହାତ ଦେଇ ଭୋ ଭୋ କାନ୍ଦିଲା, କେତେ ଲୋକଙ୍କୁ କେତେ ପ୍ରକାର ସନ୍ଦେହ କଲା; ମାତ୍ର ଗଲା ମାଲ ଗଲା, ଆଉ ଫେରିଲାନାହିଁ । ସେ ଦୁଃଖ ମନରୁ ନ ଯାଉଁଣୁ ମଧୁକୁ ଆଉ ଏକ ବିପଦ ପଡ଼ିଲା । ଆସିଲା ନଈବଢ଼ି । ଯେ ପନ୍ଦର ଦିନ କାଳ ଗାଁଗଣ୍ଡା ବିଲବାଡ଼ି ବୁଡ଼ିରହିଲା । କେତେ ଆଦରର ତାର କଦଳୀବଗିଚା ଖଣ୍ଡିକ ନଷ୍ଟହୋଇଗଲା । ଗଛସବୁ ପଚିଯାଇ ଢଳିପଡ଼ିଲା । ନଡ଼ିଆଗଛର ମଞ୍ଜି ପଚିଗଲା; ଆଉ ଯାହା କିଛି ଶାଗସବ୍‌ଜି ଲଗାଇଥିଲା ସେସବୁର ଚିହ୍ନ ସୁଦ୍ଧା ରହିଲା ନାହିଁ । ଦୁଃଖ ପରେ ଦୁଃଖ - ପୁଣି ଦୁଃଖ ଆସିପହଞ୍ଚିଲା । ବଢ଼ି ଛାଡ଼ିବାପରେ ବାଡ଼ିପଟ ଘରଖଣ୍ଡି ଭାଜିଗଲା । ବଢ଼ିପାଣିରେ ତାର ମୂଳ ସବୁ ନଷ୍ଟ ହୋଇ ରହିଥିଲା । ଘର ପଡ଼ିଯିବା ବେଳେ ବଡ଼ କଷ୍ଟରେ ସେ ସେଥିରୁ ରକ୍ଷାପାଇଲା । ଏହିପରି ଗୋଟିକ ପରେ ଗୋଟିଏ ବିପଦ ଆସି ମଧୁର ସଂସାରଟାକୁ ଛାରଖାର କରିଦେଇଗଲା । ଭଙ୍ଗାରୁଜା ଘରଟାରେ ସେ ହତାଶ ଭାବରେ ପଡ଼ିରହିଲା ।

 

ଏହା ପରେ କିଛି ଦିନ ଗଲା । ଧାନ ଅମଳ ହେଲା । ଖଳାବାଡ଼ିରେ ଛଣଗୁଡ଼ିକ ଗଦା ମରାଯାଇ ରଖାଯାଇଛି । ଦିନେ ରାତି ଦି’ଘଡ଼ିକୁ ସେଥିରେ ନିଆଁ ଲାଗି ପାଉଁଶ ମୁଠାଏ ହୋଇଗଲା-। ଏ ଦଇବୀ ବିପତ୍ତି କି ମଣିଷ ବିପତ୍ତି ଗାଁଲୋକେ କିଏ କେତେ ପ୍ରକାରେ କହିଲେ । ମଧୁ କିଛି କହିଲା ନାହିଁ, ଖାଲି ଥରକୁ ଥର ଦୀର୍ଘନିଃଶ୍ୱାସ ପକାଇ ଲୁହ ଢାଳିଲା ।

 

ଧୋଇୟା ଅଞ୍ଚଳରେ ଘର, ସେଥିରେ ପୁଣି ଏତେ ବିପତ୍ତି, ଏଥିରେ କି ମଣିଷର ଆଉ ସୁଖଶାନ୍ତି ରହେ ? ଦିନ ରାତି ଭାବି ଭାବି ମଧୁର ଦେହକୁ ରୋଗ ମାଡ଼ିବସିଲା ।

 

ଗାଁରେ ଘର କରି ସାଧୁ ଯେ ଏସବୁ କଥା ନ ଶୁଣିଛି, ଏମିତି ନୁହେ । ବେଳେ ବେଳେ ଏ ବିଷୟରେ ପାଞ୍ଚ ଲୋକଙ୍କ ଭିତରେ କଥା ପଡ଼ିଲା ବେଳେ ଯୋଗ ମଧ୍ୟ ଦେଇଛି; କିନ୍ତୁ କରିବ କ’ଣ ? ଭାଇକୁ ଭାଇ ବୋଲି ଡାକିବାକୁ ତାର ଆଉ ସାହସ ନାହିଁ ।

 

ମଧୁର ଅବସ୍ଥା ଦେଖି ଗାଁର ରାଣ୍ଡୀଖଣ୍ଡି ସମସ୍ତେ ଆହା ଆହା କଲେ । ଏକା ପେଟର ଭାଇ ହୋଇ ସାଧୁ କି ସେଠି ତୁନି ହୋଇ ରହିପାରନ୍ତା ? ସେ ଦିନେ ଭାଇ ଘରକୁ ଭାଇକୁ ଦେଖିବାକୁ ଗଲା ।

 

ସେ ଦିନ ହେଉଛି ଠିକ୍ ତାର ଛଣଗଦାପୋଡ଼ି ବାସି । ରୋଗାକ୍ରାନ୍ତ ମଧୁ ଏତେ ବିପଦ ଭିତରେ ପଡ଼ି, ନିତାନ୍ତ ଦୁର୍ବଳ ହୋଇ ଘର ଭିତରେ ଶୋଇ, ଆପଣାର ଭାଗ୍ୟ କଥା ଭାବୁଛି । ତାର ପିଲାଦିନ କଥା ମନେପଡୁଛି - ବୟସ ବାର ତେର ହୋଇଥିଲା, ଘରେ ବାପା ମା’ ଥିଲେ, କିଛି ଦୁଃଖ ଚିନ୍ତା ନ ଥିଲା । ସେତେବେଳେ ଦିନେ ଭାଇ ସାଧୁକୁ ନ ଦେଖିଲେ ସେ କାନ୍ଦୁଥିଲା । କାହିଁକି-? ଏଡ଼େ ସ୍ନେହ ସଂସାରରେ କାହିଁକି ? ପଥରକୁ ସ୍ନେହ କଲେ କ’ଣ ଚଳନ୍ତା ନାହିଁ ? ତେବେ ସାଧୁକୁ ଏତେ ସୁଖ ପାଇବାରେ କି ଲାଭ ହେଲା ? ଶେଷକୁ ପାଞ୍ଚ ଲୋକରେ ଅପମାନ ଦେଇ ମୁହଁ ମୋଡ଼ିଦେଇ ପଳାଇଲା ।

 

ଏତିକିବେଳେ ସାଧୁ ଯାଇ ଦୁଆରମୁହଁରେ ଠିଆ ହେଲା । ତାକୁ ଦେଖି ମଧୁ ପ୍ରଥମେ ଚିହ୍ନିପାରିଲା ନାହିଁ । ପଚାରିଲା, ‘କିଏ ସେ ?’

 

ସାଧୁ ଟିକିଏ ରହି ଥଙ୍ଗ ଥଙ୍ଗ ହୋଇ କହିଲା, ‘ମୁଁ ସାଧୁ ।’

 

ମଧୁର ମୁହଁ ଆହୁରି କଳାପଡ଼ିଗଲା । ସେ ସ୍ୱରକୁ ଉଠାଇ ବିରକ୍ତ ହେଲା ପରି କହିଲା - ‘‘ସାଧୁ ! ଆଜି କାହିଁକି ଏଠାକୁ ଆସିଛୁ ? ମୋ ବିପଦ ଦେଖି ଆହୁରି ମନ ବୋଧ ହୋଇନାହିଁ ? ମୋ ଆଗରୁ ପଳା, ପଳା, ନ ହେଲେ କ’ଣ ବୋଇଲେ କ’ଣ କରିବି ।’’

 

ସାଧୁ ଟିକିଏ କ’ଣ ଭାବି କହିଲା, ‘‘ତୁମ କଥା ଶୁଣି ମୁଁ ଆସିଛି । ତୁମକୁ କିଛି ଦେଇଯିବାକୁ ଭାବୁଛି ।’’

 

ମଧୁ ରାଗିଉଠି କହିଲା - ‘‘ଏଠୁ ତୁ ଦୂର ହୁଅ, ମୋର କିଛି ଲୋଡ଼ା ନାହିଁ । ମୁଁ ବେଶ୍ ସୁଖରେ ଅଛି । ତୋ’ ମୁହଁ ଚାହିଁଲେ ହାଡ଼ ଜଳି ଉଠୁଛି; ମୋ ଆଗରୁ ପଳା ।’’

 

ସାଧୁ ପୁଣି ଧୀରେ ଧୀରେ ଲଇଁଲା ପରି କହିଲା - ‘‘ଭାଇ, ସେହି ସୁନାବେଣ୍ଟ ବାଡ଼ି ଖଣ୍ଡିକ ମୁଁ ଦେବା ପାଇଁ ଆସିଛି ।’’

 

ମଧୁ କେବଳ ଗର୍ଜିଉଠିଲା । ସାଧୁର ଆଉ ସାହସ ହେଲା ନାହିଁ । ଦୁଆରମୁହଁରେ ଠିଆ ହୋଇ ରହିବାକୁ ତା’ ଗୋଡ଼ ଥରିଲା, ମୁଣ୍ଡ ବୁଲେଇ ଦେଲା । କାଳେ ତଳେ ପଡ଼ିଯିବ ଭାବି କାନ୍ଥକୁ ଭରା ଦେଲା ପରି ଧରି ବାହାରକୁ ଚାଲିଆସିଲା ।

 

ସାଧୁ ହୃଦୟର ଦୁଃଖ ସଂସାରରେ କିଏ ବୁଝିବ ? ଯେତେହେଲେ ତ ଭାଇ, ଏକା ରକ୍ତ ତ ଦେହରେ ବହୁଛି; ସେ କି ଭାଇର ଦୁଃଖ ଦେଖି ଏକା ଗାଁରେ, ଏକା ଥାନରେ ଚାଳକୁ ଚାଳ ବାନ୍ଧି ତୁନିହୋଇ ରହିପାରେ ? ଯେଉଁ ଦିନୁ ମଧୁକୁ ବିପଦ ପରେ ବିପଦ ମାଡ଼ିଆସିଲା, ସେହି ଦିନୁ ସାଧୁ ଏକପ୍ରକାର ପାଗଳ ହୋଇ ଯାଇଛି । ତାକୁ ତାର ନୂଆ ଘର ଖଣ୍ଡିକ ଆଉ ଭଲଲାଗୁନାହିଁ । ନିତିଦିନର ପରିଚିତ ଗାଁଟା ପ୍ରବାସ ପରି ଜଣାପଡୁଛି । ତାକୁ ଜଣାପଡୁଛି, ସେ ଯେପରି କୌଣସି ଏକ ମହାପାପରେ ଘାଣ୍ଟିହୋଇ ସଢୁଛି । କେତେ ଭାବିଛି, ବେଳେବେଳେ ଭାଇର ଦୁଃଖ ଦେଖି ଆଖିରୁ ଲୁହ ମଧ୍ୟ ଢ଼ାଳିଛି । କେତେ ଥର ଭାଇର ଦୁଆରମୁହଁକୁ ଯାଇ ଫେରି ଆସିଛି । କିନ୍ତୁ ଏସବୁ ମନର ଅବସ୍ଥା ତା’ ଛଡ଼ା ସଂସାରରେ ଆଉ କିଏ ଜାଣିନାହିଁ । ଜଣାଇବାକୁ ସେ ମଧ୍ୟ ଇଚ୍ଛା କରିନାହିଁ । ତାର ଏକମାତ୍ର ଇଚ୍ଛା, କିପରି ସେ ଭାଇପାଖକୁ ପୁଣି ଫେରିଯିବ, ଭାଇକୁ ଭାଇ ବୋଲି ଡାକି, ତାର ଦୁଃଖରେ ନିଜକୁ ବୁଡ଼ାଇଦେଇ ସେହିଥିରେ ସୁଖ ଅନୁଭବ କରିବ - ତାର ପୁରୁଣା ସୁଖମୟ ସଂସାରକୁ ଫେରିପାଇବ ।

 

ଦିନେ ଶିବରାତ୍ରି ପଡ଼ିଲା । ଗାଁ ମହାଦେବଙ୍କ ବେଢ଼ାରେ ଭାରି ଉତ୍ସବ - ଆଖ ପାଖ ପାଞ୍ଚକୋଶ ଧରି ଲୋକ ଆସି ଜମାହେଲେ । ସନ୍ଧ୍ୟାବେଳୁ ରାତି ପାହିଲାଯାଏଁ ମହାଦେବଙ୍କ ଗମ୍ଭୀରା ଭିତରେ ଓ ବେଢ଼ା ଚାରିପାଖେ ଖାଲି ଆଲୁଅ ମାଳମାଳ ହୋଇ ଜଳିଲା । କେତେ ଗୁଡ଼ିଆ ପସରା ବସିଲା, କେତେ ନାଟତାମସା ଚାଲିଲା । କିଏ ସଂକୀର୍ତ୍ତନ ବୋଇଲା, କିଏ ସ୍ତୋତ୍ର ବୋଲି ସେହି ନିବିଡ଼ ଅନ୍ଧକାର ଭିତରେ ପୃଥିବୀକୁ ଚମକାଇଦେଲା; କିନ୍ତୁ ଶିବରାତ୍ରିର ସେ ଘୋର ଅନ୍ଧକାରମୟ ରାତ୍ରିରେ ସାଧୁର ହୃଦୟ ଭିତର ଅନ୍ଧାରରେ ପୂରି ରହିଲା । ସେଠି ସ୍ନେହ, ମମତା ବା ଆଶାର କ୍ଷୀଣଦୀପ ସୁଦ୍ଧା ଜଳିଲା ନାହିଁ ।

 

ମଧୁ ସେହି ରାତିରେ ଦିଅଁ ଦର୍ଶନ କରିବାକୁ ଯାଇଥିଲା । ସାଙ୍ଗରେ ସ୍ତ୍ରୀ ଓ ଛୋଟ ଶିଶୁଟିଏ । ସେମାନେ ଗମ୍ଭୀରା ବାହାରେ ବହୁ ଲୋକଙ୍କ ପଛରେ ଠିଆ ହୋଇ ହାତ ଯୋଡ଼ି କ’ଣ ଜଣାଣ କରିବାରେ ଲାଗିଲେ । ଏତିକିବେଳେ ସାଧୁର ଆଖି ମଧୁ ଉପରେ ପଡ଼ିଲା । ତା’ ହୃଦୟ ଭିତରଟା ଛଟପଟ ହେଲା । କ’ଣ କରିବ, କାହାକୁ କ’ଣ କହିବ, କିଛି ଠିକ୍ କରିପାରିଲା ନାହିଁ । ଦୂରରୁ ଦେଖିଲା, ଭାଇର ମୁହଁ ଶୁଖିଯାଇଛି, ସତେ ଯେପରି ଫୁଟି ଆସୁଥିବା ପଦ୍ମ ଫୁଲଟି ମଉଳିପଡ଼ିଛି ! ଦେହରେ ଆଉ ଆଗର ତେଜ ନାହିଁ, ଆଖିର ସେ ଚାହାଣୀ ନାହିଁ । ବାଳ ପେଣ୍ଡାକ ଭୁତୁରୁ ଭୁତୁରୁ ଉଡୁଛି । କପାଳର ଚମ କୁଞ୍ଚିତ ହୋଇ ପଡ଼ିଛି । ଚିନ୍ତାଭାରରେ ମୁଣ୍ଡ ଟିକିଏ ଆଗକୁ ଲଇଁଗଲା ପରି ହୋଇଛି । ମୋଟାମୋଟି, ଯୁବକ ମଧୁ ଅକାଳରେ ବୃଦ୍ଧ ହୋଇଯାଇଛି । ଏହା ଦେଖି ସାଧୁର ଆଖି ଲୁହ ଛଳଛଳ ହୋଇଆସିଲା । ଭାବିଲା, ଧାଇଁଯାଇ ଭାଇକୁ ତାର କୁଣ୍ଢାଇ ପକାନ୍ତା, ଗୋଡ଼ ତଳେ ପଡ଼ି କ୍ଷମା ମାଗି କହନ୍ତା, ‘ଭାଇ, ସାନ ଭାଇକି ଆଶୀର୍ବାଦ କର ।’ ମାତ୍ର ପାରିଲା ନାହିଁ; ତାର ସାହସ ହେଲା ନାହିଁ ।

 

ମଧୁର ସ୍ତ୍ରୀ ସାଧୁକୁ ଦୂରରୁ ଦେଖିଥିଲା । ଦୁହେଁ ଘରକୁ ଫେରିଯାଇ, ଚୁଲିମୁଣ୍ଡେ ବସି ପିଲାକୁ ଖେଳାଇ ଶିବରାତ୍ରି ଯାତ୍ରା ବିଷୟରେ ନାନା କଥା ପକାଇଲେ ।

 

ଏଣେ ସାଧୁର ମନ ବାତଚକ୍ର ପରି ଉଡୁଛି । ଯାତ୍ରା ତାକୁ ଭଲ ଲାଗିଲା ନାହିଁ, ବାଦ୍ୟ-ବାଜଣା, ପୂଜା-ଉପାସନା କିଛି ସୁଖ ଲାଗିଲା ନାହିଁ । ସେ ସେହି ଅନ୍ଧାରରେ ପାହାଚ ଅଣ୍ଡାଳି ଅଣ୍ଡାଳି ମଧୁର ପିଣ୍ଡାରେ ଯାଇ ପହଞ୍ଚିଲା । ମନରେ ନାନା ଶଙ୍କା ଛୁଉଁଥାଏ, କିଏ ତାକୁ ଆସି ଧରି ଦେବ ପରା ! ପାଦେ ଆଗକୁ, ପାଦେ ପଛକୁ ପକାଇ ସେ ଘର ଭିତରେ ପଶିଲା ।

 

ଠିକ୍ ସେହି ସମୟକୁ ମଧୁ ଘରେ ଯାତ୍ରା କଥାବାର୍ତ୍ତା ଚାଲିଥିଲା । ମଧୁର ସ୍ତ୍ରୀ କହିଲା, ‘‘ତୁମ ଭାଇକି ତୁମେ ଆଜି ଦେଖିନାହଁ ? ସେ ପରା ଆମରି ପାଖକୁ ଖଣ୍ଡଦୂରରେ ଠିଆ ହୋଇଥିଲେ । ସେ ଇମିତି ଚାହିଁ ଥିଲେ ଯେ ଭାବିଲି, ସେ ପାଖକୁ ଆସି କ’ଣ କହିବେ ବୋଲି । ତାଙ୍କ ମନରେ ଆଦୌ ସୁଖ ନ ଥିଲା ପରି ଜଣାପଡୁଥିଲା - ମୁହଁଟି ତ ଶୁଖେଇ ଦେଇ ଠିଆହୋଇଥିଲେ ।’’

 

ସାଧୁ ଏ କଥା ଶୁଣି ବିରକ୍ତ ହେଲାପରି କହିଲା, ‘‘ଛାଡ଼ ସେ କଥା । ତା’ ନାଁ ଧରନି । ମୋ ପାଖକୁ ସେ କିଆଁ ଆସିବ ? ତା’ କଥାରେ, ତା’ ବିଚାରରେ ସେ ଭୋଳ ।’’

 

ଦୁହେଁ ମୁହଁକୁ ମୁହଁ ଚାହାଁଚୁହିଁ ହୋଇ କିଛି ସମୟ ବସିଲେ । ଜଣାପଡୁଥିଲା, ସେହି ଏକା କଥାକୁ ଦୁହେଁ ଭାବିବାରେ ଲାଗିଛନ୍ତି । କିଛି ସମୟ ପରେ ମଧୁର ସ୍ତ୍ରୀ କହିଲା, ‘‘ତାଙ୍କ କଥା କ’ଣ ତୁମେ ଆଦୌ ଭାବୁ ନାହଁ ? ମୁଁ ଜାଣିଛି, ତୁମେ ତାଙ୍କ କଥା ମନେପକାଇ ଅନେକ ସମୟରେ ବଡ଼ ବ୍ୟସ୍ତ ଦୁଅ ।’’

 

ଏଥିରେ ମଧୁ ଭାରି ବିରକ୍ତି ହୋଇ କହିଲା, ‘‘ସେ କଥା ମୁଁ କାହାକୁ ପଚାରୁନାହିଁ । ଆଉ କ’ଣ କିଛି କଥା ନାହିଁ ଯେ କେବଳ ସେହି କଥା, ସେହି କଥା ଲାଗିଛି ?’’

 

ଭାଇର ମନ କଥା ଏଣେ ସାଧୁକୁ କିଛି ଅଛପା ରହିଲା ନାହିଁ । ସେ ଅନ୍ଧାରରେ ରହି ଆଲୁଅରେ ତାର ମୁହଁ ଦେଖିପାରୁଥିଲା ଏବଂ ବେଳେବେଳେ ବଡ଼ ବ୍ୟସ୍ତ ହେଲାପରି ଗୋଟେଗୋଟେ ଦୀର୍ଘ ନିଶ୍ୱାସ ଛାଡୁଥିଲା । ଏହି ସମୟରେ ମଧୁ ହଠାତ୍ ଚୁଲିମୁଣ୍ଡରୁ ଉଠି ସାଧୁ ଯେଉଁ ଘରେ ଠିଆହୋଇଥିଲା, ସେହି ଘର ଆଡ଼କୁ ଆସିଲା । ସାଧୁର ଦେହ ମୁଣ୍ଡ ସେତେବେଳକୁ ଝାଳ ଗମ୍‌ଗମ୍ ହୋଇଗଲାଣି । ଭାଇ ଘରେ ଏପରି ଅବସ୍ଥାରେ ଧରାପଡ଼ିଲେ ଲୋକେ ଯେ ତାକୁ ଚୋର ଡକାଏତ ବୋଲି କହିବେ ! ଧାଇଁ ପଳାଇଲେ ଜଣାପଡ଼ିଯିବ ବିଚାରି ସେ ସେହି ଅନ୍ଧାର ଘରର ଏକ କୋଣକୁ ଆଉଜି ଠିଆହୋଇଗଲା ।

 

ମଧୁ ସେହି ଘରକୁ କାଠ ନେବା ପାଇଁ ଆସୁଥିଲା । ତା’ ମନରେ କେତେ ରକମର ଭାବନା ଖେଳିଯାଉଥିଲା । ଘର ଭିତରେ ପଶି, ସେହି ନିବିଡ଼ ଅନ୍ଧକାର ଭିତରକୁ ଚାହିଁ, କାହାର ଆଶ୍ରୟ ଲୋଡ଼ିଲା ପରି ମନେମନେ କହିଲା, ‘‘କାହିଁ ଅଛ ପ୍ରଭୁ ! ଏତେ ଦୁଃଖ ଏ ଅଭାଗ୍ୟକୁ କାହିଁକି ଦେଉଛ ?’’ ତାର ଏତିକି କଥାରେ ଜୀବନର ରହସ୍ୟ ଯେ ଲୁଚିରହିଥିଲା, ତାହା ସାଧୁ କେବଳ ବୁଝିଲା । ମଧୁ ସେ ଘରୁ ଚାଲିଗଲା ପରେ ସେ ଘର କୋଣଟାରେ ମେଞ୍ଚାହୋଇ ମୁହୂର୍ତ୍ତେ ବସିପଡ଼ିଲା । କାରଣ ସେତେବେଳକୁ ତା’ ଗୋଡ଼ରୁ ଜୀବ ଛାଡ଼ି ଯାଉଥିଲା ।

 

ଆସିଥିଲା ଦେଖାକରିବାକୁ, ଦେଖା କରି ପାରିଲା ନାହିଁ; - ଦେଖିଲା, କଥା କହି ପାରିଲା ନାହିଁ । ସାଧୁ ମନେମନେ ଘାଣ୍ଟି ଚକଟି ହେଲା । ଅନ୍ଧାର ରାତି ତାକୁ ଆହୁରି ଅନ୍ଧାର ଦିଶିଲା । ନିଜକୁ ସେ ପରମ ଦୋଷୀ ମନେକରି ବାଟେବାଟେ ଦାଣ୍ଡକୁ ବାହାରି ପଡ଼ିଲା ।

 

ସେ ରାତିରେ ସାଧୁ ଘରକୁ ଯାଇ ଠିକ୍ କଲା, ଯେଉଁ ସୁନାବେଣ୍ଟିଆ ବାଡ଼ିଖଣ୍ଡକ ପାଇଁ ଏତେ କଳି ସେହି ଖଣ୍ଡିକ ସେ କାଲି ନେଇ ଭାଇ ଘରେ ଥୋଇ ଦେଇ ଆସିବ । ସେ ଖଣ୍ଡି ମଧୁ ପାଇଲା ପରେ ଭାଇ ଭାଇ ପୁଣି ଏକାଠି ରହିପାରିବେ ପରା ! ଯାହା ମୂଳରେ ଏତେ କଥା, ସେହି ବାଡ଼ିକୁ ସେ ପାଖରେ ରଖିବାକୁ ଇଚ୍ଛା କଲା ନାହିଁ । ତା’ ଆରଦିନ ବେଳ ବୁଡୁବୁଡୁ ସେ ମଧୁର ବାଡ଼ିପଟେ ବୁଲି ଖଳାବାଡ଼ିରେ ପହଞ୍ଚିଲା । ଖଳାବାଡ଼ିଟା ଠିକ୍ ଘରକୁ ଲାଗି । ମୁହଁ ଅନ୍ଧାର ହୋଇଆସିଥିଲା । ତା’ ହାତରେ ଏକ ଦିଆସିଲି ପେଡ଼ା ଥିଲା । ଗୋଟେ ଦିଆସିଲି ଘଷି, ମଧୁ ଦେଖିପାରିବା ଭଳି ଥାନକୁ ବାଡ଼ି ଖଣ୍ଡିକ ଆଉଜାଇ ଦେଇ ସେ ଚାଲିଗଲା । ରାତିରେ ତାର ଆନନ୍ଦର ସୀମା ନାହିଁ । ସକାଳୁ ଉଠି ଭାଇ ବାଡ଼ି ଖଣ୍ଡିକ ପାଇବ; ହୁଏତ ତାକୁ ଡାକି ପଚାରିବ - ଏହି ତା’ ଚିନ୍ତା । ଥରେ କଥା ହୋଇଗଲେ କି ଆଉ ଦୁଇ ଭାଇ ମିଳିମିଶି ନଯିବେ ?

 

କିନ୍ତୁ ରାତି ରାତି ବାଗଲପୁର ଗାଁରେ ଚହଳ ପଡ଼ିଲା, ମଧୁର ଖଳାବାଡ଼ିରେ ନିଆଁ ଲାଗି ତାର ଛଣଗଦାଟି ପୋଡ଼ିଯାଇଛି । ଏ କଥା ଶୁଣି ସାଧୁର ମନ ଯେ କ’ଣ ହୋଇଗଲା ସେ କଥା ସେ ଜାଣିପାରିଲା ନାହିଁ । ତା’ ଗୋଡ଼ତଳେ ପୃଥିବୀଟା ବୁଲିଲା ପରି ଲାଗିଲା । ବିଚାରିଲା, ‘‘ମୁଁ ପାପିଷ୍ଠ କ’ଣ ନ କଲି ! ମୋର ଦିଆସିଲିରୁ ଯେବେ ନିଆଁ ଲାଗି ଏପରି ହୋଇଥିବ ! ମୋ ଭାଇକୁ ମୁଁ ସାରିଦେଲି, ସାରିଦେଲି ।’’ ସାଧୁ ନିଜକୁ ନିଜେ କେତେ ଧିକ୍‌କାର ଦେଲା, କେତେ ବ୍ୟାକୁଳ ହୋଇ ଦୀର୍ଘଶ୍ୱାସ ଛାଡ଼ିଲା ।

 

ସକାଳ ଗଲା, ଦି’ପହର ହେଲା; ସାଧୁ ଗାଧୋଇଲା ନାହିଁ । ସନ୍ଧ୍ୟା ହେଲା, ତୁଣ୍ଡରେ ପାଣି ଟୋପେ ସୁଦ୍ଧା ଦେଲା ନାହିଁ । ସେହି ଏକ କଥା ଚିନ୍ତା କରିବାରେ ଲାଗିଲା । ପୁଣି ଯେତେବେଳେ ଅନ୍ଧାର ହୋଇଆସିଲା, ସେ ଧୀରେ ଧୀରେ ନିତାନ୍ତ ଚୋରପରି ମଧୁର ବାଡ଼ିପଟେ ଯାଇ ସେହି ପୋଡ଼ା ଗଦା ପାଖେ ପହଞ୍ଚିଲା । ଯେଉଁଠି ବାଡ଼ି ଖଣ୍ଡ ରଖିଦେଇଥିଲା । ସେ ଜାଣେ । ଦରାଣ୍ଡି ଦରାଣ୍ଡି, ଦିଆସିଲି ଲଗାଇ ସେହିଠୁ ମେଞ୍ଚାଏ ସୁନା ପାଇଲା; ବାକୀ ବାଡ଼ି ଖଣ୍ଡିକର ଚିହ୍ନ ସୁଦ୍ଧା ମିଳିଲାନାହିଁ ।

 

ଏହା ପରେ ସେ ସେହି ସୁନା ମେଞ୍ଚାକ ଧରି ତା’ ଆରଦିନ ସକାଳେ ମଧୁର ରୋଗଶଯ୍ୟା ପାଖେ ଯାଇ ପହଞ୍ଚିଲା । ତା’ ଯୋଗୁ ଯେ ଛଣଗଦା ପୋଡ଼ିଛି, କହିବାକୁ ସାହସ କଲା ନାହିଁ; ସେହି ସୁନା ମେଞ୍ଚାକ ମଧ ସେ ଭାଇକୁ ଦେଇ ପାରିଲା ନାହିଁ ।

 

ଦୁଇ ଦିନ ପରେ ବାଗଲପୁରରେ ଛଣଗଦା ପୋଡ଼ି ଅଭିଯୋଗର ତଦନ୍ତ ଆରମ୍ଭ ହେଲା-। ଦାରୋଗା ବାବୁ ଆସିଲେ । ବାରଲୋକଙ୍କଠାରୁ ସାକ୍ଷୀ ନିଆହେଲା । ସମସ୍ତେ ସାଧୁକୁ ଦୋଷୀ ବୋଲି କହିଲେ । କିଏ କହିଲା, ପୋଡ଼ି ପୂର୍ବ ଦିନ ସାଧୁ ମଧୁଘର ପିଣ୍ଡାକୁ ଉଠିବାର ସେ ଦେଖିଥିଲା; ଆଉ କିଏ କହିଲା, ପୋଡ଼ି ବାସି ସାଧୁ ଲୁଚିଲୁଚି କରି ପୋଡ଼ା ପାଉଁଶ କାହିଁକି ଦରାଣ୍ଡୁଥିଲା - ଏହିପରି କେତେ କେତେ ସାକ୍ଷୀ ଗୁହା ପ୍ରମାଣ ମିଳିଲା ।

 

କଚେରୀରେ ରୀତିମତ ମକଦ୍ଦମା ଚାଲିଲା । ସାଧୁ ପକ୍ଷରେ କେହି ନାହାନ୍ତି । ସେ ମଧ୍ୟ ସେପରି କିଛି ବାଦ-ପ୍ରତିବାଦ କରୁନାହିଁ । କେବଳ ବେଳେବେଳେ ମଧୁ ଆଡ଼କୁ ମୁହଁ ଫେରାଇ ଆଖି ଛଳ ଛଳ କରି ଦେଉଛି । ମଧୁକୁ ଏକଥା କିଛି ଲୁଚା ରହିଲା ନାହିଁ । ତାହାର ପ୍ରତିଚାହାଣୀରୁ ଜଣାପଡୁଥିଲା ସେ ଯେପରି ମଧୁକୁ ଚାହିଁ ଅନ୍ତରର ସହିତ ତାକୁ ଡାକୁଥିଲା – ‘ଭାଇ ! ଭାଇ !! ଭାଇ !!!’

 

ତା’ର ଚାହାଣୀ, କଥାବାର୍ତ୍ତା, ବ୍ୟବହାର ଦେଖି ଭାଇ ମଧୁର ହୃଦୟ ତରଳିଗଲା । ତାକୁ ଯେତେବେଳେ ପଚରାହେଲା, ‘‘ସାଧୁ ତୁମ ଛଣଗଦାରେ ନିଆଁ ଲଗାଇବା କଥା ତୁମେ ଜାଣ ?’’ ସେ ଦମ୍ଭର ସହିତ କହିଲା, ‘‘ନା, ସାଧୁ ତ କରିନାହିଁ ।’’

 

ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଗାଁଲୋକଙ୍କ ମଧ୍ୟରେ ନାନା କଥା ପଡ଼ିଲା । ମାତ୍ର ଏହା ପରେ ସେ ଦୁଇଭାଇ ଭିତରେ କେତେବେଳେ କଥାବାର୍ତ୍ତା ହେଲା କିଏ ଜାଣିଲେ ନାହିଁ । ସମସ୍ତଙ୍କ ମନରେ ଆଗ୍ରହ ବଢ଼ିଲା ।

 

ମଧୁର ସାକ୍ଷୀ ଦେବା ଫଳରେ ସାଧୁର ହୃଦୟ ଆହୁରି ତରଳିଗଲା । ଏଣିକି ମଧୁ ମଧ୍ୟ ସାନ ଭାଇ ସାଧୁ କଥା ବେଶି ଭାବିବାରେ ଲାଗିଲା । ପୂର୍ବର ସବୁ ରାଗ ଅଭିମାନ କୁଆଡ଼େ ମନରୁ ପୋଛିଦେଲା ପରି ପାଶୋରଗଲା ।

 

ସେ ଦିନ ସନ୍ଧ୍ୟାବେଳ । ପବନ ଧୀରି ଧୀରି ବହୁଛି । ଗାଈଗୋଠ ଗୁହାଳକୁ ଫେରି ଆସିଲେଣି । ଗାଁଦାଣ୍ଡରୁ ପିଲାମାନଙ୍କର ଖେଳ ଚହଳ ଭାଜିଆସୁଛି । ନଡ଼ିଆଗଛ ଗହଳରେ ଆଶ୍ରୟ ନେଉଥିବା ପକ୍ଷୀଗୁଡ଼ିକ ସେ ପର୍ଯ୍ୟନ୍ତ ଠିକ୍ ସ୍ଥାନ ନପାଇ ପକ୍ଷୀ ଫଡ଼ଫଡ଼ କରି ଏଠାକୁ ସେଠା ହେଉଛନ୍ତି । ବନ୍ୟାର ନିଦାରୁଣ ଚିହ୍ନ ପରି ଗାଁ ଭିତରେ ଯେ ନାଳ ଖୋଳି ହୋଇଯାଇଛି, ତାହା କ୍ରମେ ଅନ୍ଧାର ସଙ୍ଗେ ମିଶି ଆସୁଛି । ବିଲୁଆଖାଇ ନଈର ସେ ପାଖରୁ କେନାଲପଥ ଯାତ୍ରୀମାନଙ୍କର ଗୀତ ଶବ୍ଦ ଶୁଭୁଛି, - କିନ୍ତୁ ସାଧୁ ଏ ସବୁର ବାହାରେ - ସେ ଭାଇ କଥା ଭାବି ପିଣ୍ଡାରେ ବସି ଆକାଶକୁ ଚାହିଁଛି । ଏପରି ସମୟରେ ଜଣେ ସ୍ତ୍ରୀଲୋକ ଆସି ତା’ ଦୁଆରେ ପହଞ୍ଚିଲା । କିଛି ସମୟ ଚାହିଁ ସେ ପରେ ବୁଝିପାରିଲା ଯେ ସ୍ତ୍ରୀଲୋକଟି ନିଜ ଭାଇଙ୍କ ସ୍ତ୍ରୀ । ବାକି କଥା ବୁଝିବାକୁ କିଛି ଦରକାର ପଡ଼ିଲା ନାହିଁ । ପଦେ କଥାରେ ସେହିଠାରେ ଉଠି ଭାଇ ଘର ଆଡ଼କୁ ଚାଲିଲା ।

 

ଗମ୍ଭୀରୀ ଘର, ଗୋଟିଏ ଦୀପ ଜଳୁଛି । କାନ୍ଥକଡ଼କୁ ମଧୁ ମଇଳା ଶେଯ ଖଣ୍ଡିକରେ ପଡ଼ି ଭଙ୍ଗାଦଦରା କୁଡ଼ିଆର ଚାଳକୁ ଏକ ଦୃଷ୍ଟିରେ ଚାହିଁଛି । ସାଧୁ ମୁହୂର୍ତ୍ତେ ସେ ଶେଯ ପାଖେ ଠିଆହୋଇ ବିକଳ କଣ୍ଠରେ ଡାକିଲା - ‘‘ଭାଇ !’’

 

ମଧୁ ଟିକିଏ ମୁହଁ ବୁଲାଇ, ସେହି ଶେଯ ପାଖରେ ବସିବାକୁ ହାତ ଦେଖାଇଦେଲା । ସାଧୁ ବସିପଡ଼ି ଭାଇ ମୁହଁକୁ କେବଳ ଏକାପରି ଚାହିଁରହିଲା । କିଏ କାହାକୁ କିଛି କଥା କହି ପାରିଲେ ନାହିଁ ।

 

କିଛି ସମୟ ଗଲା । ବଡ଼ ଭାଇ ମଧୁ ତା’ର ବ୍ୟଥିତ ହୃଦୟ ଭିତରୁ କେବଳ ଗୋଟେ ଦୀର୍ଘଶ୍ୱାସ ଛାଡ଼ି ସେତିକିରେ ତାର ସକଳ କଥା ଶେଷକରିଦେଲା । ତା’ ପରେ ସାଧୁ ତା’ର କଥା ଆରମ୍ଭକଲା । ଭଇର ସ୍ତ୍ରୀ ସବୁ ଶୁଣୁଥାଏ । ମଧୁ ବେଳେବେଳେ ଆଖି ବୁଜି କ’ଣ ଭାବୁଥାଏ, କେବେ କେବେ ଏକ ଲୟରେ ଭାଇ ମୁହଁକୁ ଚାହିଁରହୁଥାଏ । କଥା ସରିଲା - ଦୁଇଟା ଜୀବନର ଦୁଃଖମୟ ଇତିହାସ ସରିଲା । ତା’ ପରେ ସାଧୁ କହିଲା, ‘‘ଭାଇ, କ’ଣ କରିବା ?’’

 

ସେହି ଜୀର୍ଣ୍ଣଶୀର୍ଣ୍ଣ ହାତରେ ମଧୁ ସାନ ଭାଇର ହାତ ଧରିପକାଇ କହିଲା, ‘‘କ’ଣ କରିବା ? ଏକାଠି ରହିବା । ଏଣିକି ମୋ ଦେହ ଭଲହୋଇଯିବ ଯେ ।’’

 

ରୋଗ ଶେଯ ପାଖେ ବସି ବସି ସାଧୁର ଦିନ ନାହିଁ, ରାତି ନାହିଁ, ସବୁ ସମାନ । ମଧୁର ମୁହଁରେ ମଧ୍ୟ ଆଉ ଦୁଃଖର ରେଖା ନାହିଁ । କିନ୍ତୁ ବେଶୀ ଦିନ ୟା’ ରହିଲା ନାହିଁ । ଦୁଇ ଭାଇ ନୂଆ କରି ସୁଖରେ ଘରଦ୍ୱାର କରିବା ଆଗରୁ ବଡ଼ଭାଇ ମଧୁ ସଂସାର ଛାଡ଼ି ଚାଲିଗଲା ।

***

 

ଦୁଇଟି ଟଙ୍କା

 

ଚିରାଲୁଗାଟିର ଗୋଟିଏ ପାଖ ପେଟ ପାଖେ ଖୋସି, ଆର ପାଖଟି ବାଁ ହାତରେ ଧରି ବନା ସିଲାଇ କରୁକରୁ ମୁଣ୍ଡ ଟେକି କହିଲା, ‘‘ମୋର ଏଇ ଖଣ୍ଡକରେ ଚଳିବ । ମଗୁଶୀର ଗଡ଼ିଲେ ମୂଳ ବେଶୀ ମିଳିବ । ହରିଆକୁ କହିଛି, ସେତେବେଳେ ସେ ଟାଣୁଆ କରି ଛ’ହାତି ଖଣ୍ଡିଏ ବୁଣିଦେବ । ଖାଲି ତମ ପାଇଁ ଖଣ୍ଡିଏ ହେଲେ ହେଲା । ଆଠହାତି କ’ଣ ଛୋଟିଆ ହେବ ?’’

 

କଥା କହିଲା ବେଳେ ବନାର ମୁହଁରେ ଆନନ୍ଦର ରେଖା ସୁଦ୍ଧା ନ ଥିଲା । ତା’ର ସେହି ମଳିନ ମୁଖକୁ ଜଟଜଟିଆ ଖଣ୍ଡିବାଳଗୁଡ଼ାକ ଅଧେ ଘୋଡ଼ାଇ ପକାଇଥିଲା । ସିଲାଇ କରୁ କରୁ ବାଁହାତରେ ସେ ବେଳେବେଳେ ବାଳଗୁଡ଼ାକ ପଛକୁ ପକାଇଦିଏ । ହାତ ମୁଣ୍ଡରୁ ଆସି ଲୁଗାରେ ଲାଗୁ ନ ଲାଗୁ ବାଳ ଆସି ପୁଣି ପୂର୍ବସ୍ଥାନ ଅଧିକାର କରିଥାଏ । ପାଖରେ ମୂତନଳା; ଭଣଭଣ ମଶା ବେଢ଼ିଯାଉଛନ୍ତି; ଚାଖଣ୍ଡେ ଓସାରର ପିନ୍ଧିବା ଲୁଗା ଖଣ୍ଡକ ଛଡ଼ା ଦେହରେ ତାର ଆଉ ଅନ୍ୟ ଆବରଣ ନାହିଁ । ବନାର କିନ୍ତୁ ଏ ସବୁଥିକି ଆଦୌ ଦୃଷ୍ଟି ନାହିଁ । ସେ ସିଲାଇ କରୁଛି ଏବଂ ପଦେ ପଦେ ମୁହଁ ଟେକି କହୁଛି ।

 

ଚମ୍ପା କହିଲା, ‘‘ନା, ତା’ ହେବନାହିଁ । ଆଣିଲେ ଦଶହାତି ମାଣିଆବନ୍ଦି ଲୁଗା ଖଣ୍ଡିଏ ଆଣିବ । ତା’ ନହେଲେ ମତେ ବାପଘରେ ନେଇ ଛାଡ଼ିଦେଇ ଆସ । ପୂନିଅଁ ବାହାରେ ମୁଁ ଆସିବି-।’’

 

ଏ କଥାରେ ବନା ମୁହଁର ରଙ୍ଗ ଆହୁରି କଳା ପଡ଼ିଗଲା । କପାଳର ରେଖା କୁଞ୍ଚିତ ହୋଇଆସିଲା । ସେ ସିଲାଇ ବନ୍ଦ କରି ମୁହୂର୍ତ୍ତେ ବସି ରହିଲା । ସ୍ତ୍ରୀ ମୁହଁରୁ ସେ ଏପରି କଥା କେବେ ଶୁଣି ନ ଥିଲା, କିମ୍ବା ଶୁଣିବ ବୋଲି ଭାବି ମଧ୍ୟ ନ ଥିଲା ।

 

ବନା ଗରିବ ମଜୁରିଆ । ତାର ହାତ ଚଳିଲେ ଚୁଲି ଜଳେ । ଚମ୍ପାକୁ ବିଭା ହେବାର ତିନିମାସ ହୋଇଛି । ବାପ ମା’ ଛେଉଣ୍ଡ ହୋଇ ଯାହା କିଛି ପଇସା ସାହୁକାର ପାଖେ ରଖିଥିଲା, ଗଲା ତିନିମାସରେ ସ୍ତ୍ରୀପୁରୁଷ ଦୁହେଁ କେଉଁ ଦିନ ମାଛ ଚାରି ପଇସା, କେଉଁଦିନ ଅବା ସାରୁ ବାଇଗଣ ଚାରି ପଇସାର କିଣି ସାରି ଦେଇଛନ୍ତି । ଏହା ଛଡ଼ା ବିଭାବେଳକୁ ସେ ସାହୁକାର ପାଖରୁ ଆଗତୁରା ମୂଲ ବାବଦକୁ ତିରିଶି ଗଉଣୀ ଧାନ ଆଣିଛି । ସେ ତିରିଶି ଗଉଣୀ ଧାନ ତାକୁ ପାହାଡ଼ ପରି ହୋଇଛି । ସେ ଯାହାହେଉ, କୁଆଁର ପୂନିଅଁକୁ ଚମ୍ପା ପାଇଁ କେବଳ ଖଣ୍ଡିଏ ଲୁଗା ଆଣି ନିଜ କଥା ଯେପରି ସେପରି ଚଳାଇଦେବ ବୋଲି ଭାବିଥିଲା; ମାତ୍ର ଚମ୍ପା ଜିଦ୍ ଧରି ବସିଲା ଯେ ଦଶହାତି ମାଣିଆବନ୍ଦି ଲୁଗା ନ ହେଲେ ସେ ପିନ୍ଧିବନାହିଁ । ପୂନିଅଁ ଆଉ ଦୁଇ ଦିନ ବାକି । ବନାକୁ ବଡ଼ ଭାଲେଣି ପଡ଼ିଲା ।

 

ସେଦିନ ସିଲାଇ ଅଧାହୋଇ ରହିଲା । ରାତିରେ ଦୁହେଁ ଶାଗଭାତ ମୁଠିଏ ଲେଖାଏଁ ଖାଇ ଶେଇଲେ । ବନା ଆଖିକୁ କିନ୍ତୁ ନିଦ ଲାଗିଲା ନାହିଁ । ସେ ପଟିରେ ଶୋଇଲା; ମାତ୍ର ତାର ମନ ରହିଲା ଯାଇ ନୂଆଲୁଗା ପାଖରେ । ସବୁଦିନ ତାକୁ ମଶା କାମୁଡ଼ନ୍ତି, କିନ୍ତୁ ସେଦିନ ତାକୁ କିଛି ଜଣାପଡ଼ିଲା ନାହିଁ । ସେ ମୁହୁର୍ମୁହୁ କଡ଼ ଲେଉଟାଉଥାଏ ଏବଂ ଚମ୍ପାକୁ ପଚାରୁଥାଏ, ‘ଆଚ୍ଛା, ସାହୁକାରେ ଯେବେ ଯୋଡ଼ିଏ ଟଙ୍କା ଦେବେ ତେବେ ଦଶହାତି ଖଣ୍ଡିଏ ଆଣିବି, ନ ହେଲେ ଆଠହାତି ଧୋତିଟିଏ ହେଲେ ଚଳିବ ନାହିଁ ?’’

 

ଚମ୍ପା ଜାଣିଲା, ତାହାରି ଘେନି ବନାକୁ ନିଦ ନାହିଁ । ବନାର ଏକଥା ଶୁଣି ସେ ଆଉ କଥା କହିପାରିଲା ନାହିଁ । ତା’ ବୁକୁ ଭିତରୁ କୋହ ଉଠିଲା । ଘନଘନ ତପ୍ତ ନିଃଶ୍ୱାସ ଉଠି ବନାର ଲୁଗା ମୋହ ଭାଙ୍ଗିଦେଲା । ବନା ବନା ଚମ୍ପାକୁ ଗାଢ଼ ଆଲିଙ୍ଗନରେ କୋଳକୁ ଟାଣିନେଇ କହିଲା, ‘‘କାନ୍ଦୁଛ ଚମ୍ପା ?’’

 

ଚମ୍ପା ଦୁଇ-ତିନିଥର କଥା ଢ଼ୋକି କହିଲା, ‘‘ନା, କାନ୍ଦୁ ନାହିଁ । ଏ ପୂନିଅଁକୁ ଆମେ ଆଉ ଲୁଗା ପିନ୍ଧିବା ନାହିଁ ।’’ ଏତିକି କହି ସେ ଆଉ କହିପାରିଲା ନାହିଁ । ଚାଳର କଣାବାଟେ ଶରତ୍‌ଚନ୍ଦ୍ରର ଶୁଭ୍ରକିରଣ ଘର ଭିତରେ ବିଞ୍ଚିହୋଇ ପଡ଼ିଥିଲା । ବେଳେବେଳେ ଦୁଆର ମୁହଁ ତାଟି ଫାଙ୍କରେ ଦମକାଏ ଲେଖାଏଁ ଥଣ୍ଡା ପବନ ଘର ଭିତରକୁ ପଶିଆସୁଥିଲା । ପଲ୍ଲୀ ଗାଁର ନିର୍ଜ୍ଜନତା ଭେଦକରି ବିଲୁଆ କୁକୁରର କର୍କଶ ସ୍ୱର ଶୁଭୁଥିଲା । ସେହି ଭଙ୍ଗା କୁଡ଼ିଆ ଭିତରେ ଦୁଇଟି କୃଷକ ପତିପତ୍ନୀ - ବନା ଆଉ ଚମ୍ପା ଗଭୀର ମନୋବେଦନା, ଦୁଃଖ, ନିରାଶାରେ କିଏ କାହାକୁ ପଦେ ସୁଦ୍ଧା କଥା ନ କହି ଶୋଇପଡ଼ିଲେ । ବାହାର ଜୀବନର ଦୁଃଖ, ଦରିଦ୍ରତା, ଚିନ୍ତାରୁ ମୁକ୍ତି ପାଇ ସେମାନେ କିଛି ସମୟ ଶାନ୍ତିମୟ ସ୍ୱପ୍ନରାଜ୍ୟରେ ବୁଲିବାକୁ ଅବସର ପାଇଲେ ।

 

ପ୍ରଭାତର ସ୍ନିଗ୍‌ଧ ସୂର୍ଯ୍ୟକିରଣ । ବନାର ନିଦ ଭାଙ୍ଗିଲା ବେଳକୁ ଚମ୍ପା ବାସିପାଇଟି ତୁଲାଇ ବାଡ଼ିପଟ ଆମ୍ବଗଛ ମୂଳରୁ ବୋଝେ ଶୁଖିଲା ଆମ୍ବପତ୍ର ଜାଳ ପାଇଁ ଆଣି ଘରେ ପହଞ୍ଚିସାରିଲାଣି । ବନା କ୍ଷୀଣ କ୍ଲାନ୍ତ ସ୍ୱରରେ ଡ଼ାକିଲା- ‘‘ଚମ୍ପା !’’

 

ଚମ୍ପା ପତର ବୋଝକ ବାଡ଼ିପିଣ୍ଡାରେ ରଖିଦେଇ ଘରଭିତରେ ପଶିଲା । ତାର କର୍ମକ୍ଲାନ୍ତ ମୁଖମଣ୍ଡଳକୁ ସେ ପଣତକାନିରେ ପୋଛି ପୋଛି କହିଲା, ‘‘ବେଗେ ଦାନ୍ତପାଣି କରି ପଖାଳ ଦୁଇଟା ଖାଇ ଯାଅ । ସାହୁକାର ତେଣେ ଗର୍ଜିବେଣି ।’’

 

ବନା ଭାବିଥିଲା, ସକାଳୁ ଉଠି ପତ୍ନୀଠାରୁ ଲୁଗା ବିଷୟରେ କିଛି ମୁହଁଫୁଲଣା କଥା ଶୁଣିବ । ସେ ଚମ୍ପାର କଥାବାର୍ତ୍ତା ଓ ବ୍ୟବହାରରୁ ଜାଣିଲା,ସେ ଯେପରି ଲୁଗାକଥା ଏକାବେଳେକ ଭୁଲିଯାଉଛି ।

 

ବନାର ମନ ସେଦିନ ଠିକ ନଥିଲା । କାମ କରୁଛି ତ କରୁଛି, ସମୟ ପ୍ରତି ତାର ଦୃଷ୍ଟି ନାହିଁ । ଦାଣ୍ଡ ମୂଲିଆମାନେ ଯେଝା କାମ ତୁଲାଇ ଫେରିଗଲେଣି, ସୂର୍ଯ୍ୟଦେବ ମୁଣ୍ଡ ଉପରକୁ ଉଠିଲେଣି, ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଏକାକୀ ବନା ମାଟି ତାଡ଼ିବାରେ ବ୍ୟସ୍ତ । ଉପରୁ ଖରା ଛିଡ଼ି ପଡ଼ୁଛି, ତଳ ତାତିରୁ ନିଆଁ ବାହାରୁଛି । ବନା ସେଥିକି ଦୃଷ୍ଟି ନ ଦେଇ ମନେମନେ ଭାବୁଛି, ‘ବିଧାତା ମତେ ଏତେ ଦରିଦ୍ର କାହିଁକି କଲା ? ପ୍ରାଣର ଚମ୍ପା ପାଇଁ ଖଣ୍ଡିଏ ଲୁଗା କରିପାରିଲି ନାହିଁ ! ଗାଁରେ ତ କେତେ ଲୋକଙ୍କର ମେରଦା-ଘର, ଚୂନପିଣ୍ଡା, ଖଟ ପଲଙ୍କ ଅଛି, ମୋର କାହିଁକି ଦିନକୁ ମୁଠାଏ ଖାଇବାକୁ ଜୁଟୁନାହିଁ ? ଲୋକେ ଗାଡ଼ି ଘୋଡ଼ା ଚଢ଼ୁଛନ୍ତି, ଜାମା କୁରୁତା ଲଗାଉଛନ୍ତି, ନୋଳି ମାଳି ଘେନୁଛନ୍ତି, ମୋର ତ ସେଥିକି ମନ ନାହିଁ- ଲୁଗା ଖଣ୍ଡିଏ କାହିଁକି ମୋତେ ମିଳୁନାହିଁ ? ଛି, ଭଗବାନ୍‌! ସଂସାରକୁ ଏପରି ଗୁଡ଼ାଏ ଅଭାଗାଙ୍କୁ କାହିଁକି ପଠାଇଲ ? ମହାଜନ ତ କୁଢ଼କୁଢ଼ ଲୁଗା ଧରି ଦୋକାନରେ ବସିଛି, ସେଥିରୁ ମୋତେ ଖଣ୍ଡିଏ ଦେଲେ କ’ଣ ତାର ସବୁ ସରିଯିବ ?’ ମୁଣ୍ଡ ଖରାକୁ ଦେଖାଇ ବନା ମାଟି ତାଡ଼ିବାରେ ଲାଗିଛି । ମଧ୍ୟାହ୍ନ ନିର୍ଜନତା ଭିତରେ ଦୂର ଆମ୍ବତୋଟା ଗହଳିରେ ବସି କପୋତ ଗମ୍ଭୀର ସ୍ୱର ଲହରୀରେ ଦିଗଦିଗନ୍ତ କମ୍ପାଇ ଦେଲା । କୁମ୍ଭାଟୁଆ ହୁଙ୍କାର ରବ ଦେଇ ଉଠିଲା, ସାହୁକାର କେଳୁ ସୁବୁଦ୍ଧିଏ ଭାତ ନିଦ ଭାଙ୍ଗି, ଉଠି ଦେଖିଲେ ବନା କାମରୁ ଫେରି ହାଜରା ପକାଇ ଯାଇନାହିଁ । ଭାବିଲେ- ସେ ନିଶ୍ଚୟ ଠକିଦେଇ ଆଗରୁ ଚାଲିଯାଇଛି ।

 

ସେହି ଉଦୁଉଦିଆ ଖରାବେଳେ ମୁଣ୍ଡ ଉପରେ ତାଳପତ୍ର ଛତାଟେ ଟେକି, ବିଧେ ବହଳର ତେଲ ଚିକିଟିଆ ଗାମୁଛା ଖଣ୍ଡେ ପିନ୍ଧି ସୁବୁଦ୍ଧିଏ ଧୀର ପଦବିକ୍ଷେପରେ ବିଲ ଆଡ଼କୁ ବାହାରିଲେ । ଠିକ୍‌ ଗାଁମୁଣ୍ଡେ ତାଙ୍କ କଡ଼ପଟୁ ଶାବଳ ଆଉ କୋଡ଼ିଟା ତଳେ ଦୁମ୍‌କିନା ପକାଇଦେଇ ବନା ଲମ୍ବା ଦଣ୍ଡବତଟାଏ ହେଲା, ପରେ ଦୁଇହାତ ପଛକୁ ଘୁଞ୍ଚିଯାଇ ଠିଆହେଲା । ବନା ଯେ କାମ ସାରି ଫେରୁଛି, ଏହା ଦେଖି ସୁବୁଦ୍ଧିଙ୍କ ପାଟି ଆନନ୍ଦରେ ଚାଖଣ୍ଡେ ଓସାରିହୋଇଗଲା । କହିଲେ, ‘‘ହଉ, ହଉ, ଯା, ଯା, ଭୋକଶୋଷ ହେବଣି । ଏତେବେଳଯାଏଁ କାମ କଲେ ଦେହକୁ ବାଧିବ, ବନା !’’

 

ଟିକିଏ ରହି ପୁଣି କହିଲେ, ‘‘କେତେ ଖୋଳାହେଲା ?’’

 

ବନା କମ୍ପିତ କଣ୍ଠରେ ଉତ୍ତର ଦେଲା, ‘‘ପାଣିବାଟିଆ କିଆରିଟି ।’’

 

ସୁବୁଦ୍ଧିଏ ଆଖିକୁ ତରାଟି କହିଲେ, ‘‘ଏଁ, ମତେ ଉଚ୍ଛନ୍ନ କଲୁ ତୁ, ମତେ ଉଚ୍ଛନ୍ନ କଲୁ ! ଦିନକେ ତୁମ୍ବ ଧାନ ମାପିଦେବି, ଓଳିକେ ଅଧଯାଏ ବିଲର ମାଟି ତାଡ଼ି ନାହୁଁ ? ତୋ’ପରି ନିମକହାରାମ ଆଉ ଦେଖିନାହିଁ ମୁଁ ।’’ - ଏହା କହି ସେ ସେହିଠାରୁ ଘରକୁ ଫେରିଲେ ।

 

ପେଟ ପିଠିକୁ ଲାଗିଯାଉଛି, ଦେହ ମୁଣ୍ଡ ଧୂଳିଧୂସର, ବନା ମୁହଁ ପୋତିପୋତି ସାହୁ ଦୁଆରେ ଥକାମାରି ବସିପଡ଼ିଲା ।

 

କେଳୁ ସୁବୁଦ୍ଧିଙ୍କ ଘର ଭିତରେ ଝମ୍‌ଝମ୍‌ଶବ୍ଦ ଶୁଭିଲା । ସୁବୁଦ୍ଧିଏ ଏ ସକାଳ ଓଳିର ଧାନବିକା ଟଙ୍କା ଗଣିବାରେ ବ୍ୟସ୍ତଥିଲେ । ଟଙ୍କା ଶବ୍ଦ ଶୁଣି ବନାର ବୁକୁ ଭିତର ପଡ଼ିଲା ଉଠିଲା- ‘‘ଯୋଡ଼ିଏ ଟଙ୍କା, ଯୋଡ଼ିଏ ଟଙ୍କା ।ଯୋଡ଼ିଏ ଟଙ୍କା ପାଇଲେ ସେ ଘରକୁ ଫେରିଯିବ, ମାଣିଆବନ୍ଦି ଲୁଗାଟିଏ କିଣିବ, କୁଆଁରପୂନିଅରେ ଚମ୍ପାକୁ ପିନ୍ଧାଇବ ।

 

ବନା ଦୁଆର ଫାଟ ପାଖେ ମୁହଁ ରଖି ଡ଼ାକିଲା, ‘‘ସାଉ !’’ ପୁଣି ଶୁଭିଲା ଝମ୍‌ଝମ୍ । ବନାର ହୃଦୟ ଭିତରେ କିଏ କହିଲା, ‘‘ଯୋଡ଼ିଏ ଟଙ୍କା, ଯୋଡ଼ିଏ ଟଙ୍କା ।’’ ଏତେ ଝମ୍‌ଝମ୍‌ଭିତରୁ ସେ ଯୋଡ଼ିଏ ଟଙ୍କା ପାଇବ ବୋଲି ଭାବିଦେଲାବେଳେ ତା’ ମନ ଚଞ୍ଚଳ ହୋଇଉଠେ, ନାଲିଟହଟହ ମାଣିଆବନ୍ଦି ଲୁଗା ଖଣ୍ଡେ ପିନ୍ଧି, ସୁଗୋଲ ବାହୁ ଯୁଗଳକୁ ହଲାଇ ହଲାଇ ଚମ୍ପା ତା’ ଆଗରେ ଆସି ମାନସୀମୂର୍ତ୍ତିପରି ଠିଆହୋଇପଡ଼େ । ପର ମୁହୂର୍ତ୍ତରେ ସେ ଚେତନା ପାଇ ଦେଖେ, ସାହୁକାର ନାହିଁ, ଟଙ୍କା ନାହିଁ, ଚମ୍ପା ମଧ୍ୟ ନାହିଁ । ସେ ନିରାଶରେ ଏକ ଦୀର୍ଘନିଃଶ୍ୱାସ ପକାଏ। ଚମ୍ପା କଥା ଭାବି ଆଖି ଛଳଛଳ କରିଦିଏ ।

 

ପୁଣି ଶୁଭିଲା, ଝମ୍‌ ଝମ୍‌ ଝମ୍‌ ଝମ୍‌ । ବନା ଆଉ ସମ୍ଭାଳିପାରିଲାନାହିଁ । ତାର ଆଉ ଧୈର୍ଯ୍ୟ ରହିଲାନାହିଁ । ସେ ଖୁବ୍‌ ବଡ଼ପାଟିକରି ଡ଼ାକିଲା, ‘‘ସାଉ,ସାଉ, ସାଉ ।’’

 

ପାଞ୍ଚମିନିଟ୍‌ପରେ ଦୁଆରଟା ଧଡ଼ାସ୍‌ ହୋଇ ଫିଟିଲା । ବନା ପିଣ୍ଡାତଳକୁ ଓହ୍ଲାଇ ଠିଆହେଲା । ସୁବୁଦ୍ଧିଏ ପଚାରିଲେ, ‘‘କିରେ ଯାଇନାହୁଁ ?’’ ବନା କହିଲା, ‘‘ଗୋଟିଏ ଗୁହାରି ଅଛି । କାଲି ପୂନିଅ, ଟଙ୍କା ଯୋଡ଼ିଏ-’’

 

ତା’ ପାଟିରୁ କଥା ନସରୁଣୁ ଗର୍ଜ୍ଜନ ଶୁଭିଲା, ‘‘ଦୂର ହୁଅ, ନିମକହାରାମ୍‌ ! ତୋତେ ପୋଷିବାରେ ଏଇ ଲାଭ ? ଟଙ୍କା ଗଣୁଥିବି । ଗୋଟେ ପେଟ ପୋଷିବାକୁ ତ ବଳ ନାଇଁ, ଆଉ ଗୋଟେ ଆଣି ଘରେ ସାଇତିଛି ! ଯା, ଚଞ୍ଚଳ ଆସିଲେ ବିଲକୁ ଯିବୁ ।’’

 

କଥା କହିଲା ବେଳେ ସୁବୁଦ୍ଧିଙ୍କର ହାତ ଗୋଡ଼ ମୁଣ୍ଡ ସବୁ ଏକ ସମୟରେ ହଲୁଥିଲା । ସେ ଜାଣନ୍ତି ନାହିଁ ଯେ, ତାଙ୍କ ଅଣ୍ଟାରେ ଟଙ୍କା ଅଛି ବୋଲି । ମୁହଁକୁ ବିକୃତ କରି, ଦାନ୍ତ ଦେଖାଇ କହିଲେ, ‘‘ଦେଖେ, ଅଣ୍ଟା ଦେଖେ । ଏ ମହରଗ ସମୟ, ଟଙ୍କା ଭରତି ହେଇଚି ଯେ ଏଇକ୍ଷଣି ତତେ ଗଣିଦେବି ।’’ ଏହା କରି ସେ ଲୁଗା ଖୋସଣିଟା ଭିଡ଼ି ଦେଲା ବେଳକୁ ତାଙ୍କ ଚିକ୍‌କଣ, ପୃଥୁଳ ଥଲଥଲିଆ ପେଟତଳୁ ଝମ୍‌ଝମ୍‌ହୋଇ ଦୁଇଗଣ୍ଡା ହେବ ଟଙ୍କା ଖସିପଡ଼ିଲା । ଟଙ୍କାର ଶବ୍ଦ ସଙ୍ଗେ ଟଙ୍କା ଦେଖି ବନାର ବୁକୁ ଭିତରେ କମ୍ପ ପହଞ୍ଚିଲା । ସେ ତାଟକା ହୋଇ ଦୁଇହାତ ଘୁଞ୍ଚିଯାଇ ବ୍ୟାକୁଳ-ଲୁବ୍‌ଧ ନେତ୍ରରେ ଟଙ୍କାଗୁଡ଼ାକୁ ଏବଂ ସୁବୁଦ୍ଧିଙ୍କ ମୁହଁକୁ ଚାହିଁଲା । ସୁବୁଦ୍ଧିଏ ଅପଦସ୍ଥ ହୋଇ ଅର୍ଦ୍ଧନଗ୍ନ ଅବସ୍ଥାରେ ଭାରି ବିରକ୍ତିରେ କହିଲେ, ‘‘ଆରେରେ, ସେ ଟୋକାଟା ବନମାଳିଆଟା ଟଙ୍କାଗୁଡ଼ାକ ଦେଇଯାଇଥିଲା, ରଖିଦେବାକୁ । ଏତେବେଳଯାଏଁ ଆସି ନେଲାନାହିଁ । ଏତେ ଅଡ଼ୁଆରେ କିଏ ପଡ଼ିବ ? ଆଣେ, ସେ ଟଙ୍କା ଗୋଟାଇ ଆଣେ ।’’

 

X X X

 

ଗାଁ ଦାଣ୍ଡରେ ଏକ ନଡ଼ିଆଗଛରେ ଏକ ଧକ୍‌କା ଖାଇ ବନା ଚାହେଁ ତ ସେ ଆସି ନିଜ ଘର ପାଖାପାଖି ହୋଇଛି । କ୍ଷୁଧା, ଦୁଃଖ ନିରାଶାରେ ସେ ଯେ କେତେବେଳେ ସାହୁକାର ଦ୍ୱାରରୁ ଫେରିଛି, ସେକଥା ସେ ଜାଣେନାହିଁ । ଏକା ଲୟରେ ସେ ମୁଣ୍ଡ ପୋତି ପୋତି ଚାଲିଛି ଏବଂ ବେଳେବେଳେ ନିଜ ହାତକୁ ଚାହୁଁଛି, ସତେ ଅବା ଗୋଟାଇଥିବା ଟଙ୍କାରୁ ଦୁଇଟା ତା’ ହାତରେ ଲାଗିରହିଛି । ସେ ମୁଠା କରୁଛି, ମୁଠା ଫିଟାଉଛି, ବେଳେବେଳେ ଅଣ୍ଟା ମଧ୍ୟ ଦରାଣ୍ଡୁଛି ।

 

ସେଦିନ ବନାକୁ କିଛି ଭଲ ଲାଗିଲା ନାହିଁ । ବେଳ ଗଡ଼ିଲା ବେଳକୁ ମୁଠିଏ ଖାଇ ଆସକତିଆ ହୋଇ ଶୋଇପଡ଼ିଲା । ଚମ୍ପା ପାଦ ପାଖେ ବସି ଧୀରେ ଧୀରେ ପାଦ ମଞ୍ଚାଳିଦେଲା ।

 

ବନାର ନିଦରେ ସେହି ସ୍ୱପ୍ନ, ଉଠିକରି ମଧ୍ୟ ସେହି ଚିନ୍ତା । ବେଳ ରତରତ ହେଉଛି, ସେ ଘରୁ ବାହାରିଲା ବଜାରକୁ । ମନେମନେ ଠିକ୍‌କଲା, ଯେ କୈାଣସି ପ୍ରକାରେ ସେ ଚମ୍ପା ପାଇଁ ଖଣ୍ଡିଏ ଲୁଗା ଆଣିବ ।

 

ରାତି ଦୁଇଘଡ଼ିକୁ ବନା ଖଣ୍ଡିଏ ଲୁଗା କାଖରେ ଜାକି ଘରେ ଆସି ପହଞ୍ଚିଲା । ଲୁଗାଟିକୁ ସେ ନିଜ ଚିରା ଲୁଗାରେ ସାତପ୍ରସ୍ତ କରି ଗୁଡ଼ାଇ ଆଣିଥିଲା । ତା’ ଆରଦିନ କୁମାରପୂର୍ଣ୍ଣିମା । ରାତି ପାହିଲେ ଚମ୍ପା ଲୁଗାଟି ପିନ୍ଧିବ ଏବଂ ଖୁସିହେବ, ଏହିଠାରେ ବନାର ଲାଞ୍ଛିତ ଜୀବନର ସାର୍ଥକତା । ଯାହାକୁ ସେ ପ୍ରାଣ ଦେଇ ଭଲପାଇଛି, ତାର ଆନନ୍ଦ ପାଇଁ ସେ ତ ଜୀବନ ଦେଇପାରେ । କୁଲି ମଜୁରିଆ ହୃଦୟରେ ପ୍ରେମ, ପ୍ରୀତି, ଆନନ୍ଦ ଉପଭୋଗ କରିବାର ଯେ ପବିତ୍ର ଅନ୍ଧ-ବ୍ୟାକୁଳତା ଅଛି, ନିଜକୁ ଅନ୍ୟ ସଙ୍ଗେ ମିଳାଇଦେବାର ଯେ ଗଭୀର ବାସନା ଅଛି, ଏକଥା ସେଦିନ ସେହି କୃଷକପଲ୍ଲୀର କ୍ଷୁଦ୍ର କୁଟୀର ଭିତରେ ବନା ଅନୁଭବ କଲା । ତାହା କେବଳ ସେହି ଚମ୍ପା ଜାଣିଲା ଏବଂ ବନା ଜାଣିଲା । ବନା ହସି ହସି ଚମ୍ପା ହାତକୁ ଲୁଗାଟି ଦେଇ ତାକୁ ଜାକିପକାଇଲା ।

 

ତା’ ଆରଦିନ ଗାଁଲୋକେ ସକାଳୁ ଉଠି ଦେଖିଲେ, ବନା ପରିଡ଼ା ଅଣ୍ଟାରେ ଚାରିପ୍ରସ୍ତ ହୋଇ ଝୁରାଟାଏ ବନ୍ଧାହୋଇ ସାହୁକାରଙ୍କ ନଡ଼ିଆ ଗଛରେ ବନ୍ଧାଯାଇଛି । ଗାଁ ଚୈାକିଦାର ବିଦିଆ ନାହାକ ଠେଙ୍ଗାଧରି ପହରା ଦେଉଛି । ପାଖରେ ଖଣ୍ଡିଏ ହଳଦୀବୁଡ଼ା ଓଦା ମାଣିଆବନ୍ଦି ଲୁଗା ଥୁଆହୋଇଛି । ବନା ପାଖରେ ଯାହାକୁ ଦେଖୁଛି ପାଗଳ ପରି ସେହି ଲୁଗାକୁ ଆଙ୍ଗୁଠି ଦେଖାଇ କହୁଛି, ‘‘ବେଶୀ ନୁହେ ଭାଇ, ଯୋଡ଼ିଏ ଟଙ୍କା, ଯୋଡ଼ିଏ ଟଙ୍କାର ଏ ଲୁଗା ।’’

 

ବେଳ ଦୁଇପହରକୁ ଶ୍ରୀନିବାସପୁର ଗାଁଦାଣ୍ଡରେ ଲୋକେ ଯତେବେଳେ ନୂଆଲୁଗା ପିନ୍ଧି ପୂନିଅଁ ଉତ୍ସବ କରି ବାହାରିଲେ, ଗୁଡ଼ିଆ ପସରା ଧରି ଝୁମୁକା ବଜାଇ ବିକି ବସିଲା, ଥାନାର ଦାରୋଗାବାବୁ ଦିଲ୍‌ବର ହୋସେନ୍‌ ବନାର ଲୁଗାଚୋରୀ ମକଦ୍ଦମା ତଦନ୍ତ କରି ରିପୋର୍ଟ ଲେଖିଲେ –

 

‘‘ଗଲା ରାତିରେ ବନା ପରିଡ଼ା ମହାଜନ କେଳୁ ସୁବୁଦ୍ଧିଙ୍କ ଘରୁ ତିନି ଟଙ୍କାର ଏକ ନୂଆଲୁଗା ଚୋରାଇ ନେଇ ଘରେ ରଖିଥିଲା । ସେ ବର୍ତ୍ତମାନ ପାଗଳ ହୋଇଯାଇଛି ।’’

 

ବନା ହାତରେ ଯେତେବେଳେ ହାତକଡ଼ା ଦିଆଗଲା ସେ ବଡ଼ ବ୍ୟଥିତ କଣ୍ଠରେ ପାଖରେ ଜମାହୋଇଥିବା ଲୋକଙ୍କୁ କହିଲା, ‘‘ମୁଁ ଖାଲି ଯୋଡ଼ି ଟଙ୍କା ଆଗ ମାଗିଥିଲି, ସେ ଦେଲେ ନାହିଁ । ଲୁଚିକରି ଯାଇ ଏ ଲୁଗାଟି ଆଣିଲି । ମୋତେ ଯାହା କରିବ କର; ମାର, ଧର, ମାତ୍ର ଏ ଲୁଗାଟି ନେଇ ଚମ୍ପାକୁ ଦେଇଆସ । ମୁଁ ଚୋର ନୁହେ, ମୁଁ ମୂଲିଆ ।’’

 

ଠିକ୍‌ ଏହି ସମୟକୁ ତା’ ବେକ ମୁଣ୍ଡାରେ ଦୁମ୍‌ଦୁମ୍‌ଦୁଇଟା ଧକ୍‌କା ବାଜିଲା । ସେ ଆଣ୍ଠୁମାଡ଼ି ପଡ଼ି ବୁଲିକରି ଚାହେଁ ତ, ତା’ ପଛପଟେ ଚୈାକିଦାର ବିଦିଆ ନାହାକର ରଙ୍ଗରଙ୍ଗ ଆଖି ଦୁଇଟା ଜଳୁଛି, ଆଉ ସୁବୁଦ୍ଧି ଧଇଁସଇଁ ହୋଇ ଦିଲ୍‌ବର ସଙ୍ଗେ କ’ଣ କଥାହେଉଚି ।

 

ପଣ୍ଡିତଙ୍କ ସିଦ୍ଧିଲାଭ

 

ଚତୁର୍ଥାବସ୍ଥା ପ୍ରାପ୍ତ ନହେଉଣୁ ପଣ୍ଡିତ ଶ୍ରୀରଘୁନାଥ ନନ୍ଦ ତର୍କବାଗୀଶଙ୍କର ସଂସାର ପ୍ରତି ଘୋର ବୈରାଗ୍ୟ ଆସିଲା । ତାଙ୍କୁ ସେତେବେଳକୁ ବୟସ ପ୍ରାୟ ତିରିଶି ତଳେ; ମାତ୍ର ଚେହେରାଟା ଯାଇ ପଚାଶ ଉପରେ ପଡ଼ିଥିଲା ।

 

ବିଚାରା ପଣ୍ଡିତଙ୍କୁ ଏତେ ଅଳ୍ପ ବୟସରେ ଏଡ଼େ ବଡ଼େ ଉପାଧି ଯେ କିପରି ଆକ୍ରମଣ କରିବସିଲା, ତାହା ସମସ୍ତେ ବୁଝିବା କଷ୍ଟ । ସେ କୈାଣସି ଟୋଲରେ ପଢ଼ି ନ ଥିଲେ । କୈାଣସି ଇସ୍କୁଲରେ ନାଁ ଲେଖାଇ ନ ଥିଲେ, କିମ୍ବା ରାଜାରାଜୁଡ଼ାର ସୀମା ମାଡ଼ି ନ ଥିଲେ । ଅନ୍ୟ କାହା ଉପରେ ନିର୍ଭର ନକରି ନିଜ ଉପାଧିଗୁଡ଼ାକ ସେ ନିଜେ ଠିକ୍‌ କରି ନେଇଥିଲେ । ତାଙ୍କୁ ତର୍କରେ କିଏ ଜିଣୁ ନ ଥିଲେ । ଯଦି ବା ସେ କେବେ କେବେ ହାରୁଥିଲେ, ତେବେ ସେଥିପାଇଁ ଗାଲୁ ଭୁରୁଡ଼ୁ ମଧ୍ୟ କରିପାରୁଥିଲେ । ଲୋକର ବାଗ ଉଣ୍ଡି ସେ କଥା କହୁଥିଲେ । ତେଣୁ ସେ ନିଜ ନାଁଟି ବଡ଼ ଆଦରରେ ଦେଲେ ‘‘ଶ୍ରୀରଘୁନାଥତର୍କବାଗୀଶ ।’’ ବାକୀ ପଣ୍ଡିତ ଶବ୍ଦଟା ତାଙ୍କ ଉପରେ ଖଳେଲୋକଙ୍କର ଅତ୍ୟାଚାର ବୋଲିବାକୁ ହେବ ।

 

ନନ୍ଦେ ଏହି ଉପାଧିଗୁଡ଼ାକୁ କେତେ ଦିନ ଭାରି ଆଦର ଦେଖାଇଲେ; ମାତ୍ର ଶେଷକୁ ଚତୁର୍ଥପକ୍ଷ ସ୍ତ୍ରୀର ସ୍ୱାମୀଠାରେ ଆଦର ନ ଥିଲା ପରି ସେଥିରୁ ତାଙ୍କ ମନ କୋହଳ ପଡ଼ିଗଲା । କ୍ରମେ କ୍ରମେ ଲୋକେ ତାଙ୍କୁ ଡ଼ାକିଲେ ‘‘ରଘୁ ପଣ୍ଡିତେ ।’’

 

ରଘୁ ପଣ୍ଡିତଙ୍କର ଯେଉଁ ଦିନ ବୈରାଗ୍ୟ ଉଦୟ ହେଲା, ତାଙ୍କ ସ୍ତ୍ରୀ ପ୍ରଥମେ ଜାଣିଲେ । ଏକମାତ୍ର ଗୃହିଣୀ ଛଡ଼ା ସେ ଗୃହସଂସାରରେ ଆଉ କେହି ନ ଥିଲେ । ଦିନ ପନ୍ଦରଟା ମଧ୍ୟରେ ସାଇ ପଡ଼ିଶାଘର, ସେଠୁ ଗାଁ, ଗାଁରୁ ଆଖପାଖ ଦଶପନ୍ଦର ଖଣ୍ଡ ଗାଁରେ ଏକଥା ଚହଳ ପଡ଼ିଗଲା । ଦାଣ୍ଡରେ, ବାଟରେ, ଘାଟରେ ସମସ୍ତଙ୍କ ମୁହଁରୁ ଶୁଣାଗଲା ଯେ ମୁକୁନ୍ଦପୁରର ରଘୁ ପଣ୍ଡିତେ ସନ୍ନ୍ୟାସୀ ହୋଇ ଚାଲିଯିବେ ।

 

ପଣ୍ଡିତଙ୍କ ଘରଣୀ ଚମ୍ପାବତୀ ଆମ ତମ ଘରର ଝିଅ ନୁହନ୍ତି - ସେ ‘ପାରକଣା’ ବଂଶର-। ତାଙ୍କ ବାପା ରାଘବ ରାଜଗୁରୁ କଳାହାଣ୍ଡି ରଜାଙ୍କ ରାଜଗୁରୁ ଥିଲେ । ସେହି ଦିନୁ ସେହି ବଂଶଟାର ନାଁ ଖୋରଧା ଅଶୀକୋଶରେ ପଡ଼େ । ନଈ ସୁଅ ପରି କାଳ-ସୁଅ ବହିଯାଉଛି । ସେଥିରେ କେତେ ଓଲଟପାଲଟ ହୋଇ ପଡ଼ୁଛି । ଲୋକେ କହନ୍ତି, ରାଘବ ରାଜଗୁରୁ ନିଜେ ଭାରି ଗରିବ ଥିଲେ । ତାଙ୍କ ଦଶା ଲେଉଟିଲା । ବର୍ଷ ପାଞ୍ଚଟା ଭିତରେ ସେ ସଂସାର ଛାଡ଼ିବା ପୂର୍ବରୁ ଦଶବାଟୀ ଜମି କରିଗଲେ ।

 

ରାଘବ ରାଜଗୁରୁଙ୍କ ଏକମାତ୍ର ପୁଅ ଛକଡ଼ି ରାଜଗୁରୁଙ୍କର ଚମ୍ପାବତୀ ଏକମାତ୍ର କନ୍ୟାସନ୍ତାନ । ଝିଅକୁ ପାଞ୍ଚବର୍ଷ ଦିନୁ ଛକଡ଼ି ରାଜଗୁରୁଙ୍କୁ ବର ଖୋଜା ପଡ଼ିଲା । ଶେଷକୁ ସାତ ବର୍ଷ ପରେ ଏହି ରଘୁପଣ୍ଡିତଙ୍କ ଭାଗ୍ୟରେ ଷଠୀବୁଢ଼ୀ ଚମ୍ପାବତୀଙ୍କ ହାତ ଧରିବାକୁ ଲେଖିଥିଲେ ବୋଲି ଜଣାପଡ଼ିଲା । ରାଜଗୁରୁଙ୍କ ଇଚ୍ଛା ଥିଲା, ଝିଅଟିକୁ ଏପରି ଏକ ମାତ୍ର ହାତରେ ଦେବେ, ଯାହାର ଧନ ଥିବ, ବିଦ୍ୟା ଥିବ ଏବଂ ଆଉ ଗୁଣ ଥିବ; ମାତ୍ର ଦୁର୍ଯୋଗକୁ ରଘୁପଣ୍ଡିତଙ୍କର ପ୍ରଥମ ଦୁଇଟି ଗୁଣ ନ ଥିଲା । ତଥାପି ଷଠୀ କଥା ପୋଛି ଲିଭାଇବ କିଏ ?

 

ଏଣେ ରଘୁ ପଣ୍ଡିତଙ୍କ ବଂଶଟା ସେପରି କିଛି ଗହଳିଆ ନ ଥିଲା । ସାଧାରଣ ପ୍ରକାରର ଥିଲା । ପଣ୍ଡିତେ ସ୍ୱଦତ୍ତ ଉପାଧି ଲାଭ କରିବା ପୂର୍ବରୁ ମୁକୁନ୍ଦପୁରରେ ହଇଜା ଲାଗିଲା ଯେ ଖୋରଧା ଖାସମାହାଲ ଜଙ୍ଗଲରେ କୁପ୍‌ ଛାଡ଼ହେଲା ପରି ତାଙ୍କ ବଂଶଟା ମୂଳପୋଛ ହୋଇଗଲା । ତା’ ନ ହୋଇଥିଲେ ପଣ୍ଡିତେ ନିରଙ୍କୁଶ ଭାବରେ ଉପାଧି ସୃଷ୍ଟି କରିପାରି ନଥାନ୍ତେ । ସେ ତେଣିକି କୁପ୍‌ର ପରିତ୍ୟକ୍ତ ଖୁଣ୍ଟା ପରି କୁଳକୁ ରହିଲେ । ସଂପତ୍ତିପତ୍ର ଯାହା ଥିଲା ତାଙ୍କ ହାତରେ ଦୟାର ପାତ୍ର ହୋଇ ରହିଲା ।

 

ଚମ୍ପାବତୀ ଶାଶୁଘରକୁ ଆସିଲା ବେଳକୁ ପଣ୍ଡିତଙ୍କୁ ବୟସ ୨୧ ବର୍ଷ । ତା’ ପୂର୍ବରୁ ସେ ଘରେ ସବୁବେଳେ ରହୁ ନ ଥିଲେ । କେଉଁଠି ରହୁଥିଲେ ତାହା ମଧ୍ୟ କେହି ଜାଣୁନଥିଲେ । ବେଳେବେଳେ ମୁକୁନ୍ଦପୁରସ୍ଥ ତାଙ୍କ ପିତୃମାତୃପରିବାରହୀନ ଗୃହଟା ଖୁବ୍‌ଗହଳିଆ ହୋଇଉଠେ । ଗାଁର ଦଶପନ୍ଦରଜଣ ଯୁବକଙ୍କର ଏକ ମଜ୍‌ଲିସ୍‌ହୁଏ- ଗଞ୍ଜେଇ ଧୂଆଁରେ ମୁକୁନ୍ଦପୁର ମହକିଉଠେ । ଲୋକେ କହନ୍ତି, ଏହି ଦଳଙ୍କ ଆବିର୍ଭାବ ଯୋଗୁଁ ୧୯୦୨ ମସିହାରେ ପଞ୍ଚୁଗାଁର ରଘୁନାଥ ଶୁଣ୍ଢି ପକାଘର ତୋଳିଥିଲା । କଥାଟାକୁ ପରିଷ୍କାର ଦାଣ୍ଡରେ ପକାଇବାକୁ ଗଲେ ରଘୁପଣ୍ଡିତଙ୍କ ଦଳ କେତେଟା ବର୍ଷ ଭିତରେ ମଫସଲରେ ଏତେ ପ୍ରବଳ ହୋଇ ଉଠିଲେ ଯେ, ମଦ, ଗଞ୍ଜେଇ, ଅଫିମ ଦୋକାନମାନ ଶୂନ୍ୟ ହୋଇଗଲା ଏବଂ ଉତ୍କଳ ଦେଶର ସବୁ ଆଡ଼େ ଏହିପରି ଦଳ ବାହରିଥିଲେ ସରକାରଙ୍କ ଆୟ ଏତେ ବଢ଼ିଥାନ୍ତା ଯେ, ଲୋକଙ୍କ ଖଜଣା ଛାଡ଼ ହୋଇଯିବାର କେହି କେହି ଆଶଙ୍କା ମଧ୍ୟ କରିଥିଲେ ।

 

ଘରର ସକଳ ସମ୍ପତ୍ତି, ଦାଣ୍ଡ ଏବଂ ବାଡ଼ିଦୁଆରର ପଥରପାହାଚ ବିକା ସିଲା ପରେ, ପଣ୍ଡିତଙ୍କର ବୈରାଗ୍ୟୋଦୟ ହେଲା । ସେ ଅର୍ଦ୍ଧମୁଦ୍ରିତ ନେତ୍ରରେ ଘରକୋଣରେ ବସିରହିଲେ । ତାଙ୍କର ସେ ସମୟର ଅବସ୍ଥା ଦେଖିଲେ ଯେଡ଼େ ଛାତି-ଟାଣ ଲୋକର ମଧ୍ୟ ଭୟହୋଇଯିବ । ଆଖି ଖୋଳ, ଖୋଳ ବାଳ ଭୁତୁରୁ ଭୁତୁରୁ, ଥୋଡ଼ ଶୁଷ୍କ, ବୁକୁହାଡ଼ ଦଶହାତ ଦୂରରୁ ଗଣିହେଉଛି, ଶିରା ମାଳମାଳ ହୋଇ ଚମ ଫୁଟି ଦିଶୁଛି । ସେ ଏପରି ଭାବରେ କେବେହେଲେ ଘରେ ବସନ୍ତି ନାହିଁ । ତାଙ୍କର ଏ ଭାବାନ୍ତର ଦେଖି ପତ୍ନୀ ଆସି କହିଲେ - ‘‘ଆଜି କ’ଣ ପେଟ ପୋଡ଼ିବାକୁ କିଛି ମିଳିଲା ନାଇଁକି ? ଗୁଲିଆସାଙ୍ଗେ ତ ପାଣ ସାହିରେ ଚାହିଁଥିବେ, ଏଠି କାଇଁକି ଇମିତି ପୋଡ଼ାହେବାକୁ ହେଲା ?’’

 

ପଣ୍ଡିତେ ଆଖିପତାକୁ ଧୀରେ ଧୀରେ ଟେକି କହିଲେ, ‘‘ଜାଣିଲ, ଏ ସଂସାର କିଛି ନୁହେଁ-। ଏ ମୋହ-ମାୟା-’’

 

ଗୃହିଣୀ ମୁହଁରେ ଏକ ଅସ୍ୱାଭାବିକ ବିକାର ଦେଖାଇ ନାକ ଛିଞ୍ଚାଡ଼ି କହିଲେ; ‘‘ମୋ ମାଆ ଲୋ, କାଲି ସୂର୍ଯ୍ୟେ ପଶ୍ଚିମରୁ ଉଇଁବେ ପରା ! ଆଜି ଏ ଧରମ କଥା କୁଆଡ଼ୁ ଆସିଲା ମ !’’

 

‘‘ଏ ମୋହ-ମାୟା ସଂସାର, ଧନଜନ, ପତିପତ୍ନୀ କେହି କାହାର ନୁହନ୍ତି । ଖାଲି-’’

 

‘‘ଖାଲି ମଦ, ଗଞ୍ଜେଇ, ଗୁଲି ତମର । ଆଜି କ’ଣ ପେଟ ପୋଡ଼ିବାକୁ ମିଳିନାଇଁ ପରା ! ନଇଲେ କାହିଁକି ଧନଜନକୁ ଏତେ ନିନ୍ଦା ହୁଅନ୍ତା ?’’

 

ପଣ୍ଡିତେ ହାତରେ ଠାରି କହିଲେ-‘‘ଭଗବାନ ସବୁ କରୁଛନ୍ତି । ବଣ ପର୍ବତ, ବିଲ ପଡ଼ିଆ ତାଙ୍କର ଦୟାରୁ- ଏ ଘରସଂସାର ତାଙ୍କରି ଅନୁଗ୍ରହରୁ । ଏ ରଘୁ ପଣ୍ଡିତ ତାଙ୍କରି ସନ୍ତାନ-ତାଙ୍କରି ଆଦେଶରେ ଏ ଗଞ୍ଜେଇ ଖାଉଥିଲା, ମଦ ପିଉଥିଲା, ପୁଣି ତାଙ୍କରି ଦୟାରୁ ଆଜି ସବୁ ଛାଡ଼ିବାକୁ ଜିଦ୍‌ଧରି ବସିଛି । ଖାଲି ଛାଡ଼ିବାକୁ ବସି ନାହିଁ, ଏ ସଂସାର ମୋହ ତୁଟାଇ ସନ୍ନ୍ୟାସୀ ହୋଇ ଯିବାକୁ ବସିଛି । ଆଜି ରଘୁପଣ୍ଡିତଙ୍କ ଉପରେ କରୁଣାମୟ ଭଗବାନଙ୍କର ଶୁଭଦୃଷ୍ଟି ପଡ଼ିଛି । ଜୟ ଶମ୍ଭୋ ! ହର ହର ବଂବଂ ଭେଳାନାଥ !’’

 

ଏ ଧର୍ମତତ୍ତ୍ୱ ଏବଂ ଏ ଗର୍ଜନ ଶୁଣି ଚମ୍ପାବତୀ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ପାଟିକରି କହିଲେ, ‘‘ମଦ ଖାଇଲ କି ମାଟି ଖାଇଲ କି ଠୁଙ୍ଗା ଖାଇଲ; ଏ ଘରେ କାଇଁକି ଆଜି ନାଟ ଲାଗିଛି ? ଯା, ପୋଡ଼ିଯା, ଜଳି ଯା, ବାବାଜୀ ହୋଇ ଯା, ସନିଆସି ହୋଇ ଯା, ଏଠି ଏତେ ନାଟ କିଆଁ ?’’ -କହି ସେ ଦ୍ରୁତ ପଦବିକ୍ଷେପରେ ଅନ୍ୟ ଘରକୁ ଚାଲିଗଲେ ।

 

ଚମ୍ପାବତୀଙ୍କ ପରି ସୁଗୃହିଣୀ ମୁକୁନ୍ଦପୁର ଗୋଟାକଯାକରେ ନ ଥିବେ । ଦୁର୍ଦ୍ଦାନ୍ତ, ଅତ୍ୟାଚରୀ ‘ପତି-ଦେବତା’ଙ୍କ ପାଇଁ ଯେ ସେ କେତେ ଦୁଃଖକଷ୍ଟ ସହିଛନ୍ତି, ଲେଖିବସିଲେ ରାମାୟଣପୋଥି ହେବ । ତାଙ୍କରି ପାଇଁ ସେ କେତେ ରାତି ଅନିଦ୍ରାରେ କଟାଇଛନ୍ତି, କେତେ ଦିନ ଅନାହାରରେ ରହିଛନ୍ତି । ପତିଙ୍କ ମଦଖିଆ ଅତ୍ୟାଚାରରେ ବାଧ୍ୟହୋଇ ଦେହରୁ ଅଳଙ୍କାର କାଢ଼ି ଦେବାକୁ ପଡ଼ିଛି । ତଥାପି ସେ ଦିନେ ହେଲେ ପତି ଭଲହେବା ଆଶା ଛାଡ଼ି ନାହାନ୍ତି । ସାଇପଡ଼ିଶା ଲୋକେ ତାଙ୍କୁ ଶୁଣ୍ଢିଆଣୀ, ଚୋରଣୀ ବୋଲି ଦେଖେଇ ଦେଖେଇ କହନ୍ତି; ମାତ୍ର ସେଥିରେ ସେ ମନଦୁଃଖ କରନ୍ତି ନାହିଁ । ଭାବନ୍ତି, ଭଗବାନ ଦିନେ ହେଲେ ମୋ ପତିଙ୍କୁ ସୁପଥକୁ ଆଣିବେ ।

 

ଚମ୍ପାବତୀ ଅନ୍ୟଘରକୁ ଚାଲିଆସି ଭାବିଲେ, ‘‘କେବେ ତ ଏ କଥା ଶୁଣା ନାହିଁ, ସତେ କ’ଣ ଭଲ ବୁଦ୍ଧି ଆସିଲା ? ପ୍ରଭୁ ହେ ! ତାଙ୍କୁ ସନ୍ନ୍ୟାସୀ କରି ବାବାଜୀ କରି ଛାଡ଼ିଦିଅ; ମାତ୍ର ସେହି ରାକ୍ଷଷୀ ନିଶା ପାଖେ ପକାଇ ଘାଣ୍ଟ ନାହିଁ ।’’

 

ଚମ୍ପାବତୀ ଥିର୍‌ ଥିର୍‌ ଯାଇ ଦୁଆରକୋଣରେ ଚାହିଁ ଦେଖିଲେ, ପଣ୍ଡିତେ ସେହିପରି ବସିଛନ୍ତି । ତାଙ୍କ ଆଖି ଦୁଇଟି ଉଜ୍ଜ୍ୱଳ ଦେଖାଯାଉଛି । ସେ ଥରକୁ ଥର ଗମ୍ଭୀରୀଘର ଭିତରକୁ ଯେଉଁ ଘରେ ଦିଅଁ ଥା’ନ୍ତି - ସେହି ଘର ଭିତରକୁ ଚାହୁଁଛନ୍ତି ଏବଂ ବେଳେବେଳେ ଘର ବାହାରେ ଅନନ୍ତ ଆକାଶକୁ ଚାହୁଁଛନ୍ତି । ଚମ୍ପାବତୀ ଭାବିଲେ,‘‘ନା, ମା ବୁଢ଼ୀସା’ନ୍ତାଣୀ ମୋ ଗୁହାରୀ ଶୁଣିଛନ୍ତି-। ଏତେ ଦିନ ଚମ୍ପାଫୁଲେ ଚଢ଼େଇ, ଗଇଶଫୁଲ ଦେଇ ପୂଜାକରିଛି, ପ୍ରଭୁ ନୀଳକଣ୍ଠେଶ୍ୱରେ ଆଜି ଦୟା କଲେ ପରା !’’ ତାଙ୍କ ଆଖି ଦୁଇଟି ଆନନ୍ଦରେ ଛଳ ଛଳ ହୋଇଆସିଲା । ସେ ଲୁଚିକରି ରହିନପାରି ଘରଭିତରକୁ ପଶିଗଲେ । ପଚାରିଲେ, ‘‘ଆଜି କ’ଣ ଦେହ ଅସୁଖ ଲାଗୁଛି କି ? ଟିକିଏ ହେଲେ ଶୋଇପଡ଼ । ଇମିତି ବସିଚ କିଆଁ ?’’

 

ପଣ୍ଡିତେ ଏ ଦୀର୍ଘ ହାଇ ତୋଳି ମୁହଁଟାକୁ ଗମ୍ଭୀର କରି କହିଲେ ‘‘ହୁଁ. . . କିନ୍ତୁ ଆଉ ବେଶୀ ଦିନ ନୁହେ । ପତି ନାରୀର ଦେବତା- ସର୍ବସ୍ୱ, ଏହା ପୁରାଣରେ ଅଛି । ପଣ୍ଡିତଙ୍କ ଏହି ଉକ୍ତିରେ ଏତେ ଗାମ୍ଭୀର୍ଯ୍ୟ, ଏତେ ନୈରାଶ୍ୟ, ସଂସାର ପ୍ରତି ଏତେ ବିରକ୍ତି ପୂରିରହିଥିଲା ଯେ ଚମ୍ପାବତୀଙ୍କ ବୁକୁଟା ଧଡ଼୍‌କିନା ପଡ଼ିଗଲା । ସେ ଆହୁରି ବ୍ୟଗ୍ରଭାବରେ ତାଙ୍କୁ ଚାହିଁଲେ ।

 

ପଣ୍ଡିତେ ଧୀରେ ଧୀରେ ଆରମ୍ଭକଲେ- ‘‘ଏ ଦୁର୍ଗନ୍ଧ ସଂସାର ମାୟାରୁ ଅଲଗା ହୋଇ ରହିବି; ବୁଝିଲ ? ମାତ୍ର ତାହା ପୂର୍ବରୁ ମୋତେ କେତେଟା ଦିନ ସାଧନା କରି ସିଦ୍ଧିଲାଭ କରିବାକୁ ହେବ । ସେଥିପାଇଁ ନିରୋଳା ସ୍ଥାନଟିଏ ଦରକାର । ଏ ଆମ ଦିଅଁଙ୍କ ଘରଟା ହୁଅନ୍ତା; ମାତ୍ର ଦେଖୁଛି ଏହା ସେତେ ନିରାପଦ ନୁହେଁ । ସେଠିକି ତୁମ ପାଟି ନ ଶୁଭିଲେ ମଧ୍ୟ ପାଦ ଶବ୍ଦ ଶୁଭିପାରେ । ତାହାହେଲେ ସାଧନାରେ ବାଧା ପଡ଼ିବ । ତେଣୁ ମୁଁ ନୟାଗଡ଼ ମୁକ୍ତେଶ୍ୱରଙ୍କଠାରେ ସାଧନା କରିବାକୁ ଭାବୁଛି । କାଲି ସକାଳୁ ଯିବାକୁ ହେବ ।’’

 

ଚମ୍ପାବତୀଙ୍କ ମନଟା ଏକାସମୟରେ କେତେ ଗୁଡ଼ାଏ ଭାବନାରେ ଏଣେ ତେଣେ ଅଡ଼ୁଆ ହୋଇଗଲା । ସେ କିଛି ଉତ୍ତର ଦେଇ ପାରିଲେ ନାହିଁ । ଖାଲି ଏତିକି କହିଲେ, ‘‘ହେ ଜଟିଆବୁଢ଼ା ଶୁଭ ବରଷ । କିମିତି ସାଧନା ସାରି ଫେରିଆସିବେ ।’’

 

ଏତେଦିନ ପତି ଭଲେ ବାଟକୁ ଫେରିଛନ୍ତି, ଦିଅଁ ଦେବତାଙ୍କ କଥା ଭାବୁଛନ୍ତି, କାଲି ସକାଳୁ ମୁକ୍ତେଶ୍ୱର ଯିବେ- ଏହା ଛଡ଼ା ଚମ୍ପାବତୀଙ୍କ ମନରେ ଆଉ କିଛି ଭାବନା ନାହିଁ । ଘରେ ଯାହା ଥିଲା, ଶାଗ ଭାତ ରାନ୍ଧିଲେ, ପତିଙ୍କ ପାଖେ ବସି ନାନାକଥା ହେଲେ । ପଣ୍ଡିତେ କହିଲେ, ‘‘ଯାଉଛି ଯେ ଚାରିଦିନ ପରେ ଫେରିବି । ଦେଖୁଚ ତ ଗାଁରେ ଚୋରଗୋଳ । ଟିକିଏ ସାବଧାନରେ ଥିବ । ଘରେ କେଉଁଠି ଖଡ଼୍‌ଖାଡ଼୍‌ହେଲେ ତମେ ଆଗ ଦୁଆର ଫିଟାଇବ ନାହିଁ । ଶୁଣୁଛି, ଚୋରଗୁଡ଼ାକ ହାତରେ ହତିଆର ନେଇ ଆସୁଚନ୍ତି । ଆଉ ଗୋଟିଏ କଥା, ଦିଅଁଙ୍କ ଘରଟାକୁ ରାତିରେ ମେଲା କରିଥିବ । ମୁଁ ମୁକ୍ତେଶ୍ୱରଙ୍କଠାରେ କାଲି ରାତି ଦୁଇପହରକୁ କୁଳଦେବତାଙ୍କୁ ଆବାହନ କରିବି । ମନେ ରଖିଲ ?’’

 

ମଙ୍ଗଳ ରାତି ବୁଧ ପାହାନ୍ତି-ଶୁଭବେଳା ଦେଖି ପଣ୍ଡିତେ ସିଦ୍ଧିଲାଭ ପାଇଁ ଘରୁ ବାହାରିଲେ। ବାସ୍ତବିକ ସେ ସମୟଟାରେ ଚୋରଭୟ ଯୋଗୁଁ ବେଳ ବୁଡ଼ୁବୁଡ଼ୁ ମୁକୁନ୍ଦପୁର ଗାଁରେ ତାଟି କବାଟ ପଡ଼ିଯାଏ । ପୁଲିସ ଜଗି ଜଗି ହାଲିଆ । ଆଜି ପୁଞ୍ଜିବର ଦିଅଁଙ୍କ ଘରୁ ଚୋରି ଗଲା ତ, କାଲି ଗୋପାଳପୁର ନନ୍ଦଙ୍କ ଖଣିରେ ଧାନ ନାହିଁ; ପରଦିନ ବାଟଗାଁ ମହନ୍ତଙ୍କ ମାତାଙ୍କ ଉପରେ ନିର୍ଧୁମ ମାଡ଼; ତା’ ଆରଦିନ ଛତ୍ରପଡ଼ା ନାହାକାଣୀଙ୍କ ନୋଥ ଥିବା ନାକପୁଡ଼ାଟା ନାହିଁ । ଏହିପରି କେତେ କିସମର କେତେ କଥା ଶୁଣାଯାଏ ।

 

ଅମାବାସ୍ୟା ତିଥି- ରାତି ତିନି ଘଡ଼ି ହେବ । ମୁକୁନ୍ଦପୁର ଗାଁରେ ବୁଢ଼ୀମଙ୍ଗଳାଙ୍କ ବିଜେ ଘଣ୍ଟ ବାଜିଗଲା । ଗାଁ ଭିତରେ ନଡ଼ିଆଗଛ ଗହଳି, ନିଜକୁ ଚିହ୍ନିବା ସେ ଅନ୍ଧାରରେ ବଡ଼ କଷ୍ଟ । ହଠାତ୍‌ ଏହି ସମୟରେ ପଣ୍ଡିତଙ୍କ ଘରେ ଦୁମ୍‌କିନି ଗୋଟେ ଶବ୍ଦ ହେଲା । ତା’ ପରେ ଦୁମ୍‌ଦାମ୍‌, ଠକ୍‌ଠାକ୍‌ ଧଡ଼୍‌ଧାଡ଼୍‌ ହୋଇ ପାଞ୍ଚ ମିନିଟ୍‌ଚାଲିଗଲା । ତା’ ପରେ ପାଟି ଶୁଭିଲା-ଚୋର, ଚୋର, ଚୋର !’’

 

ଚୋର ଡ଼ାକ ଶୁଣି ସମସ୍ତେ ଧାଇଁଲେ ପଣ୍ଡିତଙ୍କ ଘର ଆଡ଼କୁ । ପଣ୍ଡିତେ ସିଦ୍ଧିଲାଭ କରିବା ପାଇଁ ଦିନକ ତଳୁ ଦୂରକୁ ଯିବା କଥା ସମସ୍ତେ ଜାଣିଥିଲେ ।

 

କିନ୍ତୁ, ଏ କି ବିପଦ ! ଗାଁଲୋକେ ପଣ୍ଡିତଙ୍କ ଘରେ ପଶି ଦେଖିଲେ, ତାଙ୍କ ଦିଅଁଙ୍କ ଘର ଦୁଆରେ ରକ୍ତ ସଲବଲ ହୋଇ ଜଣେ ଲୋକ ଶୋଇଛି । ତା’ ଉପରେ ଲୁଗା ଖଣ୍ଡେ ପଡ଼ିଛି । ଓଳିତଳେ ପନିକିଟାଏ, ମୁଣ୍ଡ ଉପରେ ଦୁଇ ଚାରିଟା ମୁଣ୍ଡା ଛୁଞ୍ଚୁଣୀ । ତାର ଟିକିଏ ଉପରକୁ ହାଣ୍ଡିଗୁଡ଼ାଏ ଭାଙ୍ଗି ଗୁଣ୍ଡା ହୋଇପଡ଼ିଛି । ଗୃହିଣୀ ଚମ୍ପାବତୀ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି ।

 

ଏ ରହସ୍ୟ ଭିତରେ କିଏ ପଶିବ ? କାହାକୁ ପଚାରିଲେ କିଏ କିଛି କୁହନାହାନ୍ତି । ଅଗଣାଟାଯାକ ଲୋକରେ ପୂର୍ଣ୍ଣ ହୋଇଗଲା । ତାହା ପରେ ବହୁ ଅନୁସନ୍ଧାନରେ ଯାହା ଜଣାପଡ଼ିଲା, ତାହା ହେଉଛି-

 

ପଣ୍ଡିତେ ମନ୍ତ୍ର ସାଧିବା ପାଇଁ ଘରୁ ଗଲାବେଳେ ଚମ୍ପାବତୀଙ୍କୁ କାନେ କାନେ କହିଯାଇଥିଲେ ଯେ ଦିଅଁଙ୍କ ଘର ଦୁଆର କିଳିବୁ ନାହିଁ । ମାତ୍ର ଚମ୍ପାବତୀ ମହାବିପଦରେ ପଡ଼ିଲେ । ସେହି ଘରଟି ତାଙ୍କର ନିବୁଜ ଘର । ନିଶାଖୋର ପତିଙ୍କ କବଳରୁ ଲୁଚାଇ ଲୁଚାଇ ସେ କେତୋଟି ଟଙ୍କା ଦିଅଁଙ୍କ ପିଣ୍ଡିତଳେ ପୋତିଥିଲେ । ଦିନେ ଗୁରୁବାରରେ ସେଠାରେ ଦୁଧଚାଉଳ ଫୁଲ ଚନ୍ଦନ ଦେଲାବେଳେ ପଣ୍ଡିତଙ୍କ ତୀକ୍ଷ୍ଣ ଦୃଷ୍ଟି ସେଠାରେ ପଡ଼ିଲା । ମାତ୍ର ଗୃହିଣୀ ସେକଥା ଜାଣନ୍ତି ନାହିଁ। ଘରେ ଯାହା କିଛି ବାସନ, ପନିକି, ମୁଣ୍ଡାଛାଞ୍ଚୁଣୀ, ଆଟିକା ଥିଲା, ପତି ଯିବା ପରେ ଚୋରଭୟ ଯୋଗୁଁ ସେ ଦିଅଁଙ୍କ ଘରେ ନେଇ ଜମାକଲେ ଏବଂ ରାତିରେ ଦୁଆରକୁ ଅଳ୍ପ ଫିଟାଇ ଦୁଆରମୁହଁରେ ଶୋଇଲେ । ସନ୍ଧ୍ୟାବେଳୁ ପଣ୍ଡିତେ ବାଡ଼ିପଟୁ ଆସି ଦିଅଁଙ୍କ ଘର ଚାଳରେ ହାଜର । ନଡ଼ା ଖସ୍‌ଖସ୍, ଚାଳ ମଡ଼ ମଡ଼ ଶବ୍ଦ ଶୁଣି ତେଣେ ଚମ୍ପାବତୀ ଉଠିଲେ । ମାଇକିନିଆ ଲୋକ, ତଥାପି ବୁକୁରେ ସାହାସ ବାନ୍ଧିଲେ । ଓଡ଼ିଆ-ଜାତିରୁ ବୀରାଙ୍ଗନା ଲୋପ ହେଲେଣି ବୋଲି କିଏ ସାହାସରେ କହିବ ? ଚମ୍ପାବତୀ ପନିକି ଧରି ସତର୍କ ହେଲେ । କିଟିକିଟି ଅନ୍ଧାର-ପଣ୍ଡିତଙ୍କ ଲମ୍ବାଲମ୍ବା ସରୁ ଗୋଡ଼ ଯୋଡ଼ାକ ଆସି ପ୍ରଥମେ ଦୁଇ ଚାରିଟା ହାଣ୍ଡି ଉପରେ ପଡ଼ିଲା । ହାଣ୍ଡି ଭାଜିବା ସଙ୍ଗେସଙ୍ଗେ ପଣ୍ଡିତେ ଚିତ୍‌ପଟାଙ୍ଗ ଦେଇ ଓଳିତଳକୁ ଯିମିତି ପଡ଼ିଲେ, ଚମ୍ପାବତୀ ଥାଇ ନିର୍ଘାତିଆ ପନିକି ପାହାର ଦେଲେ । ପନିକିରେ ଦୁଇଚାରି ପାହାର ପରେ ପଡ଼ିଲା ଛାଞ୍ଚୁଣିମୁଣ୍ଡା ହାତରେ । ଚମ୍ପାବତୀଙ୍କ ପାଟି ଶୁଭୁଥାଏ, ‘‘ରଇଜଳା, ଚୋରେଇ ଆସିଚି ! ଧାଇଁ ଆସ ହେ, ଚୋର, ଚୋର, ଚୋର !’’ ଲୋକେ ଧାଇଁଲେ । ଚମ୍ପାବତୀ ଚୁଲି ଫୁଙ୍କି ଦୀପ ଲଗାଇ ଦେଖନ୍ତି ତ ତାଙ୍କ ଆଖି ଉପରକୁ ଖୋସିହୋଇଗଲା । ଗୋଡ଼ହାତରୁ ରକତ ବୋହିଯାଉଛି, ପେଟ ପିଠିକି ଲାଗି ରହିଛି, ପଣ୍ଡିତେ ପଡ଼ିଛନ୍ତି ଓଳିତଳେ । ଚମ୍ପାବତୀ ଟେକିଆଣି, ପଟି ପକାଇ, ପିଣ୍ଡାରେ ଶୁଆଇ ଲୁଗାଟିଏ ଘୋଡ଼ାଇଦେଲେ ।

 

ପଣ୍ଡିତେ ଏଇ ସିଦ୍ଧିଲାଭରୁ ପୂର୍ବ ଅବସ୍ଥାକୁ ଫେରିବା ପାଇଁ ସାତ ମାସ ଲାଗିଥିଲା । ତଥାପି ସିଦ୍ଧିଲାଭର ପନିକି ଚିହ୍ନ ଦେହରୁ ଲିଭିଲା ନାହିଁ । ସେହି ଭିତରେ ସେ ପତ୍ନୀଙ୍କ ସ୍ନେହ, ଆଦର, ପ୍ରେମଛାୟା ତଳେ ସୁସ୍ଥ, ସୁନ୍ଦର, ବଳିଷ୍ଠ ହୋଇଉଠିଲେ । ଏହା ପରେ ସେ ସିଦ୍ଧିଲାଭ ପାଇଁ ଆଉ ଚେଷ୍ଟା କରିଛନ୍ତି କି ନାହିଁ ଅନୁସନ୍ଧାନ କରି ପରେ କହିବୁଁ ।

***

 

ପତିତାର ପୁଅ

 

ହାଃ-ହାଃ-ହାଃ-ଚମ୍ପା ଖୁବ୍‌ପାଟିକରି, ମୁହଁ ବେକ ହଲାଇ, ଷୋଳଶିରା ଫୁଲାଇ ହସି ଉଠିଲା । ସେ ଶବ୍ଦରେ ନିଃଶବ୍ଦ ବୈଠକଘର ଖଣ୍ଡକ ଘନ ଘନ ପ୍ରତିଧ୍ୱନିତ ହୋଇଉଠିଲା । ବୈଠକଖାନାରେ ରୁଦ୍ଧ ବାୟୁକୁ ବିଚଳିତକରି ଶବ୍ଦ ଯାଇ ପାଖ ତୋଟାରେ ଲୀନ ହେଲା । ଘରର ଖୁବ୍‌ଉଚ୍ଚରେ, ପାଖ ବରଗଛର ଗହଳିଆ ଡ଼ାଳରେ ଦୁଇ ଚାରିଟା ବଣି, କୁଆ, କାପତା ବସିଥିଲେ । ଏ ପାଟି ଶବ୍ଦ ଶୁଣି ଫଡ଼୍‌ଫାଡ଼୍‌ ହୋଇ ଉଡ଼ିଗଲେ ।

 

ଚମ୍ପା ହସି ସାରିଲା ପରେ ଗୈାରହରି ପଚାରିଲେ,‘‘ହଁ, ତା’ପରେ କ’ଣ ହେଲା, ଚମ୍ପା-?’’

 

ଚମ୍ପା ଗୁମ୍‌ମାରି ବସିରହିଲା । ତା’ର ସେ ବସିବା ଢଙ୍ଗ, ଚାହିଁବା ପ୍ରକାରରୁ ଜଣାପଡ଼ୁଥିଲା, ସେ ଯେପରି ତା’ ଜୀବନ-ଇତିହାସର ଅକୂଳ ସମୁଦ୍ରକୁ ମନେମନେ ମନ୍ଥନ କରୁଛି-। ସେ ବେଳେବେଳେ ଭ୍ରୂଲତା ଦୁଇଟାକୁ କୁଞ୍ଚିତ କରୁଥିଲା, କେବେ କେବେ ବା ମୁହଁପୋତି ତଳେ ଗାର କାଟୁଥିଲା । ତାର ବଡ଼ବଡ଼ ଚକାଚକା ଆଖି ଦୁଇଟାରେ ସେହି ପ୍ରୈାଢ଼ା ଅବସ୍ଥାରେ ମଧ୍ୟ ଭୋଗବିଳାସର ଏକ ନିବିଡ଼ ମାଦକତା ଲିପିହୋଇ ରହିଥିଲା । ସେ ଚାହିଁଦେଲେ ଜଣାପଡ଼ୁଥିଲା, ଯେପରି କି ସେ ତାର ଆଖି ଆଗର ସକଳ ଜିନିଷକୁ ନିଜ ଭିତରକୁ ଟାଣିନେଉଛି । ଯୈାବନର ଲାବଣ୍ୟପ୍ରଭା ତା’ ଅଙ୍ଗରୁ ନିଃଶେଷ ହୋଇ କେବଳ ସୁରଙ୍ଗ କମଳାର ଶୁଖିଲା ଚୋପାଟା ବାକୀ ପଡ଼ିରହିଥିଲା । ବେଳେବେଳେ ସେ ମୁହଁରେ ତୀବ୍ର ହାସ ଫୁଟିଉଠୁଥିଲେ କ’ଣ ହେଲା, ଓଠ ଦୁଇଟାର ରକ୍ତିମା ଆଉ ନ ଥିଲା । ଚିନ୍ତାରେ ଭାରାକ୍ଲାନ୍ତ ହୋଇ କପାଳର ଚମ କୁଞ୍ଚିତ ହୋଇ ପଡ଼ିଥିଲା । ଖରା ନାହିଁ, ବର୍ଷା ନାହିଁ, ବାରଦ୍ୱାର ବୁଲି ବୁଲି ମୁଣ୍ଡାବାଳ ପାଚିଲିଆ ପଡ଼ିଆସିଥିଲା । ସେହି ଭୁତୁରୁ ଭୁତୁରୁ ବାଳଗୁଡ଼ାକ ମୁହଁର ଚାରିଆଡ଼କୁ ଶିଆଳିଲଗା ଦେଉଳ ଉପରେ ଅନାବନା ଘାସ ଉଠିଲା ପରି ବିଛେଇ ହୋଇ ପଡ଼ିଥିଲା । ଚମ୍ପା ମଝିରେ ମଝିରେ ମୁଣ୍ଡକୁ ଟିକିଏ ଉପରକୁ ଟେକି ବାଁହାତରେ ବାଳଗୁଡ଼ାକୁ ସଜାଡ଼ିଦେଉଥିଲା ।

 

ସେହି ଆଲୁଳାୟିତ କୁନ୍ତଳା, ବିଗତଯୈାବନା, ଗୃହବାସିହୀନା, ଅନାଥିନୀ ପତିତା ଭିକାରୁଣୀର ଗାଁଗାଁ ବୁଲିବା ନିତ୍ୟ ବ୍ୟବସାୟ ଥିଲା । କିଏ ଦେଲେ ଖାଉଥିଲା, ନ ଦେଲେ ମାଗୁ ନ ଥିଲା । ଡ଼ାକିଲେ ଚାହୁଁଥିଲା, ନପଚାରିଲେ କଡ଼ ଆଡ଼େଇ ଚାଲି ଯାଉଥିଲା । ତାକୁ ଚାହିଁ ହସୁଥିଲେ ସେ ହସୁଥିଲା, ହସାଉଥିଲା; ନଚାହିଁଲେ ଆଖି ସୁଦ୍ଧା ଫେରାଉ ନଥିଲା । ତା’ ଆଗରେ କିଏ କାନ୍ଦିଦେଲେ ସେ କାନ୍ଦୁଥିଲା । ସେ ଗୋଟିଏ କଥା ଜଣକର ନାଁ ଛଡ଼ା ବାକୀ ସବୁ କଥା କହୁଥିଲା । ପୁରାଣ ଗାଇଲା ପରି ଜୀବନର ସୁଖଦୁଃଖମୟ ଇତିହାସର ଅଧ୍ୟାୟେ ସେ ଗାଇଗଲା ବେଳେ ହଠାତ୍‌ କାହା ନ କହିବା ଆଗରୁ ଥକ୍‌କାମାରି ରହିଯାଉଥିଲା-ସତେ ଯେପରି ତା’ ତୋଟିକୁ କିଏ ଚିପିଧରୁଥିଲା ।
 

ଗୈାରହରି ପୁଣି ପଚାରିଲେ, ‘‘ଆଚ୍ଛା, କହିଲୁ ଚମ୍ପା, ସେ ଲୋକଟି କିଏ ?’’

 

ଏହା ପଚାରି ଗୈାରହରି ପାଖରେ ଥିବା ବ୍ୟକ୍ତିଙ୍କ ପ୍ରତି ବକ୍ରଦୃଷ୍ଟିରେ ଚାହିଁ ଠୋ’ କରି ହସିଉଠିଲେ । ସେ ହସରେ ବୀଭତ୍ସତା ପୂରାମାତ୍ରାରେ ରହିଥିଲା । ତାଙ୍କର ପାନ ପଚପଚ ପାଟିର ଗନ୍ଧରେ ଘରଟା ଚମକି ପଡ଼ିଲା । ପାଖରେ ବସିଥିବା ବ୍ୟକ୍ତି ମୁହଁ ଫେରାଇଦେଲେ । ସେ ଘରେ ଯେଉଁମାନେ ବସିଥିଲେ ସମସ୍ତେ ସେହି ବୈଠକି ଦଳର । ଗୈାରହରିଙ୍କ ଇଙ୍ଗିତ ବୁଝି ସମସ୍ତେ ଏକାବେଳକେ ହସର ଜୁଆର ଫିଟାଇ ଦେଲେ ।

 

କୋକେନ ନିଶାରେ ବୈଠକଖାନାର ମାଲିକ ବଂଶୀଧାରୀ ପଟ୍ଟନାୟକେ ଆଖିକୁ ଅଧା ଫିଟାଇ, ମୁଣ୍ଡକୁ ହଲାଇ ହଲାଇ କହିଲେ-‘‘ନା, ସେ ନାଁଟା ସେ ତୁମକୁ କହିବ ନାହିଁ, ମୋତେ କହିବ- ନୁହେ ଚମ୍ପା ?’’

 

କିନ୍ତୁ ଆଶ୍ଚର୍ଯ୍ୟର କଥା, ସେଦିନ ଚମ୍ପାର କଥାବାର୍ତ୍ତା ଢଙ୍ଗଢାଙ୍ଗରେ ଘୋର ପରିବର୍ତ୍ତନ ଘଟିଥିଲା । ସେ ଅନ୍ୟ ଦିନ ପରି ଏକଲୟରେ ହସୁ ନ ଥିଲା, କିଏ ପଚାରିଲେ ସାଙ୍ଗେସାଙ୍ଗେ ଉତ୍ତର ଦେଉ ନ ଥିଲା । ଚାରିଦିନ ହେଲା ସେ ପାଇକପୁର ଗାଁରେ ଦେଖାନଥିଲା- ହଠାତ୍‌ସକାଳେ ଆସି ପହଞ୍ଚିଥିଲା ।

 

ଚମ୍ପାକୁ ଲୋକେ ଜାଣନ୍ତି, ସେ ପାଗଳିନୀ ବା ବାୟାଣୀ ବୋଲି । କାରଣ ବେଳେବେଳେ ସେ ଏପରି ଜୋର୍‌ରେ ହସୁଥିଲା ଯେ, ମନେହେଉଥିଲା ସତେ ଯେପରି ସମସ୍ତ ସୃଷ୍ଟିକୁ କୈାଣସି ଅଭାବ ଦୃଷ୍ଟିରେ ବଡ଼ ତାତ୍ସଲ୍ୟ ଭାବରେ ହସି ଉଡ଼ାଇ ଦେବାକୁ ଚେଷ୍ଟା କରୁଥିଲା-। କେବେ ପୁଣି ଏପରି ନୀରବରେ ଗମ୍ଭୀର ମୂର୍ତ୍ତି ଧରି ବସୁଥିଲା ଯେ, ତାକୁ ଦେଖିଲେ ଧାରଣା ହେଉଥିଲା କୈାଣସି ତପଃକ୍ଲିଷ୍ଟା ଦେବୀ ସତେ ଅବା କୈାଣସି ଏକ ନିଗୂଢ଼ ଯୋଗସାଧନାରେ ରତ-

 

ଆଜିକି ଦଶବର୍ଷ ତଳେ ଚମ୍ପା ପାଇକପୁର ଅଞ୍ଚଳରେ ଦେଖାଦେଇଥିଲା । ତା’ର ଗାଁ କେଉଁଠାରେ କିଏ ଜାଣନ୍ତି ନାହିଁ; ତା’ର ପ୍ରକୃତ ନାଁ ମଧ୍ୟ କାହାରିକୁ ଜଣାନାହିଁ । ତା’ର ଚମ୍ପାଫୁଲ ପରି ଗୋରା ତକତକ ଦେହକୁ ଦେଖି ଆଗ ଆଗ କେତଜଣ ତାକୁ ଥଟା କରି ଡ଼ାକିଲେ, ‘ଚମ୍ପା’, ସେହିତ ଦିନୁ ତା’ର ନା ରହିଗଲା ‘ଚମ୍ପା’ । କ୍ରମେ ତାକୁ ଗାଁର କୁଳଭୁଆସୁଣୀଠାରୁ ଅଶୀବର୍ଷର ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଡ଼ାକିଲେ ଚମ୍ପା ବୋଲି ।

 

ଚମ୍ପା ନିଜର ପରିଚୟ ଯାହା ଦିଏ, ସେତିକିରେ ତାକୁ ପ୍ରକୃତରେ ଚିହ୍ନିବା ସହଜ ନୁହେ । ସେ ଏ ଅଞ୍ଚଳରେ ଦେଖାଦେଲା ବେଳକୁ ବୟସ ଖସିଆସିଥିଲା; ମାତ୍ର ଆଖି, କଥାବାର୍ତ୍ତା, ଚାଲିଚଳନରେ ଯୈାବନସୁଲଭ ସଜୀବତା ଲୋପ ହୋଇ ନ ଥିଲା । କି କାରଣରୁ ଯେ ସେ ଘରଦ୍ୱାର ଛାଡ଼ି ଅନାଥିନୀ ପରି ଦୂରଦେଶକୁ ସାହାସାଥି ନ ଥାଇ ଆସିଥିଲା, ସେକଥା ସେ କହିବାକୁ ବରାବର କୁଣ୍ଠିତ ଥିଲା ।

 

ସେ ଯେଉଁ ଦିନ ପାଇକପୁରରେ ଦେଖା ଦେଇଥିଲା, ତା’ ଦେହରେ ଥିଲା ଅତି ପୁରୁଣା ପାଞ୍ଚଠା ଲଥାପଡ଼ିଥିବା ଏକ ତିନିପଟିଆ ଧୋତି । ସେହି ଖଣ୍ଡିକ ତାର ଲୁଗା ମଧ୍ୟରେ ସର୍ବସ୍ୱ । ସେହି ଖଣ୍ଡିକରେ ସେ ଲଜ୍ଜା ନିବାରଣ କରେ, ଗାଧୋଇ ଓଦାକରି ପିନ୍ଧେ, ରାତିରେ କାନିଏ ପାରି ଶୁଏ । କୁଳରମଣୀର ଢ଼ଙ୍ଗଢ଼ାଙ୍ଗ ଯେ ତା’ଠାରେ ନଥିଲା ଏପରି ନୁହେ; ମାତ୍ର କେତେକ ବ୍ୟବହାର ଦେଖି ମନେହେଉଥିଲା, ତା’ର ମସ୍ତିଷ୍କ ବିକୃତି ଘଟିଛି । ତହିଁରେ ପୁଣି ଅବାଟରେ ସେ ନିଜକୁ ଏଡ଼ାଇ ପାରୁ ନ ଥିଲା । ତେଣୁ ପଦେ ପଦେ ତାକୁ ଶଙ୍କିତ ଭାବରେ ବଡ଼ ସତର୍କରେ ପାଦ ଚାଳିବାକୁ ପଡ଼ୁଥିଲା ।

 

ଚମ୍ପାକୁ କିଏ କେତେ ପ୍ରକାର ନାଁରେ, କେତେ ଢ଼ଙ୍ଗ-ଢ଼ାଙ୍ଗରେ ଥଟ୍ଟା ଉପହାସ କରି ଡ଼ାକନ୍ତି; ସେ କିନ୍ତୁ କିଛି ଅପମାନ ବୋଧ କରେ ନାହିଁ । ପରଦ୍ୱାରରେ ଭିକ ମାଗି ବୁଲୁଥିବା ଅନାଥିନୀକୁ ଯେ ଭାବରେ ଡ଼ାକିଲେ ମଧ୍ୟ ସେ ସେଥିର ପ୍ରତିକାର ବା କ’ଣ କରିବ ? ସେ ବେଳେବେଳେ ମୁଣ୍ଡପୋତି ଚାଲେ, ବେଳେବେଳେ ସିଧା ସିଧା ଉତ୍ତର ଦିଏ ।

 

ଚମ୍ପା କେବେ କେବେ ତା’ର ଆତ୍ମ-କାହାଣୀ କହିବସେ । ପିଲାଦିନୁ ସେ ମାଆମୁହଁ ଦେଖିନାହିଁ । ତା’ର ମନେଅଛି, ତା’ ବାପ ଦିନେ ତାକୁ କାଖକରି ପଞ୍ଚୁଦୋଳ ଯାତ୍ରା ଦେଖାଇନେଇଥିଲା । ସେତିକି ମାତ୍ର ସେ ବାପ ବିଷୟରେ ଇତିହାସ ଜାଣେ । ତା’ପରେ ସେ କିପରି ମାଉସୀ ଘରେ ରହିଲା, କିପରି ତା’ର ଯୈାବନଟା କଟିଲା, କିପରି ତାକୁ ପ୍ରଥମେ ଅଣବାଟରେ ଗୋଡ଼ ଦେବାକୁ ପଡ଼ିଲା, ଅଳ୍ପ କେତେଦିନ ମଧ୍ୟରେ ତା’ ଘର କିପରି ଧନସମ୍ପଦରେ ଉଛୁଳି ଉଠିଲା, କିପରି ସେ ଗାଁର କେତେ ଯୁବକଙ୍କୁ ଆଖି ପଲକରେ ନିଜ ପାଖକୁ ଟାଣିଆଣିପାରିଥିଲା ଇତ୍ୟାଦି, ଇତ୍ୟାଦି କଥା କହିବସେ । କହୁ କହୁ ତା’ ଆଖିରେ ଲୁହ ଦେଖାଦିଏ; କିନ୍ତୁ ତା’ପରେ ହେଲା କ’ଣ ? କାହିଁକି ସେ ଅନାଥିନୀ ବେଶରେ ଏଣେ ତେଣେ ବୁଲି ମାଗି ଖାଉଚି, ତା’ର ସେ ଧନସମ୍ପତ୍ତି କୁଆଡ଼େ ଗଲା, କିଛି କହେ ନାହିଁ ।

 

ଗାଁରେ କୁରୁଚୁଣ୍ଡିଆ ଭେଣ୍ଡିଆମାନେ ଚମ୍ପାକୁ ଘେରିବସି ପଚାରନ୍ତି ଯେ ସେ ଲୋକଟି କିଏ, ଯାହା ଘେନି ସେ ଘରୁ ବାହାରହେଲା; ମାତ୍ର ଚମ୍ପା କହେନାହିଁ ।

 

ସେ ଦିନ ଚମ୍ପା ବୈଠକଖାନାରେ କିଛି କହିଲା ନାହିଁ । ବୈଠକୀ ଦଳଙ୍କ ରସିକତାପୂର୍ଣ୍ଣ ହସରେ ତା’ ହୃଦୟରୁ ଟିକିଏ ହେଲେ ରସ ନିଗିଡ଼ିଲା ନାହିଁ । ତା’ ଆଖିର ଦୁଇଟି ପତା କ୍ରମେ ଓଦା ହୋଇ ଆସିଲା । ହଠାତ୍‌ସେ ସେଠାରୁ ଉଠି ଚାଲିଗଲା ।

 

ଏ ଘଟଣାର ଦୀର୍ଘ ଦଶମାସ ପରେ ଚମ୍ପା ଦିନେ ଆସି ପାଇକପୁରରେ ଦେଖାଦେଲା । ସେତେବେଳକୁ ଜଗତରେ ବସନ୍ତ ଯାଇ ରୁକ୍ଷ ବୈଶାଖ ମାସର ରାଜୁତି । ପାଇକପୁରର ଗଛପତ୍ର ଶୁଷ୍କ ନୀରସ ଦେଖାଯାଉଥିଲା । ତହୁଁ ବଳି ଚମ୍ପାର କେଶ ଆହୁରି ରୁକ୍ଷ ହୋଇପଡ଼ିଥିଲା । ତା’ ଆଖିର ପୂର୍ବ ଜ୍ୟୋତି ନ ଥିଲା; ଚାଲିରେ ଚଞ୍ଚଳତା ନଥିଲା ।

 

ପ୍ରକୃତିର ସେ ରୁକ୍ଷ ନିବିଡ଼ ନିର୍ଜନତା ମଧ୍ୟରେ ପାଇକପୁରର ଜୀବଜନ୍ତୁ ଯେଝା ସ୍ଥାନରେ ନୀରବରେ ଥିଲେ । ଖଣ୍ଡିଏ ବହି ଧରି ମୁଁ ମୋର ନିର୍ଜନ କୋଠରୀରେ ବସି ପଢ଼ୁଥିଲି । ମଝିରେ ମଝିରେ ଝାଞ୍ଜି ପବନ ମୋର ପଢ଼ିବା ମୋହ ଭାଙ୍ଗିଦେଉଥିଲା । କେବେ କେବେ କପୋତ ଦିଗନ୍ତନାଦୀ କରୁଣ ଅଥଚ ଗମ୍ଭୀର ସ୍ୱର ମୋର ସେହି କ୍ଷୁଦ୍ର କୁଟୀର ମଧ୍ୟରେ ପ୍ରତିଧ୍ୱନିତ ହେଉଥିଲା । ହଠାତ୍‌ ଦାଣ୍ଡକୁ ଆଖି ଫେରାଇ ଦେଖିଲି, ଚମ୍ପା ଅଳସ ଭାବରେ ସେହି ଉଦୁଉଦିଆ ଖରାକୁ ମୁଣ୍ଡ ଦେଖାଇ ଚାଲିଛି । ବହୁ ଦିନ ପରେ ତାକୁ ଦେଖି ମୋର କୈାତୂହଳ ବଢ଼ିଲା । ଡ଼ାକିଲି, ‘କି ଚମ୍ପା ?’

 

ଆଗ୍ରହଶୂନ୍ୟ ଦୃଷ୍ଟିରେ ଚମ୍ପା ମୋ ଆଡ଼କୁ ଆଖି ଫେରାଇ କହିଲା, ‘‘ବସିଛ ବାବୁ ?’’

 

ମୁଁ ତା’ ପ୍ରଶ୍ନର ଉତ୍ତର ଦେଉ ନଦେଉ ସେ ତା’ ମନକୁ ମୋରି ଆଡ଼କୁ ଆସି ପାଖ ପାହାଚରେ ବସିପଡ଼ିଲା । ମୁଁ ମହା ଅଡ଼ୁଆରେ ପଡ଼ିଲି । ତା’ ସହିତ ଏକାକୀ କଥା ହେବା ଗାଁରେ ପ୍ରଶଂସାର କଥା ନ ଥିଲା । ମୁଁ ଥା-ଥା-ମା-ମା ହୋଇ ତା’ ଆଡ଼କୁ ଚାହିଁଛି, ସେ ହଠାତ୍‌ କହିଉଠିଲା, ‘‘ବାବୁ, ମୋର ପୁଅଟି ମରିଗଲା ।’’

 

‘‘ତୁମର ପୁଅ ? ଥିଲା କେଉଁଠି ?’’

 

‘‘ସେ ଥିଲା ରଥିପୁରରେ । ଶୁଣିନ ବାବୁ କିଛି ଏକଥା ? ଶୁଣ ତେବେ । ଏଇ କଥାଟି ମୁଁ କେବେ କାହାକୁ କହିନାହିଁ ।’’

 

ପ୍ରଥମେ ମନେକଲି, ଏହା ପାଗଳିନୀର ପ୍ରଳାପ; ମାତ୍ର ସେ ଅନର୍ଗଳ ଭାବରେ ତା’ର ଆତ୍ମକାହାଣୀ କହିବାରେ ଲାଗିଲା ।

 

‘‘ସେ ଦିନଟି ମୋର ସଫା ମନେଅଛି ବାବୁ, ଯେଉଁଦିନ ମୁଁ କୁଳରୁ ବାହାରହେଲି । ଗାଁରେ ଚହଳ ପଡ଼ିଲା, ବାଟେ ଘାଟେ ହାଟ ବସିଲା, ‘ରଘୁ ମହାନ୍ତିଙ୍କ ଝିଅ କୁଳରୁ ଗଲା ।’

 

ତେର ବରଷର ବାଳିକା ଥିଲି ମୁଁ । ମୋର ଗୋଡ଼ ଖସିବାକୁ ବହୁତ ବାଟ ଥିଲା । ଗାଁରେ ଦୁଷ୍ଟଲୋକ କମ୍‌ ନଥିଲେ । ମୋର ବାଟ ବନ୍ଦ କରିବାକୁ, ଭଲ ବାଟରେ ଚଳାଇବାକୁ ବାପା, ମା, ଭାଇ କେହି ନ ଥିଲେ । କାଇଁକି ଯେ ମୋର ପାପପଥରେ ଗୋଡ଼ ଖସିଲା, ସେକଥା ମୁଁ କହିପାରିବିନାହିଁ । ମୁଁ ଯେତେ ଭାବିଲେ ସେକଥା ଜାଣିପାରୁନାହିଁ । ମୋର ବୁକୁଟା ସେତେବେଳେ ଦୁମ୍‌ଦୁମ୍‌ ଥରୁଥିଲା, ମୋର ଢଳଢଳ ଦେହଟାକୁ ଜଗତର ଆଉ କାହା ସଙ୍ଗେ ମିଶାଇଦେବାକୁ ମନ ହେଉଥିଲା । ଠିକ୍‌ସେହି ସମୟରେ ମୋର ଗୋଡ଼ ଖସିଲା - ମୁଁ ହେଲି କୁଳରୁ ବାହାର; କିନ୍ତୁ ଏ ଦୋଷେ ମୋର ନୁହେ ବାବୁ । ମୋର ରୂପ ଫୁଟିଆସୁଥିଲା, ମୋର ମନ ଚଞ୍ଚଳ ହେଉଥିଲା; ମାତ୍ର ମୋର କେହି ଆପଣାର ନଥିଲେ, ମୁଁ ବଣର ଦରଫୁଟା ଫୁଲ ପରି ପଡ଼ିରହିଥିଲି । ସେତେବେଳେ ମୋତେ ଯେ ଚାହିଁଲା ସେ ହସିଲା, ବଳପୂର୍ବକ ମୋତେ ଟାଣିନେବାକୁ ଚେଷ୍ଟାକଲା ।

 

ଏ ପରା ବ୍ରାହ୍ମଣ-କରଣ ସମାଜ, ବାବୁ ? କୁଳଭୁଆସୁଣୀଙ୍କୁ ପରପୁରୁଷମାନେ କଥା କହିବା ମନା । କିନ୍ତୁ ଯେଉଁମାନେ ବଳେ ପଶି କୁଳରୁ ମୋତେ ଦାଣ୍ଡକୁ ଟାଣିନେଲେ ତାହା ଦେଖି କେହି କିଛି କହିଲେ ନାହିଁ ! ଶୁଣିଲି, ଦୋଷଟା ମୋର; ଯେ ମୋତେ ଭିଡ଼ିନେଇ ଦାଣ୍ଡର ଅନାଥିନୀ, ଭିକାରୁଣୀ କଲେ ସେମାନଙ୍କର ନୁହେ ! ସେତେବେଳେ ଆଉ କାହାର ସାହା ଭରସା ନପାଇ ଭାବିଲି-ଏ ମୋର ପୂର୍ବଜନ୍ମର ଅଭିଶାପର ଫଳ । ଘରକୁ ଫେରିଲି, କେତେ କାନ୍ଦିଲି, ପ୍ରାୟଶ୍ଚିତ୍ତ ପାଇଁ ଗଲି, ଶାସ୍ତ୍ରକାରଙ୍କ ପାଖେ ପହଞ୍ଚିଲି । ମୋତେ ଦେଖି ଦୁଆର କିଳାହେଲା, ମୋ ପାଇଁ ଜଗନ୍ନାଥଙ୍କ ଦେଉଳରେ ପତିତପାବନବାନା ଉଡ଼ିଲା ନାହିଁ ।

 

ଶେଷକୁ ମୁଁ ଆଉ ଉପାୟ ନଦେଖି ମୋର ଯୈାବନ ତରଙ୍ଗ ବଜାର ମଝିରେ ଖେଳାଇ ବସିଲି । ମୁଁ ଆଜି ଭିକାରୁଣୀ; କିନ୍ତୁ ଦିନ ଥିଲା, ମୋ ଦୁଆରେ କେତେ ଯେ ଭିକାରୀ ଥିଲେ ଏ ଆଙ୍ଗୁଠିରେ ଗଣି କହିପାରିବି ନାହିଁ ।

 

ଏବେ କହିବାକୁ ବୁକୁ ଫାଟିଯାଉଛି ବାବୁ, ମୋର ପାପର ବଜାରକୁ ଏଇମାନେ ଟାଣି ଆଣିଥିଲେ । ଯେଉଁମାନେ ଶାସ୍ତ୍ର ଧରି ଶ୍ଲୋକ ବୋଲୁଛନ୍ତି, ମୋ ଦୁଆରକୁ ଗଲାବେଳେ ସେମାନଙ୍କ ପୋଥିର ଡୋର ଫିଟୁ ନ ଥିଲା । ମୁଁ ସେତେବେଳେ ଏମାନଙ୍କୁ ଦୁଆରୁ ତଡ଼ୁଥିଲି । ମୋ ଦୁଆରର ଭିକାରୀ ଏବେ ମୋତେ ଦାଣ୍ଡର ଭିକାରିଣୀ ବେଶରେ ଦେଖି ମୁହଁରେ ଲୁଗା ଦେଇ ହସୁଚନ୍ତି-ଏଇ ତ ବାବୁ, ସମାଜର କଥା !’’

 

ଚମ୍ପାର ଆଖିରୁ ଦୁଇ ଟୋପା ଲୁହ ବୋହି ପଡ଼ିଲା । ପୁଣି କହିଲା-

 

‘‘ଦିନେ ରଥୀପୁରର ଗୋବିନ୍ଦ ମକଦ୍ଦମେ ମୋ ଦୁଆରେ ଭିକାରୀ ହେଲେ । ମୋ ଆଗେ ଆଞ୍ଜୁଳେ ଟଙ୍କା କୁଢ଼ାଇଦେଇ ବସିପଡ଼ିଲେ । ବାବୁ, ମୁଁ ଧନ ଲୋଭ ସମ୍ଭାଳି ପାରିଲି ନାହିଁ ।

 

କେତେ ମାସ ପରେ ମକଦ୍ଦମ ଦିନେ ଆସି ଦୁଆରେ ହାଜର ହେଲେ । କହିଲେ- ‘‘ରେବତି, ତୋ’ ପୁଅଟିକୁ ମୋତେ ଦେ ।’’

 

ମକଦ୍ଦମଙ୍କର ପୁଅ ନ ଥିଲା । ତୁମେ ଜାଣିଥିବ ବାବୁ, ଦିନେ ତାଙ୍କୁ ତାଙ୍କ ଜାତିର ଗୋଟିଏ ଅନାଥିନୀର ପୁଅ ମିଳିଲା ବୋଲି ଉତ୍ସବ ହେଲା; ସେ ତାଙ୍କର ପୁଅ ନୁହେ, ଏଇ ଚମ୍ପାର-ଏଇ ଅନାଥିନୀ ରେବତୀର ସେ ପୁଅ ।

 

ସେହି ଦିନୁ ବାବୁ, ମୁଁ ଦାଣ୍ଡର ଭିକାରୁଣୀ ହେଲି । ମୋ ରୂପ, ବେଶବାସକୁ ଦୃଷ୍ଟି ରହିଲା ନାହିଁ । ବିଧାତା ମୋ ପେଟରୁ କ’ଣ ନେଇ ଯେ ମକଦ୍ଦମଙ୍କ ଘରେ ଥୋଇଲା କେଜାଣି, ମୋ ଜୀବନଟା ସେ ଆଡ଼କୁ ଦିନରାତି ଟାଣିହେଲା । ମୁଁ ଧନଲୋଭ ଛାଡ଼ିଲି, ଘରଦ୍ୱାର ମୋହ ଛାଡ଼ିଲି । ସବୁ ଗଲା ମକଦ୍ଦମଙ୍କ ଘରକୁ । ମୁଁ ହେଲି ଦାଣ୍ଡର ଭିକାରୁଣୀ । କେବଳେ ସେହି ମୋ ପେଟର ପିଲା ଚାଖଣ୍ଡକ ପାଇଁ ମୁଁ ସବୁ ଭୁଲିଲି । ତୁମେ ଘରେ ଏହାକୁ କହୁଥିବ ‘ମାଆର-ସ୍ନେହ’ । ଏହି ମାଆ ସ୍ନେହରେ ମୋ ଜୀବନଟା ଉଛୁଳି ଉଠିଲା । ମୁଁ ସେ ପାପ-ବଜାର ଛାଡ଼ି ସେହି ଦିନୁ ଏହିପରି ବାୟାଣୀ ହେଉ ବୁଲୁଛି ।

 

ସେ ମୋର ଧନ, ସେ ମୋର ଗଣ୍ଠି, ସେ ମୋ ଜୀବନରୁ ଅଧିକ, ବାବୁ ! ସେ ମୋର ପୁଅ, ମୁଁ ତାକୁ ଦଶମାସ ପେଟରେ ଧରିଥିଲି । ଦାଣ୍ଡରୁ ଗାଳି ପରାଭବ ଥଟ୍ଟା ପରିହାସ ସହେ; ମାତ୍ର ଦଶଖଣ୍ଡ ଗାଁ ବୁଲିବୁଲି ଯାଇ ମକଦ୍ଦମଙ୍କ ଦାଣ୍ଡଦୁଆରରେ ବା ବାଡ଼ିଦୁଆରେ ତା’ ମୁହଁକୁ ଚାହିଁଦେଲେ ମୋର ସବୁ ଦୁଃଖ ପାଶୋରଯାଏ ।

 

ମକଦ୍ଦମ ଜାଣନ୍ତି ସେ ମୋର ପୁଅ; ମାତ୍ର ତାଙ୍କ ଛଡ଼ା ଆଉ କିଏ ଏକଥା ଏ ସଂସାରରେ ଜାଣ ନାହିଁ । ସେ ତ ସଂସାରରୁ ଯାଇଛନ୍ତି । ଆଣିଲା ଦିନ ସେ ଘରେ କହିଥିଲେ ଯେ, ଗୋଟାଇ କରି ବାଟ କଡ଼ରୁ ଆଣିଛନ୍ତି । ସତକଥା ବାବୁ, ଏ ବନ୍ଧୁବାନ୍ଧବ, ଘରଦ୍ୱାର, ସ୍ନେହପ୍ରୀତିହୀନ ରେବତୀ ଜୀବନର ବାଟ କଡ଼ରୁ ସେ ସେହି ପିଲାଟିକୁ ଆଣି ସତକଥା କହିଥିଲେ-। ଏବେ ମୁଁ ସତକଥା କହିଲେ କିଏ ଶୁଣିବ ?

 

ବାବୁ, ଦଶବରଷର ପୁଅ; ତା’ ନାଆଁଟି ଶ୍ରୀପତି । ସେ ଆଉ ନାହିଁ । ସେ ତା’ର ମାଆକୁ- ଯେ ତାକୁ ଦଶମାସ ପେଟରେ ଧରିଥିଲା- ତାକୁ ଆଉ ଦେଖାଯିବନାହିଁ । ବାବୁ, ସେ ସଂସାରରୁ ଯାଇଛି- ମୋର ସଂସାର ଖେଳ ଶେଷହୋଇଯାଇଛି ।

 

ଗ୍ରାମ୍ଫୋନ୍‌ରୁ ସ୍ୱର ବାହାରିଲା ପରି ଚମ୍ପା ଏକା-ରାହାକେ ସବୁ କଥାଗୁଡ଼ାକ କହି ଥକାମାରି ବସିପଡ଼ିଲା । ମୁଁ ଚିତ୍ରପିତୁଳା ପରି ତା’ କଥାଗୁଡ଼ାକ ଶୁଣିଯାଉଥିଲି ।

 

ଚମ୍ପା କହିଲା, ‘‘ଯାଉଛି ବାବୁ ମନହେଲା କହିଦେଲି ।’’

 

ମୁଁ ସ୍ୱପ୍ନ ଦେଖୁଥିଲି କି କଥା ଶୁଣୁଥିଲି, କିଛି ବୁଝିପାରିଲି ନାହିଁ । ଆମ ହଳିଆ ବାଲୁଙ୍କା ଆସି ପଛପଟେ ଠିଆହୋଇ ସବୁ ଶୁଣୁଥିଲା । ସେ ଗୋଟେ ଦୀର୍ଘନିଃଶ୍ୱାସ ପକାଇ କହିଲା, ‘‘ହଁ ବାବୁ, ଲୋକେ କହନ୍ତି ମକଦ୍ଦମ ଶ୍ରୀପତିକୁ ଗୋଟେଇ ଆଣିଥିଲେ । ସେ ଏବେ ମରିଯାଇଛି ।’’

 

ମୁଁ କେତେ ଖୋଜିଲି, ଚମ୍ପାଠାରୁ ତା’ ଆତ୍ମ-କାହାଣୀରୁ ଆଉ ଅଧ୍ୟାୟେ ଶୁଣିବି ବୋଲି କିନ୍ତୁ ଆଉ ଦେଖା ମିଳିଲା ନାହିଁ । ଶୁଣାଯାଏ, ମକଦ୍ଦମଙ୍କ ପୁଅ ଶ୍ରୀପତି ଯେଉଁ ମଶାଣିରେ ପୋଡ଼ାହୋଇଥିଲା, ଚମ୍ପା ଯାଇ ସେହି ମଶାଣିରେ କେତେ ଦିନ ରହିଲା । ସେହିଠାରେ ସେହି ପାଉଁଶ ବୋଳିହୋଇ, ସେହି ହାଡ଼ମାଳ ବେକରେ ପକାଇ କେତେ ଦିନ ସେ ବାୟାଣୀ ପରି ବାହୁନି ବାହୁନି କାନ୍ଦିଲା । ଲୋକେ ଭାବିଲେ ତା’ଠାରେ ଚଣ୍ଡୀଚାମୁଣ୍ଡା ଲାଗିଛି । ତା’ ମାତୃ-ହୃଦୟର ସମସ୍ତ ରସ ଶୁଭ୍ରତୁଙ୍ଗ ହିମାଚଳ ପରି ଜମାଟ ବାନ୍ଧି ନ ପାରି ଗଙ୍ଗାଧାର ପରି ତରଳିଗଲା । ଦିନରାତି ଲୋତକଧାରାରେ ତା’ ଆଖି ଦୁଇଟି ଅନ୍ଧ ହୋଇଗଲା । ‘ଶ୍ରୀପତି’ ‘ଶ୍ରୀପତି’ କହି କହି ସେହି ମଶାଣିରେ ସେ ତାର ଜୀବନଲୀଳା ଶେଷକରିଦେଲା ।

 

ଏବେ ରଥୀପୁରରୁ ଖୋରଧା ବଜାରକୁ ରାତି ବିକାଳି ଲୋକେ ସେ ବାଟେ ଗଲାବେଳେ କୈାଣସି ନାରୀକଣ୍ଠର ବିକଳ ଚିତ୍କାର ଶୁଣନ୍ତି ବୋଲି କହନ୍ତି ।

***

 

ଭିକାରିର ସାଥୀ

 

ପ୍ରଚଣ୍ଡ ସୂର୍ଯ୍ୟକିରଣରେ ଧରଣୀ ତାତିଉଠିଛି । ବୈଶାଖର ମରୀଚିକା ଦୂର ପାହାଡ଼ ତଳେ କେତେ ବିଚିତ୍ର ଆଶାର ଲୀଳା ସୃଷ୍ଟି କରୁଛି । ଜୀବଜଗତ୍‌ ନୀରବ, ତରୁଜଗତ୍‌ ମଧ୍ୟ ନିସ୍ତବ୍‌ଧ-। କାହିଁ ଗୋଟିଏ ସୁଦ୍ଧା ପତ୍ର ହଲୁନାହିଁ ।

 

ଗାଁ ବାହାର ବରଗଛ ମୂଳେ କେତେବେଳେ ଯେ ଭିଖାରି ଆସି ବସିପଡ଼ିଛି, ସେକଥା ତା’ର ଧାରଣା ନାହିଁ । ବସିବାର କିଛି ସମୟ ପରେ ଦୁଇଆଣ୍ଠୁ ଭିତରୁ ମୁଣ୍ଡଟା ଟେକି ସେ ଦୂର ପାହାଡ଼ ତଳକୁ ଚାହିଁଲା । ତାର ସେହି ହତାଶ ଚାହାଣୀ ଭିତରେ ସେ ଯେପରି କହୁଥିଲା, ‘ଏ ସଂସାର ଶୂନ୍ୟ ଶୂନ୍ୟ-ମହାଶୂନ୍ୟ !’ ତାର ଧୈର୍ଯ୍ୟ ରହିଲା ନାହିଁ । ବଡ଼ ବ୍ୟସ୍ତହୋଇ କହିଲା, ‘‘ନା, ଆଉ ପାରିବି ନାହିଁ । ଓଃ- କେତେ ବାଟ ସେ ଗାଁ !’’

 

ପୁଣି ନୀରବତା ଘୋଟିଗଲା । କିଛି ସମୟ ପରେ ଭିକାରି ଆଉ ଥରେ ଚାହିଁ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲା ।

 

X X X

 

ଗଛମୂଳେ ପଥିକ ଶୋଇଥିଲା । ଭିକାରିର ଆତୁରତା ଦେଖି ପଚାରିଲା, ‘‘ଏତେବେଳେ ଯିବ କୁଆଡ଼େ ?’’

 

ଭିକାରି କେବଳ ଚାହିଁରହିଲା । କୁଆଡ଼ୁ ଟକିଏ ପବନ ବହିଆସିଲା । କିନ୍ତୁ ତାହା ନିତାନ୍ତ ଝାଞ୍ଜି ପବନ । ଦୁହେଁ ଏକାପରି ଚମକିଉଠିଲେ ।

 

ପଥିକ ପଚାରିଲା, ‘‘କେଶପୁରକୁ ?’’

 

‘‘ନା ।’’

 

‘‘ଝିଣ୍ଟିକାପଲ୍ଲୀ ?’’

 

ଭିକାରି ଭଲକରି ମୁଣ୍ଡ ଟେକି ଉତ୍ତର ଦେଲା, ‘‘ନାଇଁ, କୁଆଡ଼େ ନୁହେଁ ।’’

 

‘‘ତେବେ ?’’

 

‘‘ଏଇ ଗାଁରୁ ଫେରୁଛି । ଆଉ କୁଆଡ଼େ ନଯାଇ ଏଠି ଶୋଇପଡ଼ିବି ।’’

 

X X X

 

ଭିକାରିର କଥା ଶୁଣି ପଥିକ ସନ୍ତୁଷ୍ଟ ହେଲା ପରି ଜଣାପଡ଼ିଲା ନାହିଁ । ସେ ଉଠିବସି ଭିକାରି ଆଡ଼କୁ ନିବିଷ୍ଟଭାବରେ ଚାହିଁରହିଲା ।

 

ପଥିକ ପଚାରିଲା, ‘‘ଆଜି ଖାଇନାହଁ ?’’ ଭିକାରି ସେହି ଏକା ସ୍ୱରରେ ଉତ୍ତର ଦେଲା, ‘‘କାଲି ମଧ୍ୟ ନୁହେ ।’’

 

‘‘ତା’ ଆଗରୁ ?’’

 

‘‘ପରଦିନ ଓଳିଏ ଖାଇଥିଲି ।’’

 

ପଥିକ ପ୍ରଶ୍ନର ଏଭଳିଆ ଉତ୍ତର ଆଶା କରି ନ ଥିଲା । ତା’ ମନରେ କ’ଣ ହେଲା କେଜାଣି, କହିଲା-‘‘ଏ ଗାଁର କାହାରି ଘରକୁ ଯାଇଥିଲ ?’’

 

‘‘ଯାଇଥିଲି ।’’

 

‘‘ସେପାଖ ଦାଶଙ୍କ ଘରକୁ ?’’

 

‘‘ଦାଶେ ଶୋଇଥିଲେ, କଞ୍ଚିକାଠି ତାଙ୍କ ପାଖରେ ଥିଲା ବୋଲି କିଛି ମିଳିଲା ନାହିଁ ।’’

 

‘‘ମକଦ୍ଦମଙ୍କ ଘର ?’’

 

‘‘ଗୁରୁବାରରେ ଭିକ ଦେବାକୁ ନାହିଁ କଲେ ।’’

 

‘‘ମହାପାତ୍ରେ ?’’

 

‘‘ଦୁଆରେ ଦଶଡ଼ାକ ଡ଼ାକି ଫେରିଆସିଲି ।’’

 

‘‘ସରବରାକାରେ ?’’

 

‘‘ତାଙ୍କ ଗୁମାସ୍ତା ନାହାନ୍ତି ।’’

 

‘‘କବିରାଜେ ?’’

 

‘‘ଏବେ ତାଙ୍କର ମୁଠିଚାଉଳ ଖାଉଚନ୍ତି ।’’

 

‘‘ରଥେ ?’’

 

‘‘ଆଉ ଥରେ ଆସିବାକୁ କହିଲେ ।’’

 

‘‘ପରିଡ଼େ ?’’

 

‘‘ସେ ଡ଼ାକିଲେ, ଘର-ଲୋକ କେହି ଶୁଣିଲେ ନାହିଁ ।’’

 

‘‘ସୁବୁଦ୍ଧିଏ ?’’

 

‘‘ରାତିଓଳି ଯେଉଁ ଚାଉଳ ରନ୍ଧା ହେବ ତାହା ଅନୁକୂଳ ହୋଇନାହିଁ ।’’

 

‘‘ମହାନ୍ତିଏ ?’’

 

‘‘ଡ଼ାକରେ କଞ୍ଚାନିଦ ଭାଜିଯିବାରୁ ମାରି ଗୋଡ଼ାଇଲେ ।’’

 

‘‘ଦଫାଦାରେ ?’’

 

‘‘ନାଲି ପଗଡ଼ି ମୁଣ୍ଡରେ ବାନ୍ଧୁଥିଲେ । ତାଙ୍କୁ ଚାହିଁଦେଇ ଫେରିଅଇଲି ।’’

 

‘‘ତେବେ କ’ଣ ଗାଁରୁ କିଛି ମିଳିଲା ନାହିଁ ?’’

 

‘‘ଜଣେ ରାଣ୍ଡୀ ମାଇପୀ ଚାଉଳ ପାଏ ଦେଇଥିଲା । ସେଇତକ କାନିରେ ବାନ୍ଧିଛି ।’’

 

ଏତିକି ଉତ୍ତର ଦେଇ ହତାଶ ଭିକାରି କାନିମୁଚୁଳାଟି ମୁଣ୍ଡକୁ ଦେଇ ତଳେ ଶୋଇପଡ଼ିଲା ।

 

X X X

 

କେତେବେଳେ ଯେ ସଂସାରର ନିସ୍ତବ୍‌ଧତା ଭାଙ୍ଗି ପବନ ବହିଛି, ଭିକାରି ଜାଣେନାହିଁ । କେତେବଳେ ଯେ ଗଛରୁ ଶୁଖିଲା ପତ୍ର ଝଡ଼ି ତା’ ଉପରେ ବିଛେଇ ହୋଇ ପଡ଼ିଛି, ତା’ର ଧାରଣା ନାହିଁ । ବାଟର ପଥିକ କେତେବେଳ ଯାଏଁ କିପରି ଭାବରେ ତା’ରି ଆଡ଼କୁ ଚାହିଁଚାହିଁ କ’ଣ ଭାବି ବସି ରହିଛି, ସେକଥା ତାକୁ ଜଣା ନାହିଁ ।

 

ପଥିକ ତାର ମୁଣ୍ଡପାଖରେ ଡ଼ାକିଲା, ‘‘ଶୁଣିବ କି ?’’

 

ଭିକାରି ବାଉଳି ହେଲା ପରି ଆଖି ଦୁଇଟି ମେଲେଇଲା-ମାତ୍ର ଉଠିପାରିଲା ନାହିଁ ।

 

ପଥିକ ପଚାରିଲା, ‘‘ମୁଁ ଅଛୁଆଁ, ବାଉରୀ ।’’

 

ଭିଖାରି ସେହିପରି ତା’ ମୁହଁକୁ ବାଲୁବାଲୁ ଚାହିଁ ରହିଲା ।

 

‘‘ମୋ ପାଖରେ କିଛି ଅଛି- ଖାଇବାକୁ ଦେଇପାରିବି ?’’

 

ଭିକାରି ତା’ର ଅଳସ ନିଷ୍ପ୍ରଭ ପତା ଦୁଇଟିକୁ ପହଁରେଇଲା ପରି କ୍ଷଣକାଳ ମୁଦିତେଲା, ତା’ପରେ ଚାହିଁ କହିଲା, ‘‘ଅଛି ?’’

 

‘‘ଅଛି...କିଛି ଆପତ୍ତି ନାହି ?’’

 

‘‘ଆପତ୍ତି ? କାହା ପାଇଁ ?’’

 

‘‘କେହି କିଛି କହିବେ ନାହିଁ ?’’

 

‘‘ମୋ ପାଇଁ ? ଦେଖୁଛ ତ ?’’

 

‘‘ତେବେ. . .ମୁଁ. . .’’

 

‘‘ଜାଇଁ. . .?’’

 

ପଥିକ ଦୂର ଗାଁର ଯାତ୍ରୀ । ଚାଉଳଭଜାଗୁଣ୍ଡରୁ ମୁଠାଏ ପାଣି ପକାଇ ଚକଟି ଆଣି ଭିକାରି ଆଗରେ ଧଇଲା ।

 

ମୁମୂର୍ଷୁ ପ୍ରାଣ ପାଇଲା ପରି, ହତାଶ ଆଶା ପାଇଲା ପରି, ଅନ୍ଧ ଆଖି ପାଇଲା ପରି ଭିକାରି ଉଠି ବସିଲା । ଗଭୀର କୃତଜ୍ଞତାରେ ତାର ହୃଦୟ ପୂରିଉଠିଲା ।

 

ପଥିକ ଯେତେବେଳେ ବିଦାୟ ନେଇ ସେ ଗଛମୂଳ ଛାଡ଼ିବାକୁ ବସିଲା, ଭିଖାରି ଏକ ଲୟରେ ତା’ ଆଡ଼କୁ ଚାହିଁ ଏତିକିମାତ୍ର କହିଲା- ‘‘ମୁଁ ଭିକାରି, ତୁମେ ଭିକାରିର ସାଥୀ ।’’

 

ପଥିକ ଟକିଏ ହସିଦେଲା । କହିଲା-‘‘ଯାଉଛି।’’

 

ପଥିକ ବାଙ୍କ ବୁଲିଲା ଯାଏ ଭିକାରି ଏକାଲୟରେ ଚାହିଁରହିଲା । ଶେଷକୁ ଏକ ନିଃଶ୍ୱାସ ପକାଇ କହିଲା-‘‘ପ୍ରଭୁ ହେ !’’

***

 

ପନ୍ଦର ବର୍ଷ ତଳର କଥା

 

ପଲ୍ଲୀବାସିନୀ ଏ ବିଧବାର ପନ୍ଦର ବର୍ଷ ତଳର କଥା ଶୁଣି ତୁମର କିଛି ଲାଭ ନାହିଁ, ଜାଣୁଛି; ମାତ୍ର ନକହି ରହିପାରୁନାହିଁ । ପନ୍ଦର ବର୍ଷ ତଳେ ଏହିପରି ଏକ ଉଜ୍ଜ୍ୱଳ ଶରତ ରାତିରେ ମୋ ଜୀବନ-ପଥରେ ଏକ ପରିବର୍ତ୍ତନ ଘଟିଥିଲା- ସେ ପରିବର୍ତ୍ତନ ମୋ ଜୀବନର ଶେଷ ପରିବର୍ତ୍ତନ । ସେହିଦିନୁ ମୁଁ ସମାଜରେ ଏହି ମଳିନ ଛାୟାଟି ପରି ରହିଛି । ରାତି ନ ପାହୁଣୁ ଝଡ଼ିପଡ଼ିଲା ଗଙ୍ଗଶିଉଳି ଫୁଲପରି ମୁଁ ସକଳ ସୁଖରୁ ଝଡ଼ିପଡ଼ିଲି; ମୋର ସବୁ ସୁଖସମ୍ପଦ ଯାଇଛି । ଆଜି ସେସବୁ କଥା ଭାବିବସିଲେ ମୋ ଦେହ ଶୀତକଣ୍ଟା ମାରୁଛି । ଶରତର ଶୁଭ୍ର ଚନ୍ଦ୍ର ମୋତେ ମଳିନ ଦେଖାଯାଉଛି । ତଥାପି ଏତେଦିନ ପରେ ଆଜି ମୁଁ ସେ ଗୋପନ କଥା କହିବାକୁ ବସିଛି ।

 

ନାରୀଜାତିର ସକଳ ସୁଲକ୍ଷଣ ଘେନି ମୁଁ ଜନ୍ମ ହୋଇଥିଲି । ମୋ ପିତାଙ୍କର ଧନସମ୍ପତ୍ତି ଥିଲା, ମାନଗୈାରବ ମଧ୍ୟ ଥିଲା । ସମସ୍ତେ ଜାଣନ୍ତି, ଆମ କୁଳରେ ବୋହୂ ବହିଧରି ପାଠ ପଢ଼ିବାଟା ମହାପାପ ! ସେ ପାପର ପ୍ରାୟଶ୍ଚିତ ବିଧାନ ପାଇଁ ଆମ ଦେଶର ବୁଢ଼ା ବୁଢ଼ା ପଣ୍ଡିତଙ୍କ ମୁଣ୍ଡରେ ସବୁବେଳେ ନାନା ଚିନ୍ତା ଜାଲ ଛନ୍ଦିଲା ପରି ଖେଳୁଥାଏ; ମାତ୍ର ମୁଁ ବୋହୂ ହେବା ଆଗରୁ ପାଠ ପଢ଼ିସାରିଥିଲି ।

 

ଗାଁ ଚାଟଶାଳୀରେ ମୋ ପଢ଼ା ଆରମ୍ଭ ହେଲା । କ୍ରମେ ମୁଁ ରାମାୟଣ ପଢ଼ିଲି, ମହାଭାରତ ପଢ଼ିଲି, ନଳ-ଦମୟନ୍ତୀ, ଶୈବ୍ୟା-ହରିଶ୍ଚନ୍ଦ୍ର କଥା ପଢ଼ିଲି, ରାଜପୁତ୍ର ରାଜକନ୍ୟାକୁ ଧରି ମନ୍ତ୍ରୀପୁଅ ସଙ୍ଗେ ସାତ ସମୁଦ୍ର ପାରହୋଇ ଚାଲିଯିବା କଥା ମଧ୍ୟ ଜାଣିଲି । ସେତେବେଳକୁ ମୋତେ ଅଳ୍ପ ବୟସ- ମୋ ଉପରେ ବାଡ଼ୁଅପାଣି ପଡ଼ି ନ ଥାଏ । ଏବେ ସେ ଦିନର କଥା ମୋତେ ସାମାନ୍ୟ ଜାଲୁଜାଲୁଅ ଜଣାପଡ଼ୁଛି ।

 

ମୋ ପରି ରୂପବତୀ ବୋଧହୁଏ ଆମ ଗାଁରେ ଆଉ କିଏ ନ ଥିଲେ । ମୋର ଗୋରା ଅଙ୍ଗ ଦିନିକୁ ଦିନ ଢଳଢଳ ହୋଇ ଫୁଟିଉଠିଲା । ମନେଅଛି, ମେତେ କୁଳବଧୂ କରି ନେବାପାଇଁ ଆମ ଘରକୁ କେତେ କୁଳୁଆଁ ଆସନ୍ତି। ମୋର କେତେ ଆଦର ହୁଏ । ମୋତେ କିଏ ଡ଼ାକେ ବୋହୂ, କିଏ ଡ଼ାକେ ରତ୍ନ, କିଏ ଡ଼ାକେ ଧନ; ସେତେବେଳେ ମୁଁ କିଶୋରୀ ବାଳିକା- ଏ ସବୁ ଆଦର କଥା ବେଶି କିଛି ବୁଝୁ ନ ଥିଲି ।

 

ମୋ ସମାଜ ଲୋକଙ୍କ ଧାରଣା ଯେ, ବାଳିକାକୁ ଧରିମାରି ବିଭା କରାଇ ଦେଲାପରେ, ଜାତି ଖୋଜି ଜଣକ ବେକରେ ପକାଇ ଦେଲାପରେ, ଘର କଲାବେଳେ ସେ ବିବାହର ମର୍ଯ୍ୟାଦା ବୁଝେ; କିନ୍ତୁ ମୋ ଅନୁଭବରୁ ଜାଣିଛି, ଏ ବଡ଼ ଭୁଲ ଧାରଣା । ମୁଁ ପଶୁ ଥିଲି ଏବଂ ମୋ ଉପରେ ଦିନେ ସମାଜର ଏହି ଅତ୍ୟାଚାର ହୋଇଥିଲା, ସେ କଥା ଏବେ ଏହି ବିଗତଯୈାବନା ପଲ୍ଲୀବାସିନୀ ବିଧବାର ହୃଦୟକୁ ପ୍ରତି ମୁହୂର୍ତ୍ତରେ ବିନ୍ଧୁଛି, ମନେପଡ଼ିଲେ ସମାଜ ଉପରେ ପଦାଘାତ କରିବାକୁ ଇଚ୍ଛା ହେଉଛି । ଆଜି ମୁଁ ଜାଣିପାରୁଛି, ବାଳିକାକୁ ତାର ବର ବାଛିବା ପାଇଁ ସୁଯୋଗ ମିଳୁଥିଲେ କିମ୍ବା ବରକନ୍ୟା ଦୁହେଁ ଜାଣିଶୁଣି ବିବାହ ହେଉଥିଲେ ଜୀବନଟା ତାଙ୍କର ଅନେକ ଅଂଶରେ ସୁଖମୟ ହେଉଥାନ୍ତା ।

 

ଠିକ୍‌ ବାରବର୍ଷ ବୟସ ପରେ ମୋର ବିବାହ ହେଲା । ମୋ ବିବାହକୁ ମୁଁ ବିବାହ ବୋଲି କହିବି ନାହିଁ; କାରଣ ମୋ ଇଚ୍ଛା ବିରୁଦ୍ଧରେ ମୁଁ ବିବାହ ହୋଇଥିଲି; କିନ୍ତୁ ସେ ଇଚ୍ଛା ସେତେବେଳେ ବାହାରକୁ ଜଣେଇବାର କ୍ଷମତା ମୋର ନ ଥିଲା । ତାହା କେବଳ ସେତେବେଳର କିଶୋରୀ ପ୍ରାଣକୁ ଘାଣ୍ଟିପକାଉଥିଲା ।

 

ମୋର ସ୍ୱାମୀ ଜଣେ ଧନୀ ଯୁବକ । ସେ ମୋର ହାତଧଇଲେ; କିନ୍ତୁ ମୁଁ ତାଙ୍କଠାରୁ କେବେହେଲେ ଅନ୍ତରର ସହିତ ସୁଖ ପାଇ ପାରିଲି ନାହିଁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେ ମଧୁମୟ ଘେନାଘେନି,ତାହା ମୁଁ ଜାଣିଲି କେବଳ କଥାରେ । ତୁମେ ଜାଣ, ପ୍ରକୃତ ପ୍ରଣୟରେ ପବିତ୍ର ସ୍ୱାଧୀନତା ଏବଂ ସାହାସ ଥାଏ; ମାତ୍ର ଯେଉଁ ପ୍ରଣୟ ସମାଜର ଆଇନ-ଅସ୍ତ୍ରରେ ତିଆରି କରାହୁଏ, ତାକୁ ପ୍ରଣୟ ବୋଲି କିପରି କହିବି ? ସେପରି ବିବାହରେ ସମାଜରେ ମାନସିକ ବ୍ୟଭିଚାର ବଢୁଛି କେବଳ, ଆଉ କିଛି ଲାଭ ନାହିଁ । ମୋ ସ୍ୱାମୀଙ୍କର ମୁଁ ଥିଲି ଦ୍ୱିତୀୟ ପକ୍ଷର ସ୍ତ୍ରୀ ।

 

ମୋର ସ୍ୱାମୀ ଘରକୁ ଏକମାତ୍ର ମୁରବୀ ଥିଲେ । କ୍ଷତି ଲାଭରେ କିଏ ତାଙ୍କୁ କିଛି କହିବାକୁ ନଥିଲା । ତାଙ୍କ ରୂପଟି ବଡ଼ ସୁନ୍ଦର ଥିଲା; ମାତ୍ର ବ୍ୟବହାର ମୋତେ ଭଲ ଲାଗୁ ନ ଥିଲା-। ସେ ଅତିମାତ୍ରାରେ ଗର୍ବୀ ଥିଲେ ଏବଂ ସମସ୍ତଙ୍କୁ ନିଜ ପାଦତଳେ ବାନ୍ଧି ରଖିବାକୁ ଇଚ୍ଛାକରୁଥିଲେ-। ପାଠରେ ତାଙ୍କର ସେପରି କିଛି ଦଖଲ ନ ଥିଲା । ତେଣୁ ମୁଁ ବହି ଖଣ୍ଡିଏ ଧରି ବସିଲେ ସେ ମୋତେ ଅନ୍ୟ କଥା ବତାନ୍ତି; ପାଠକଥା ପଚାରିଲେ ଛଳନା କରି ଅନ୍ୟ ଆଡ଼େ ଚାଲିଯା’ନ୍ତି । ମୁଁ ପ୍ରଥମେ ପ୍ରଥମେ ତାଙ୍କର ମନକଥା ବୁଝିପାରି ନ ଥିଲି । କେତେ ଦିନ ପରେ ମୋତେ କିଛି ଅଛପା ରହିଲା ନାହିଁ । ବେଳେ ବେଳ ତାଙ୍କର ମୋ ପ୍ରତି ନିଷ୍ଠୁର ବ୍ୟବହାର ଦେଖି ମୁଁ ମର୍ମ୍ମାହତ ହୋଇପଡ଼େ; କିନ୍ତୁ ଦିନେ ହେଲେ ମୁଁ ତାଙ୍କୁ ଟାଣକରି ପଦେ ହେଲେ କହିନାହିଁ କି ଅମାନିଆ ହୋଇ ରହି ନାହିଁ । ଆଜି ସେ ଏ ସଂସାରରୁ ଯାଇ ସ୍ୱର୍ଗରେ , ସେ କେବେହେଁ ମୋତେ ଏ ବିଷୟରେ ଦୋଷୀ କରି ପାରିବେ ନାହିଁ ।

 

ଗାଁର ଏକଣରେ ଆମ ଘର । ଘରଟା ଧନସମ୍ପତ୍ତିରେ ଉଛୁଳୁଥିଲା । ଧାନଖମାର, ଖଳାବାଡ଼ିରେ ଲକ୍ଷ୍ମୀ ଖେଳୁଥିଲେ । ମୋର ସ୍ୱାମୀ ପାଠ ପଢ଼ି ନ ଥିଲେ ମଧ୍ୟ ତାଙ୍କ ମନରେ ଏବକାଳର ରୁଚି ଥିଲା । ସେ ସମାଜର କେତେଗୁଡ଼ିଏ କୁସଂସ୍କାରକୁ ବଡ଼ ଘୃଣା କରୁଥିଲେ । ତାଙ୍କ ପରି ଖେଳାଳି ଓ ପାରିଧିଆ ଗାଁରେ କେହି ନ ଥିଲେ । ମୁଁ ତାଙ୍କ ସାଙ୍ଗକୁ ସେଥିକି ନତାନ୍ତ ଅଯୋଗ୍ୟ ଥିଲି ।

 

ଆଗରୁ କହିଛି, ମୁଁ ପାଠ ପଢ଼ିଥିଲି; ତେଣୁ ଗାଁର ଅନ୍ୟ ନାରୀଙ୍କ ରୁଚିଠାରୁ ମୋ ରୁଚି ଟିକିଏ ଅଲଗା ହେଲା। ସେମାନେ ଆଷାଢ଼ ମାସର କଳାମେଘ ଦେଖି ଘରେ ଲୁଚିଲାବେଳେ ମୁଁ ବାଡ଼ିଦୁଆରେ ଅନ୍ଧାରରେ ବସି ସେ ଗମ୍ଭୀର ମୂର୍ତ୍ତି ଦେଖି ଆନନ୍ଦ ଅନୁଭବ କରୁଥାଏ । ସେମାନେ ଫୁଟିଲା ଫୁଲ ଦେଖିଲେ ତାକୁ ତୋଳି ମୁଣ୍ଡରେ ଖୋଷନ୍ତି। ମୁଁ କିନ୍ତୁ ଫୁଲଟିକୁ ତୋଳିବାକୁ ହାତ ବଢ଼ାଇ ପାରେନାହିଁ । ହାତ ବଢାଇବାକୁ ଚେଷ୍ଟାକଲେ ମୋ ମନ ଭିତର ଥରିଉଠେ- ସତେ ଯେପରି ଫୁଲଟା ମୋତେ କଥା କହେ । ମୁଁ ତାର ସୈାନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ରହେ । ସେମାନଙ୍କ ପରି ଶରତ୍‌ଶୁଭ୍ର କିରଣ ଦେଖି ମୋତେ ନିଦ ଆସେ ନାହିଁ । ମୁଁ ରାତିଯାକ ସେ ଆଲୋକରେ ଆକାଶକୁ ଚାହିଁ ବସିଥାଏ । ମୁଁ ଜାଣେନାହିଁ ମୋ ସ୍ୱାମୀ ଏ ସବୁକୁ ଭଲପାଉଥିଲେ କି ନାହିଁ; ମାତ୍ର ମୋତେ ଏଥିପାଇଁ ସେ କେବେହେଲେ ମନା କରୁନଥିଲେ ।

 

ଗାଁ ଘରେ ଆମେ ପ୍ରାୟ ରହୁନଥିଲୁ । ଗାଁ ବାହାରେ ଜଙ୍ଗଲ ତଡ଼େ ନଈକୂଳେ ଆମର ଏକ ବଡ଼ ବଗିଚା ଥିଲା । ସେଥି ଭିତରେ ଗୋଟିଏ ସୁନ୍ଦର ଘର; ଘର ପାଖକୁ ଲାଗି ପୋଖରୀ, ପୋଖରୀ ଚାରିପାଖରେ ଆମ୍ବ, ଲେମ୍ବୁ, ଜାମୁ ଗଛମାନଙ୍କରେ ଫଳ ପୂରିରହିଥାଏ । ସେହି ସୁନ୍ଦର ଉପବନ ଭିତରେ ଆମ ଦୁହିଁଙ୍କର କେତେ ଦିନରାତି ଯେ କଟିଯାଇଛି, ଏହି ଅବଳା ହୃଦୟର କେତେ ପ୍ରାଣର ବ୍ୟଥା ଯେ ସଂସାରକୁ ନ ବାହାରି ସେହିଠାରେ ଜଡ଼ ହୋଇ ଯାଇଛି, ତାହା ଆଉ ଏବେ କହିପାରିବି ନାହିଁ; କହି କରି ମଧ୍ୟ ଆଉ କିଛି ଲାଭ ନାହିଁ ।

 

ଆମେ ଏହିପରି ଭାବରେ ମନ ଭିତରେ ପରସ୍ପର ବିରୋଧ ଭାବ ଏବଂ ବାହାରେ ନିଜନିଜକୁ ସୁଖ ପାଇବା ଭାବ ଦେଖାଇ ଘର ସଂସାର କରୁଥିଲା ବେଳେ ଜଣେ ଯୁବକ ବନ୍ଧୁ ଆମ ଘରକୁ ଯିବା ଆସିବା କଲେ । ସେ ପାଠପଢ଼ୁଆ ଥିଲେ ଏବଂ ମୋ ସ୍ୱାମୀଙ୍କୁ ବଡ଼ ଭଲପାଉଥିଲେ । ସେ ପ୍ରଥମେ ପ୍ରଥମେ ମୋ ସ୍ୱାମୀଙ୍କ ପାଖେ ବସି କଥା ହୋଇ ଚାଲିଯାଉଥିଲେ, କ୍ରମେକ୍ରମେ ମୋତେ ଭରସି କଥା କହିଲେ । ମୋର ସଲଜ୍ଜ ପ୍ରକୃତି ଘେନି ମୁଁ ସବୁବେଳେ ତାଙ୍କ ପାଖେ ବଡ଼ ଶଙ୍କିତ ଭାବରେ ଚଳୁଥାଏ । କେତେ ଦିନ ପରେ ସେ ଆମ ଘରର ଜଣେ ପରି ହୋଇଗଲେ- ମୋ ସ୍ୱାମୀ ଥିଲାବେଳେ ଆସିଲେ, ନଥିଲାବେଳେ ମଧ୍ୟ ଆସିଲେ । ଅନେକ ସମୟରେ ତାଙ୍କ ସଙ୍ଗେ ନାନା ପାଠକଥା ଚର୍ଚ୍ଚାକରି ମୁଁ ଦିନ କାଟେ । ମୋ ସ୍ୱାମୀ ମଧ୍ୟ ଏହା ଜାଣନ୍ତି ।

 

ଆମ ଘରକୁ ବନ୍ଧୁଙ୍କର ଯିବା ଆସିବା ହଠାତ୍‌ ଦିନେ ବନ୍ଦ ହେଲା । ମୁଁ ପ୍ରଥମେ ଦୁଇଚାରିଦିନ ବଡ଼ ଅଧୀର ହୋଇ ତାଙ୍କ ବାଟ ଚାହିଁ ରହିଲି; ମାତ୍ର ପରେ ଜାଣିପାରିଲି ଯେ, ବନ୍ଧୁଙ୍କର ଯିବା ଆସିବା ବନ୍ଦ ହେବା ଦିନଠାରୁ ପତିଙ୍କର ଭାବ ମୋ ପ୍ରତି ବଦଳିଛି । ସେ ମୋତେ ଆଗ ପରି ଆଉ କଥା କହିଲେ ନାହିଁ । ମୁଁ ଯେଉଁ ଘରେ ଥାଏ, ସେ ଘରକୁ ଆଗ ପରି ଆଉ ଆସିଲେ ନାହିଁ । କେବେକେବେ ଆସିଲେ ବଡ଼ ଧୀରେ ଧୀରେ ପାଦଚାଳି ହଠାତ୍‌ ଘରେ ଆସି ପହଞ୍ଚନ୍ତି, ଯେପରିକି ସେ ଲୁଚି ଲୁଚି କୈାଣସି ଚୋର ଧରିବାକୁ ଆସୁଥାନ୍ତି । ତା’ପର ମୁହୂର୍ତ୍ତରେ ମୋ ସଙ୍ଗେ ପଦେ ଦୁଇପଦ କଥା ହୋଇ, କୈାଣସିଥିରେ ହାରିଲା ପରି ଭାବ ଦେଖାଇ ଚାଲିଯାନ୍ତି-। ବେଳେବେଳେ ରାତିରେ ମୋ ଶୋଇବା ଘର ପାଖେ ପାଦଶବ୍ଦ ଶୁଭେ । ମୁଁ ଚମକି ଉଠି ବସେ । ଦିନେ ସକାଳେ ଉଠି ମୁଁ ତାଙ୍କୁ କହିଲି, ‘‘ରାତିରେ ଏ ପିଣ୍ଡାରେ କିଏ ଚାଲିଲା ପରି ଶୁଭୁଛି; ମୋତେ ବଡ଼ ଭୟ ଲାଗୁଛି ।’’

 

ସ୍ୱାମୀ କହିଲେ, ‘‘ଆମ ବଗିଚା ଜଗୁଆଳ ହୋଇଥିବ, ନହେଲେ ଆଉ କିଏ କାହିଁକି ଆମ ଘରକୁ ଆସନ୍ତା ?’’ କିନ୍ତୁ ତାଙ୍କର ଏ କଥାରେ କିଛି ସରସତା ମୁଁ ଖୋଜି ପାଇଲି ନାହିଁ । ତାଙ୍କର ଏ ବ୍ୟବହାର ଦେଖି ଦିନକୁ ଦିନ ମୋ ମନରେ ଚିନ୍ତା ବଢ଼ିଲା । ମୁଁ ବରାବର ଦିନରାତି ଭାବି ବସିଲି, ‘‘ବନ୍ଧୁଙ୍କୁ ଆସିବାକୁ କିଏ ମନାକଲା ?’’

 

ଦିନେ ସନ୍ଧ୍ୟାବେଳେ ପଞ୍ଜର ପାଖେ ଚାହିଁ ଦେଖିଲି, ବନ୍ଧୁ ମୋ ସ୍ୱାମୀଙ୍କ ସଙ୍ଗେ କ’ଣ କଥା ହେଉଛନ୍ତି । ତାଙ୍କୁ ଦେଖି ମୁଁ କେଜାଣି କାହିଁକି ଆନନ୍ଦରେ ଅଧୀର ହୋଇପଡ଼ିଲି । ମୋ ହାତରୁ ପଢ଼ିବା ବହି ଖସିପଡ଼ିଲା । ସେ କିଛି ସମୟ ତାଙ୍କ ସଙ୍ଗେ କଥା ହୋଇ ଧୀରେ ଧୀରେ ଚାଲିଗଲେ, ମୁଁ ସେହିଠାରେ ଖଟ ଉପରେ ମୁହଁ ମାଡ଼ି ଶୋଇପଡ଼ିଲି । ମୋର ମୋହ ଭାଜିଲାବେଳକୁ ସ୍ୱାମୀ ମୋ ପାଖେ ଆସି ଠିଆହୋଇଥିଲେ । ତାଙ୍କର ସେତେବେଳର ବିରାଗ ଚାହାଣୀର ଉତ୍ତର ମୁଁ ଆଦୈା ଦେଇପାରିଲି ନାହିଁ । ଅଭିମାନ ଦୁଃଖରେ ମୋର ଆନତ ଚକ୍ଷୁ ଦୁଇଟିରୁ ଝରଝର ଲୁହ ବୋହିପଡ଼ିଲା ।

 

ଆମର ଦୁଇଟି ଚାକର ଥିଲେ । ଜଣକ ନା ରଘୁଆ, ସେ ବଗିଚା ଜଗେ । ତା’ ଘର ଆମ ଘରଠାରୁ ଦୁଇଶହ ହାତ ଦୂରରେ, ପୋଖରୀର ପଶ୍ଚିମ ହୁଡ଼ାରେ । ଆଉ ଗୋଟିଏ ହେଉଛି ବାଳିକା, ତା’ ନାଁଟି ବିମଳା । ଆମ ଗାଁରୁ ମୁଁ ତାକୁ ଆଣି ପାଳିଥିଲି । ତା’ର ବାପା ମା’ ନ ଥିଲେ, ମୁଁ ତାର ବାପା ମାଆ ହୋଇଥିଲି । ବିମଳା ନୀଚଜାତିର ହେଲେ କ’ଣ ହେଲା ତାର ରୂପଟି ଚମ୍ପାଫୁଲ ପରି ତୋଫା ଥିଲା; ଆମ ଘରେ ରହି ତା’ ରୂପ ଆହୁରି ଚହଟି ଉଠିଲା । ସେ ଆମର ବାସନ ମାଜେ, ଘର ଓଳାଏ ଓ ବଗିଚା ମଧ୍ୟ ଜଗେ ।

 

କ୍ରମେ ବିମଳାକୁ ଯୈାବନ ଛୁଇଁଲା, ତାର ସୁଗୋଲ ମୁଖମଣ୍ଡଳରେ ସଲଜ୍ଜ ପ୍ରକୃତି ଦେଖାଦେଲା । ସ୍ୱାମୀଙ୍କଠାରୁ ସେ କ୍ରମେ ଦୂରରେ ରହି, ମୋ ସହିତ ବେଶି ମିଳାମିଶାକଲା ।

 

କେତେ ଦିନ ପରେ ତାର ଲେଖାଯୋଖାରେ ଏକ ସତୁରି ବର୍ଷର ବୁଢ଼ୀ ମା’ ଆସି ଆମ ଘରେ ହାଜର ହେଲା । ଆମଘରଠାରୁ ଖଣ୍ଡେ ଦୂରରେ ପୋଖରୀର ପୂର୍ବ ପଟରେ ଏକ ଘର ତୋଳାଇ ଦେଇ ସେ ଦୁହିଁଙ୍କୁ ସେଠି ରଖାଇଦେଲୁ; କିନ୍ତୁ ଏ ପ୍ରସ୍ତାବ ମୋ ସ୍ୱାମୀଙ୍କୁ ଆଦୈା ଭଲ ଲାଗୁ ନ ଥିଲା । ବିମଳା ଆମ ଘରେ ରହିଲେ ତାଙ୍କ ଆଗେ ନହରପଅର ହୋଇ ବୁଲିଲେ ତାଙ୍କୁ ଯେତେ ଆନନ୍ଦ ବୋଧ ହେଉଥିଲା, ଜୀବନରେ ସେ କେବେ ସେପରି ଆନନ୍ଦ ପାଇବାର ମୁଁ ଜାଣିନାହିଁ ।

 

ମୁଁ ଏହାକୁ ବଡ଼ ପ୍ରମାଦ ମନେକଲି । ପୂର୍ବ ବନ୍ଧୁଙ୍କ ଚିନ୍ତା କ୍ରମେ ମୋ ମନରୁ ଯାଇ ଏ କଥା ହୃଦୟର ସକଳ ଅଂଶ ଅଧିକାର କଲା ।

 

ଏହିପରି ଚାରିମାସ କଟିଗଲା । ବିମଳା ଯୈାବନଜଳରେ ଢଳଢଳ ହୋଇ ପୋଖରୀର ସକାଳବେଳାର ପଦ୍ମଫୁଲଟି ପରି ଥାଏ । ଆମ ଦୁହିଁଙ୍କ ମନର ଅବସ୍ଥା କିଏ କାହାକୁ କହି ନ ଥାଉଁ । ବନ୍ଧୁ ମଧ୍ୟ ଆମ ଘରକୁ ଆଦୈା ଯିବା ଆସିବା କରୁନଥାନ୍ତି ।

 

ଦିନେ ସନ୍ଧ୍ୟାବେଳେ ସ୍ୱାମୀ ମୋ ଶୋଇବା ଘରକୁ ଆସି ହସିହସି କହିଲେ, ‘‘ତୁମକୁ ଆଜି ଗୋଟିଏ କଥା ଦେଖାଇବାକୁ ନେବି ।’’

 

ତାଙ୍କ ମୁହଁରେ ମୁଁ ଗତ କେତେମାସ ହେଲା ହସ ଦେଖି ନ ଥିଲି । ଟିକିଏ ଆଶ୍ଚର୍ଯ୍ୟ ହଲାପରି କହିଲି,‘‘କ’ଣ ଦେଖାଇବାକୁ ନେବ ?’’

 

ସେ କହିଲେ, ‘‘କେତେ ଦିନ ହେଲା ଦେଖି ଆସୁଛି ଯେ, ଗୋଟେ କ’ଣ ଜନ୍ତୁ ଆସି ବଗିଚାର ସବୁ ଫଳଯାକ ଖାଇଦେଉଛି । ସେ ଠିକ୍‌ ବିମଳାର କୁଡ଼ିଆ ବାଟେ ଯାଉଛି । ଆଜି ସାଙ୍ଗ ହୋଇ ଯାଇ ଗଛମୂଳେ ଜଗି ବସିବା, ମୁଁ ବନ୍ଧୁକ ଠିକ୍‌କରି ରଖିଛି ।’’

 

ତାଙ୍କ ମୁହଁରୁ ବିମଳାର ନାଁ ଶୁଣି ମୁଁ ଟିକିଏ ଶଙ୍କିତ ହୋଇପଡ଼ିଲି । ପରମୁହୂର୍ତ୍ତରେ କହିଲି, ‘‘ହଉ, ଯିବି ।’’

 

ଉଜ୍ଜ୍ୱଳ ଚନ୍ଦ୍ରକିରଣରେ ପୃଥିବୀ ହସୁଥିଲା । ସ୍ୱାମୀ କହିଲେ, ‘‘ଅପେକ୍ଷା କରି, ଆଉ ଅଳ୍ପ ସମୟ ପରେ ଆସିବ ।’’

 

ବିମଳାର ଘର ସେ ସ୍ଥାନକୁ ଶହେହାତ ଦୂରରେ । ଭାବିଲି, ଯାଇ ସେଠି ବସି ରହିବି; ମାତ୍ର ଏତେଦିନ ପରେ ସ୍ୱାମୀ ମୋତେ ହସି କଥା କହିଛନ୍ତି, ତାଙ୍କ କଥା ଭାଙ୍ଗି ଯିବା ଉଚିତ ମନେକଲିନାହିଁ ।

 

ହଠାତ୍‌ ଦୂରରେ ଗଛ ଛାଇରେ ପତ୍ର ଖଡ଼୍‌ଖଡ଼୍‌ ଶୁଭିଲା । ମୁଁ ଚମକି ଉଠିଲି । ଜାଣିପାରିଲି, ସ୍ୱାମୀଙ୍କର ସମସ୍ତ ଶରୀର ଥରିଗଲା । କେଜାଣି କାହିଁକି ମୁଁ ତାଙ୍କ କୋଳକୁ ଆଉଜି ପଡ଼ିଲି । ସେ ବନ୍ଧୁକକୁ ଦୁଇ ହାତରେ ସଜ କରି ଧରିବା ପାଇଁ ମୋତେ ସିଧା ହୋଇ ଠିଆ ହେବାକୁ କହିଲେ । ତାଙ୍କ ହୃଦୟରୁ ଉର୍ଦ୍ଧ୍ୱଶ୍ୱାସ ଉଠିଲା ପରି ନାକ ବାଟେ ପବନ ବାହାରୁଥିଲା ।

 

ପୁଣି ଖଡ଼୍‌ଖଡ଼୍ ଶବ୍ଦ ହେଲା । ପୁଣି ସେ ଚମକି ଉଠିଲେ । ପୋଖରୀ କୂଳକୁ ଚାହିଁଲି, ଆମ ପାଖରୁ ତିରିଶି ଚାଳିଶି ହାତ ଦୂରରେ ଗଛ ଛାଇରେ ଏକ କ୍ଷୀଣ ଆକାର ଦେଖାଗଲା । ସେଟା ସ୍ୱାମୀ ବର୍ଣ୍ଣନା କରିବା ଜନ୍ତୁ ନୁହେ ଜାଣିପାରି ମୁଁ ଶଙ୍କିତ ହୋଇ ପଛକୁ ଟିକିଏ ଘୁଞ୍ଚିଗଲି; କିନ୍ତୁ ସେ ଆଉ ସେ ସୁଯୋଗ ଛାଡ଼ିଲେ ନାହିଁ । ସାଙ୍ଗେ ସାଙ୍ଗେ ଗୁଳି ଛାଡ଼ିଲେ । ବନ୍ଧୁକ ଶବ୍ଦ ପଛେପଛେ ପୋଖରୀକୂଳରେ ଆଉ ଏକ ଶବ୍ଦ ହେଲା ।

 

ମୋର ସମସ୍ତ ଶରୀରରୁ ଜୀବ ଛାଡ଼ିଲା ପରି ଲାଗିଲା । ମୁଁ ତାଙ୍କ ଦେହକୁ ଲେସି ହେଲା ପରି ଲାଗିଗଲି । ସେ ମୋର ଦୁଇହାତ ଜୋର୍‌ରେ ଧରି ଘୋଷାରି ଘୋଷାରି ନେଇ ସେହି ଅର୍ଦ୍ଧମୃତ ଜୀବ ଉପରେ ପକାଇଦେଇ କହିଲେ-‘‘ଯା’ ଦୋଚାରିଣୀ ! ଯା !’’

 

ସଙ୍ଗେ ସଙ୍ଗେ ସେହି ଅର୍ଦ୍ଧମୃତ କଣ୍ଠରୁ ଶବ୍ଦ ଉଠିଲା-‘‘ବିମଳା !’’

 

ମୋର ଜ୍ଞାନ ସମ୍ପୂର୍ଣ୍ଣ ଲୋପ ହୋଇ ନ ଥିଲା । ଦେଖିଲି, ଗୁଳି ବାଜି ବନ୍ଧୁ ମଦନଙ୍କର ଜୀବନ କଣ୍ଠାଗ୍ରତ, ଆଉ କଥା କହିବାର ଶକ୍ତି ନାହିଁ । ହଠାତ୍‌ ସେତେବେଳେ ବିମଳା କୁଆଡ଼ୁ ପବନ ବେଗରେ ଧାଇଁଆସି ମଦନଙ୍କ ଗଳା ଧରି ସେହିଠାରେ ପଡ଼ିଗଲା ଏବଂ ତାଙ୍କ ଗଣ୍ଡଦେଶରେ ଘନଘନ ଚୁମ୍ବନ ଦେଇ ଅଚେତା ହୋଇ ପଡ଼ିଗଲା ।

 

ମୋ ସ୍ୱାମୀଙ୍କୁ ଫାଶୀ ହୁକୁମ ହେବାର କେତେଦିନ ପୂର୍ବରୁ ଖଣ୍ଡିଏ ଚିଠି ତାଙ୍କଠାରୁ ପାଇଥିଲି । ସେଥିରେ ଏତିକି ମାତ୍ର ଲେଖାଥିଲା-

 

ପ୍ରିୟତମା !

 

ଏତେବେଳେ ଆସି ବୁଝିଲି, ତମ ଉପରେ ସନ୍ଦେହ କରି ମଦନକୁ ମାରିଲି । ମଦନ ବିମଳାର ପ୍ରେମରେ ପଡ଼ିଥିବା ଜଣାଥିଲେ ଏଡ଼େ ବଡ଼ ଭୁଲ ହୋଇନଥାନ୍ତା । ରଘୁଆ ବିମଳାକୁ ବିଭା ହେବ ବୋଲି ଠିକ୍‌କରିଥିଲା । ମଦନଙ୍କ ଦ୍ୱାରା ସେଥିରେ ବିଘ୍ନ ଘଟିବାରୁ ସେ ମୋ ମନରେ ତୁମ ପ୍ରତି ସନ୍ଦେହ ଅଣାଇଲା । ଏବେ ସବୁ ଶେଷ । ଯଦି ପରଜନ୍ମ ଥାଏ, ତେବେ ଯାଇ ସେହିଠାରେ ଦେଖା-ସେହିଠାରେ ଭୁଲ ଠିକ୍‌ବିଚାର ।

 

ତୁମର

ହତଭାଗା ସ୍ୱାମୀ

 

ବିମଳା ଏବେ ପତିର ପ୍ରେମ ପାଇଁ ମରି ସ୍ୱର୍ଗରେ; ମୁଁ କିନ୍ତୁ ମରିପାରୁନାହିଁ । ମୁଁ ଏବେ ପଲ୍ଲୀବାସିନୀ ବିଧବା ।

***

 

କ୍ଷୁଧାତୁର

 

ସକାଳ ପହରୁ ବାଦ୍ୟ ବାଜୁଛି, ହୁଳହୁଳି ପଡ଼ୁଛି, ଲୋକେ ପାଟପତନି ପିନ୍ଧି ଯିବା ଆସିବା କରୁଛନ୍ତି, ଘୋ’ ଘା’ ଚହଳ ଶୁଭୁଛି । ଏ ସବୁ ଦେଖି ଶୁଣି ସୁକୁରାର ଆଉ ଧୈର୍ଯ୍ୟ ରହିଲା ନାହିଁ । ସେ ରାତି ପହରେ ଥାଇ ଭୋଜି ଖାଇବ ବୋଲି ଆସିଛି । କିପରି ଯେ ସେ ପାଞ୍ଚ ମାଇଲ ବାଟ ଆସିଛି, ତା’ ଛଡ଼ା ସେ କଥା ଆଉ କିଏ ଜାଣେନାହିଁ ।

 

ଯେଉଁଠାରେ ଭୋଜିଘରର ଅଇଁଠାପତ୍ର ପଡ଼େ, ଯେଉଁଠି ଅଇଁଠାପତ୍ରରୁ ଭାଗ ପାଇବା ପାଇଁ ଗାଁଯାକର କୁକୁର ଚିତ୍କାର ଛାଡ଼ୁଥାନ୍ତି, ସେହିଠାରେ ସେ ମନ ମୁତାବକ ଆସନ ବାଛିନେଇଛି-। ପୁଞ୍ଜାଏ ଅଇଁଠା ଖଲିକୁ ତଳେ ପକାଇ ସେଥି ଉପରେ ଉଚ୍ଛୁକ ନେତ୍ରରେ ସେ ଦାସଙ୍କ ଦୁଆର ଆଡ଼କୁ ଚାହିଁ ରହିଛି । ତାର ସେତେବେଳର ଚାହାଣୀ ଦେଖିଲେ କିଏ ଭାବିବ, ସତେ ଅବା ସେ ଏକ ମୃତ ବ୍ୟକ୍ତିର ସ୍ତୂପୀକୃତ କଙ୍କାଳ ।

 

ସୁକୁରାର ଲୁଗା ଭିତରେ ଖଣ୍ଡିଏ କଉପୁନି ଏବଂ ମୁଣ୍ଡରେ କେତେଗୁଡ଼ିଏ କନାଧଡ଼ିର ସମଷ୍ଟି । ଏହିପରି ଭାବରେ କି ଅମୂଲ୍ୟ ରତ୍ନ ପାଇବା ଆଶାରେ ସେହି ପରିତ୍ୟକ୍ତ ଭୂମିଖଣ୍ଡକରେ ଯେ ବସିଛି, ସେ କଥା ତାର ଲାଞ୍ଛିତ ଅନ୍ତରାତ୍ମା କେବଳ ବୁଝେ ।

 

ସୁକୁରାର ଗାଁ ନାହିଁ କି ଘରଦ୍ୱାର ନାହିଁ । ସେ ପର ଘରେ ମାଗି ଖାଏ, ପର ପିଣ୍ଡାରେ, ଗଛ ମୂଳେ ଶୁଏ ।

 

ସୁକୁରା ତା’ ଜୀବନର ଏତିକି ମାତ୍ର ଇତିହାସ ଜାଣେ ଯେ, ଅନେକ ଦିନ ତଳେ ତାର ଗୋଟିଏ ସାନ ଭଉଣୀ ଥିଲା । କେତେବର୍ଷ ତଳେ ଦୁହେଁ ଭିକମାଗି ଆସି ଏକ ଗାଁରେ ଜଣକ ପିଣ୍ଡାରେ ଶୋଇଲାବେଳେ କାହୁଁ ଏକ ହେଟାବାଘ ଆସି ଭଉଣୀଟିକୁ ଟାଣିନେଇଥିଲା । ସେହି ଭୟରେ ତାର ସେତେବେଳେ ଚେତା ବୁଡ଼ିଯାଇଥିଲା ।

 

ଜୀବନର ଏହି କଥାଟା କହିଲା ବେଳେ ସୁକୁରା କାନ୍ଦିପକାଏ । ଏହା ଛଡ଼ା, ଆଉ କାହା ଦୁଃଖରେ କେତେବେଳେ ହେଲା ତା’ ଆଖିରୁ ଟୋପେ ହେଲେ ଲୁହ ବାହାରେ ନାହିଁ ।

 

ସୁକୁରା ବସିଛି; ମାତ୍ର ତାର ଆଖି ଯାଇ ଦାସଙ୍କ ଦୁଆରେ । ଦୁଆରମୁହଁରୁ କିଏ ବାହାରି ପଡ଼ିଲେ ତା’ ମନରେ ଆଶା ପଶେ; ମାତ୍ର ସେ ଲୋକ ତା’ ଆଡ଼କୁ ପାଦ ନ ଚାଳିଲେ ସେ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି ପୁଣି ନୂଆ ଆଶା ଧରି ଦୁଆର ଆଡ଼କୁ ଏକ ଲୟରେ ଚାହିଁରହେ । ଦୁଆରମୁହଁରେ କିଏ କାହାକୁ ଆଉ କ’ଣ ପାଇଁ ହାତ ଠାରିଲେ, ସେ ଭାବେ ତାକୁ ସତେ କ’ଣ କିଏ କିଛି ଦେବ ବୋଲି ଡ଼ାକୁଛି କି ? ମାତ୍ର ପରମୁହୂର୍ତ୍ତରେ ସେ ନିଜ ଭୁଲ ନିଜେ ବୁଝିପାରି ଟିକିଏ ଲସିଯାଏ । ସେତେବେଳେ ତା’ ହୃଦୟ ଭିତରୁ ଏପରି ଏକ ନିଃଶ୍ୱାସ ବାହାରେ ଯେ ପାଖରେ ଥିବା କୁକୁରଗୁଡ଼ାକ ବି ଚମକିପଡ଼ନ୍ତି ।

 

ଲୋକେ ଯାଉଛନ୍ତି, ଆସୁଛନ୍ତି, ହସୁଛନ୍ତି, ଖେଳୁଛନ୍ତି; ମାତ୍ର ସୁକୁରା ପ୍ରତି କାହାର ହେଲେ ଦୃଷ୍ଟି ନାହିଁ । କୁକୁରପଲକ ଏକା ବେଳକେ ଭୁକି ଉଠିଲେ ଯଦି କିଏ ତା’ ଆଡ଼କୁ ଚାହେଁ, ସେ ଭାବେ ଯେ କୁକୁର ଦଳ ଭିତରେ ସେ ଗୋଟାଏ ମଣିଷ କୁକୁର ।

 

ମାତ୍ର ଜଣେ ଲୋକର ତା’ ଉପରକୁ ଦୃଷ୍ଟି ପଡ଼ିଛି । ସେ ହେଉଛି, ଦାସଙ୍କ ଘରର ଚାକରାଣୀ ବା ଦାସୀ । ଦାସୀ କୁକୁରପଲ ଆଡ଼କୁ ଚାହିଁଦେଇ ଘରକୁ ଚାଲିଯାଉଛି; ପୁଣି ଆସି କେଜାଣି କାହିଁକି ଦୁଆରମୁହଁରେ ଠିଆହେଉଛି ।

 

ଦାସୀର ନାଁ ଚମ୍ପୀ । ତାର ବୟସ ସେ ଜାଣେନାହିଁ । କେଉଁଠୁ ସେ କିପରି ଦାସଙ୍କ ଘରେ ଆସି ଅଛି, ସେ କହିପାରେ ନାହିଁ । ତା’ ଧନ୍ଦା ତାକୁ ବଳେ । ସକାଳୁ ଉଠି ସେ ଆଡ଼ିତିପତ୍ରରେ ଲାଗେ ଯେ ରାତି ପହରକୁ ବିଶ୍ରାମ ନିଏ- ଶୁଏ । ଚମ୍ପାର କେଜାଣି କାହିଁକି ମନ ହେଲା ସେ ଯାଇ ସେହି ଭିକାରି ସୁକୁରାକୁ ଡ଼ାକିଆଣନ୍ତା, ତାର ବଳକା ଥିବା ବାସିପିଠାରୁ ଖଣ୍ଡେ ଦିଅନ୍ତା । ମାତ୍ର ଏ କଥା କରି ଦେବାକୁ ତାର ପ୍ରାଣେ ପ୍ରାଣେ ଭୟ । ଦାସେ ଜାଣିଲେ କି ସେ ଆଉ ସେ ଘରେ ଥାନ ପାଇବ ?

 

ସୁକୁରା ଦୁଆରମୁହଁକୁ ଚାହିଁ ଚାହିଁ ରାତି ହେଲା; ଏଣେ ଚମ୍ପୀ ଆଖିକୁ ସୁକୁରା ଆଉ ଦେଖାଗଲା ନାହିଁ । ମାତ୍ର ସୁକୁରା ଦେଖୁଥାଏ, ଦାସଙ୍କ ଘରର କଡ଼ପଟ ଦୁଆରମୁହଁରେ ଆଲୁଅ ପାଖରେ କିଏ ଜଣେ ତା’ରି ଆଡ଼କୁ ଚାହିଁରହିଛି । ସେତେବେଳେ ତାର ମନେହେଉଥାଏ, ଯାଇ ପାଟିକରି ମାଗିଦେବ- ‘‘ପୁଞ୍ଜିଏ ଅଇଁଠା ହୁକୁମ ହେଉ ।’’

 

ସକାଳୁ ସନ୍ଧ୍ୟା ହେଲା, ସୁକୁରା ଏକାପରି ସେହିଠାରେ ବସି ରହିଛି । ତାର ଗୋଡ଼ହାତ ଆଉ ଉଠିଲା ନାହିଁ ।

 

କ୍ରମେ ଆଖିପତା ଦୁଇଟା ଭାରାକ୍ରାନ୍ତ ହୋଇଆସିଲା ।

 

ମୁଣ୍ଡ ଉପରକୁ ଚନ୍ଦ୍ର ଉଠିଲା ବେଳକୁ ଦାଣ୍ଡରେ ଭୋଜିସଭା ବସିଲା । ମଝିରେ କେତେଟି ଦୀପ-ଆଲୁଅ, ତାର ଦୁଇ ପାଖେ ଦୁଇ ଧାଡ଼ି ଅତିଥି ବସିଗଲେ । ତାହା ସତେ ଯେପରି ଚିଲିକାର ନଳବଣ-ପାଖାପାଖି ଦୁଇ ଧାଡ଼ି ମତ୍ସ୍ୟଲୋଭୀ ବକଙ୍କର ଭୋଜି-ସଭା ।

 

ମୁହୂର୍ତ୍ତକେ କୋଳାହଳ ଲୋପ ହେଲା; ମାତ୍ର ହାତ ଓ ପାଟିର ଦୈାଡ଼ ଅଭିନୟ ଚାଲିଲା-। ଅଭାଗା ସୁକୁରା ସେତେବେଳେ ଦୂରରେ ବସି ଅଜ୍ଞାତରେ ଠିକ୍‌ସେହିପରି ଅଭିନୟ କରିପକାଇଲା । ମାତ୍ର ଯେତେବେଳେ ତା’ ହାତରେ ଦାଣ୍ଡର ଧୂଳି ଯାଇ ପାଟିରେ ବାଜିଲା, ତା’ ମୋହ ଭାଜିଲା । ଦେଖିଲା, ତା’ ପାଖରେ କୁକୁର କେତେଟା ତାହାରି ପରି ଜିଭ ଚାଟିବାରେ ଲାଗିଛନ୍ତି ।

 

ପରଶୁଣୀମାନେ ଯେତେବେଳେ ସୁକୁରା ବସିଥିବା ଦିଗ ଆଡ଼କୁ ପରଶି ପରଶି ଚାଲିଥାନ୍ତି, ସେ ଭାବେ, ସତେ ଅବା ସେମାନେ ବାଟ ଭୁଲି ତା’ ଆଡ଼କୁ ଚାଲିଯିବେ । ଆସିଗଲେ, ସେ ଭାତ ତରକାରୀ ହାତରେ ଧରିବ କି କାନି ପତାଇ ଧରିବ, ଭାବିପକାଏ । ମାତ୍ର ଏ ମୋହ ତାର ବେଶୀ ସମୟ ରହେନାହିଁ ।

 

ଏହିପରି ଭାବରେ ଅଳ୍ପକାଳ ମଧ୍ୟରେ ସୁକୁରା ପ୍ରାଣର ତୁମୁଳ ଯୁଦ୍ଧ ଶେଷ ହେଲା । ଭୋଜି ସରିଲା, ଦୀପ ଲିଭିଲା, ଅନ୍ଧାର ହେଲା, ଅଇଁଠାପତ୍ର ପାଇଁ ଗାଁମୁଣ୍ଡରେ କୁକୁର ଦଳ କଳିଲଗାଇଲେ-ତା’ପରେ ଗଁ-ଗଁ ଶବ୍ଦ ହେଲା । ଏ ଶବ୍ଦରେ ଗାଁର ସେ ପାଖଟାଯାକ ଚମକିପଡ଼ିଲା-

 

ସେତେବେଳେ ସେ ଅନ୍ଧାର ରାଜ୍ୟରେ ସୁକୁରାର କ’ଣ ହେଲା କିଏ କହିବ ?

 

କିଛି ସମୟ ପରେ ଜଣେ ସ୍ତ୍ରୀଲୋକର ସେହିଠାରେ ପାଟି ଶୁଭିଲା, ‘‘କିଏ ଅଛ, କାନି ଦେଖାଅ ।’’

 

କିଛି ସମୟ ପରେ ପୁଣି ଗଁ-ଗଁ ଶବ୍ଦ ଶୁଭିଲା । ସଙ୍ଗେ ସଙ୍ଗେ ଚିତ୍କାର ଉଠିଲା- ‘‘ଏ-ମାଆଲୋ ! ଧାଇଁଆସ, ଧାଇଁଆସ ।’’

 

ଏତେ ରାତିରେ କାହାକୁ କି ବିପଦ ପଡ଼ିଲା ଜାଣି ଲୋକେ ଯାଇ ସେଠାରେ ଜମା ହେଲେ । ଦାସେ ଦୀପଟାଏ ବାଁ ହାତରେ ଧରି, ତିନିହାତ ଖଣ୍ଡେ ଗୋଡ଼ ପରକା କରି ଓ ହଟି ଚାହିଁଲେ, ଘରର ଦାସୀ ଚମ୍ପୀ ଅଚେତା ହେଲା ପରି ପଡ଼ିଛି ଏବଂ ଗୋଟେ ଥାଳିପାଖରେ ପିଠା, ଭାତ, ତରକାରୀ କିଛି ବିଞ୍ଛାହୋଇଛି ।

 

ଚମ୍ପୀର ଗୋଡ଼ ଥରୁଥିଲା । ସେ ସାହାସ ପାଇ ଉଠିଲା । ଦାସେ ସେତେବେଳକୁ ଅଗ୍ନିଶର୍ମା ହୋଇ ସାରିଲେଣି । ସେ ତାକୁ କଟମଟ କରି ରାଗି ସମସ୍ତଙ୍କୁ ଶୁଣାଇଲା ପରି କହିଲେ-‘‘ଏ ଥରକୁ ମିଶି ଘରୁ ଚାରିପଟ ଥାଳି ତିନିପଟ ଗିନା ଚୋରିଗଲାଣି । ଏବେ ଜଣାପଡ଼ିଲଣା, ଏସବୁ ଚମ୍ପୀର କୃତ୍ୟ । ପିଲାଦିନରୁ ବାଘମୁହଁରୁ ଆଣି, ଘରେ ପୋଷିକରି ରଖିବାରେ ଏହି ଫଳ ମିଳିଲା ପରା !’’

 

ଚମ୍ପୀ କ୍ଷୀଣ କଣ୍ଠରେ କହିଲା, ‘‘ନାଇଁ ବାପା, ମୁଁ ଆସିଥିଲି ଏଠି ଗୋଟିଏ ଭିକାରିକୁ ଅଇଁଠା ଭାତ ମୁଠିଏ ଦେଇଯିବାକୁ । ମାଆଙ୍କୁ କହି ଏତକ ମାଗି ଆଣିଥିଲି ।’’

 

ସମସ୍ତେ ଠୋ-ଠୋ ହସିଉଠିଲେ । ଚମ୍ପୀର ପୁଣି ଦୟା ! ଏ ତାଚ୍ଛଲ୍ୟର ହସ ଚମ୍ପୀ ବୁଝିପାରିଲା । ସେ ଆଉ କିଛି କହି ପାରିଲା ନାହିଁ ।

 

ଆର ଦିନ ସକାଳୁ ଦେଖାଗଲା, ଅଇଁଠାପତ୍ର ଗଦାରେ ଜଣେ ଭିକାରି ମରିପଡ଼ିଛି । ତା’ ତୋଟିପାଖରୁ ରକ୍ତଧାର ବୋହି ଶୁଖିକରି ଲାଗିଛି । ହାତରେ ମୁଠାଏ ଅଇଁଠା ଖଲିପତ୍ର ଅଛି । କୁକୁରଦଳ ତାଙ୍କ କାର୍ଯ୍ୟ ଶେଷକରି ସେଠାରୁ ଚାଲିଯାଇଛନ୍ତି ।

 

ଏକଥା ଦେଖି ଗାଁର କିଏ କିଏ କହିଲେ, କାଲି ସେଠାରେ ଉଇହୁଙ୍କା ପରି ଆଣ୍ଠୁ ଦୁଇଟା କାଢ଼ି ଗୋଟେ କିଏ ବସିଥିଲା । ହେଲେ ବାଘ, ନ ହେଲେ ଅଇଁଠା ଖଲି ଚାଟିଲାବେଳେ କୁକୁର ବେକକୁ ଧରି ପକାଇଛି ।

 

ସୁକୁରାର ମର୍ମବ୍ୟଥା, ଚମ୍ପୀର ଅନ୍ତରର କଥା କିଏ ଆଉ ଜାଣିଲେ ନାହିଁ । ସେହିଠାରେ, ଜଗତ୍‌ର ଧନକୁବେରଙ୍କ ଦୁଆରେ ଜଗତ୍‌ର ଗୋଟିଏ ଦରିଦ୍ର ନାରାୟଣର ଅନ୍ତର-ପିପାସା ଚିରକାଳ ପାଇଁ ଲୁଚିଗଲା ।

***

 

ବ୍ରାହ୍ମଣୀ

 

ଅନ୍ଧକାର ! ଅନ୍ଧକାର ! ଦିଗଦିଗନ୍ତ ଧରି ଅନ୍ଧକାର ଘୋଟି ରହିଛି । ଆଶ୍ୱିନ ରାତିର ଶେଷ ପ୍ରହର, ଜଗତ୍‌ର ସକଳ କୋଳାହଳ ହିମାଳୟର ବରଫ ପରି କେଉଁ ବାୟୁଜଗତରେ, କେଉଁ ଜୀବଜଗତରେ, କେଉଁଠି ଜମାଟ ବାନ୍ଧ ରହିଛି, ବୁଝିବା ଅସମ୍ଭବ । କେତେବେଳେ ପୂର୍ବଆକାଶରେ ସିନ୍ଦୂରା ଫାଟିବ, କେତେବେଳେ ଏ ଜମାଟ ବରଫ ଅନନ୍ତ ସ୍ରୋତରେ ଜଗତରେ ବହିବ, ଆମ ସମସ୍ତଙ୍କ ହୃଦୟରେ ସେହି ଏକା ଚିନ୍ତା ।

 

ଉପରେ ମେଘ, ତଳେ ପୃଥିବୀ- ଆମ ଚାରିପାଖେ ଖାଲି ଅନ୍ଧକାର । ପାଦ ଚାଲିଛି, ହୃଦୟ ଭିତରେ ଭାବନା-ସ୍ରୋତ ବି ଚାଲିଛି । ଏଥି ସଙ୍ଗେ ସଙ୍ଗେ କୂଳପ୍ଲାବିନୀ ବ୍ରାହ୍ମଣୀର ସ୍ରୋତ ମଧ୍ୟ ଚାଲିଛି । କେତେବେଳେ ଉନ୍‌ମତ୍ତା ଭାବରେ, କେତେବେଳେ ନବ-ଅଭିସାରିକାର ରୁଣୁଝୁଣୁ ପାଦକିଙ୍କିଣୀର ସ୍ୱରଲୟରେ ସେ କାହାକୁ କେତେ କଥା କହି ଚାଲିଯାଉଛି ।

 

ସେହି ନିବିଡ଼ ଅନ୍ଧକାର ଭିତରେ ବ୍ରାହ୍ମଣୀର ସୀମା ବାରିବା ବଡ଼ କଷ୍ଟ । ଆଖି ପାଉନାହିଁ, କେଉଁ ଅନ୍ଧାର ରାଜ୍ୟରେ, କେତେ ଦୂରରେ ସେ ମିଶିଛି । ଲହରୀ ଆସି କୂଳରେ ମୁଣ୍ଡ ପିଟି ଯାଉଛି, କେତେବେଳେ ବା ଗଭୀର ଗଣ୍ଡରେ ମତ୍ତଗାମିନୀର ନୃତ୍ୟ ଆରମ୍ଭ ହେଉଛି ।

 

ହଠାତ୍‌ଉପରେ ତାରାଟିଏ ଉଇଁଲା, ସଙ୍ଗେ ସଙ୍ଗେ ଶତ ଶତ ତାରା ରୂପରେ ସେ ବ୍ରାହ୍ମଣୀର ତରଙ୍ଗମୟ ବକ୍ଷରେ ପ୍ରତିବିମ୍ବିତ ହୋଇଉଠିଲା । କେଉଁ ଅନନ୍ତଲୋକର କ୍ଷୀଣ ଆଲୋକଧାରା ଆମ ହତଭାଗା ଦଳକୁ ପଥ ଦେଖାଇଲା ପରା !

 

ପୂର୍ବଦିଗରୁ ଦମକାଏ ଥଣ୍ଡାପବନ ବହି ଆସିଲା । ଖାଲି ପବନ ବହି ଆସିଲା ନାହିଁ, ସଙ୍ଗେ ସଙ୍ଗେ କେତେ ସହସ୍ର ତରଙ୍ଗ ଆସି ଆମରି ପାଦତଳେ ବେଳାଭୂମିରେ ଅଜାଡ଼ି ଦେଇଗଲା- ଏକସମୟରେ ସଙ୍ଗୀତ ଉଠିଲା-‘‘ଖଳ୍‌, ଖଳ୍, ଖଳ୍ !’’ ଅତର୍କିତରେ ଆମ ପାଦ ଘୁଞ୍ଚିଗଲା, ଅଜ୍ଞାତଭାବରେ ଏ ହୃଦୟ ଭିତରେ ରହସ୍ୟର ଏକ ଯବନିକା ଫୁଟିଗଲା । ଏଣେ ସଙ୍ଗେ ସଙ୍ଗେ ସେହି ପବନ ଦାଉରେ ପାଖ ଲତାଗୁଡ଼ିକ ଆମରି ପରି ଥରିଉଠିଲେ । ଦୂରରେ ଚକ୍ରବାକ ଡ଼ାକି ଉଠିଲା- ‘‘କେକେରେ ! କେକେରେ ! କେକେରେ !’’

 

ଯାତ୍ରୀ ଆମେ ପନ୍ଦରଜଣ; କିନ୍ତୁ ସେତେବେଳେ କେତେ ପନ୍ଦରଗୋଟି ଭାବନା ଯେ ଆମ ହୃଦୟକୁ ଅଧିକାର କରି ବସିଥିଲା, ସେ କଥା କିଏ କଳନା କରିବ ? ଜଣେ ବନ୍ଧୁ କହିଉଠିଲେ- ‘‘ଆଜି ରାତିରେ ବ୍ରାହ୍ମଣୀ କିଆଁ ବାୟାଣୀ ପରି ଚାଲିଛି ? ଆମକୁ ତ ଚିହ୍ନିପାରୁନାହିଁ ।’’

 

କଥାଟା ସମସ୍ତଙ୍କ ହୃଦୟକୁ ବଡ଼ ଘେନିଲା । ବ୍ରାହ୍ମଣୀ ଚିହ୍ନୁ ନାହିଁ ? କେତେଦିନର ପରିଚିତ ବନ୍ଧୁ । କେତେ ଦିନ, କେତେ ରାତି ଏହିପରି କେତେ ଲହରୀ ସଙ୍ଗେ ଖେଳିଛନ୍ତି, କେତେଥର କେତେ ହୃଦୟ-ପ୍ରତିମାକୁ ଏହି ଲହରୀକୋଳରେ ମିଶାଇ ଦେଇଛନ୍ତି, କେତେ ନାଆ ବାହିଛନ୍ତି, କେତେ ଗୀତ ଗାଇଛନ୍ତି, କେତେ କ’ଣ ଗୋପନ କଥା କହିଛନ୍ତି; କିନ୍ତୁ ଆଜି ତ ସେ ଚିହ୍ନୁନାହିଁ !

 

ରହସ୍ୟରେ ଆଉ ଜଣେ ବନ୍ଧୁ ହସିଉଠିଲେ । କହିଲେ-ଚିହ୍ନୁନାହିଁ ? ସେ କଥା ଭୁଲ । ସେ ଚିହ୍ନିଛି- କିନ୍ତୁ ତାକୁ ଆମେ ଚିହ୍ନି ନାହେଁ ।

 

ଏଇଠି ଝଗଡ଼ା ଆରମ୍ଭ ହେଲା । ଦଶପନ୍ଦର ସ୍ୱର ଏକାଠି ମିଶିଲା । ବ୍ରାହ୍ମଣୀକୂଳର କଳକଳ ଲହରୀ ସଙ୍ଗୀତ ତୁଲେ ଆଉ ଦଶଟି ତରଳ ହୃଦୟର ସ୍ୱରଲହରୀ ଯେପରି ପ୍ରତିଯୋଗିତା କରିଉଠିଲା । ସମସ୍ତେ ଏକସ୍ୱରରେ କହିଲେ, -‘‘ଭାରି ତ ଚିହ୍ନିବା ଲୋକଏ ! କହୁଛନ୍ତି କ’ଣ ନା, ନଈ ଚିହ୍ନୁଛି, ଆମେ ଚିହ୍ନୁନାହେଁ ! କେତେଥର ତ ନଈ ତୁମକୁ ଚିହ୍ନି କୋରା, ପାଚିଲା କଦଳୀ ଦେଇଥିବ ! ଆଛା, ଆମକୁ ସିନା ଚିହ୍ନୁ ନାହିଁ, ତୁମେ ତ ତାଙ୍କ ବନ୍ଧୁ ପରି ଦିଶୁଛ ହେ ଭାଇ, କହିଲ ଭଲା, ତୁମକୁ କାହିଁକି ଏ ଅନ୍ଧାର ରାତି କଦର୍ଥନା କରି ମାରୁଛି ? ମୁଣ୍ଡରେ ବୋଝ ମୁଣ୍ଡେଇ ତୁମେ ଭଲା ଏତେ ଦୁଃଖରେ ଏଠି କିଆଁ ଠିଆହୋଇଛ ? ସତେ ଯେପରି ନଈର ବନ୍ଧୁ !

 

ପୁଣି ସମସ୍ତେ ହସିଉଠିଲେ । ସେ ବିଚାରା କିନ୍ତୁ ନୀରବ ରହିଲାନାହିଁ । ଆହୁରି ଉତ୍ସାହ ଓ ଉତ୍ତେଜନାରେ କହିଲା- ନାହିଁ ଭାଇ, ଏ ଥଟ୍ଟାର କଥା ନୁହେଁ । ଏ ମାତୃରୂପିଣୀ ବ୍ରାହ୍ମଣୀର ପାଣି ପାଣି ନୁହେ, ଏ ଦୟାବତୀ ମାଆ, ଏ ସ୍ନେହମୟୀ ଜନନୀ । ଆଜି ଏ କାନ୍ଦୁଛି, ଆଜି ତାର ଅନନ୍ତ ଲୁହଧାରାରେ ଦୁଇକୂଳକୁ ବୁଡ଼ାଇ ଦେଇ ଚାଲିଛି । ଏ ଦିନରେ କାନ୍ଦେ ନାହିଁ, ରାତିରେ କାନ୍ଦେ । ବ୍ରାହ୍ମଣୀର ଏପରି ସଙ୍ଗୀତ ତୁମେ କେବେ ଦିନରେ ଶୁଣିଛ ?

 

ବନ୍ଧୁମାନଙ୍କର ଥଟ୍ଟା ପରିହାସର ଉତ୍ତେଜନା କ୍ରମେ କମି ଆସିଲା । ଏ କ’ଣ ପାଗଳ, ନଈକୁ ମାଆ ବୋଲି କହୁଛି-ନଈ କାନ୍ଦିବାର କଥା କହୁଛି !

 

ପୁଣି ସେ ବନ୍ଧୁ ଟିକିଏ ରହି, କେତେ ଯୁଗର କେତେ ପୁରାତନ ସ୍ମୃତି ମନେପକାଇଲା ପରି କହିଲେ,‘‘ଏ ବ୍ରାହ୍ମଣୀର . . .’’

 

ଏତିକି କହି କ’ଣ ଭାବିଲେ । ସେ ଅନ୍ଧକାରରେ ତାଙ୍କ ମୁହଁକୁ କେହି ଦେଖିବାକୁ ପାଇଲେ ନାହିଁ । ଦିନବେଳା ହୋଇଥିଲେ ଦେଖାଯାଇଥାନ୍ତା, ସତେ ଯେପରି ସେ କେଉଁ ରହସ୍ୟର ପିରାମିଡ଼୍ ଭିତରେ ପଶି ଶତସହସ୍ର ଯୁଗର ପାଷାଣପନିହିତ ସ୍ମୃତିକୁ ଖୋଜୁଛନ୍ତି ।

***

 

(୨)

 

ଠିକ୍‌କୂଳକୁ ଲାଗି ଦୁଇ-ଚାରିଟି କୁଡ଼ିଆ । ସେଠାକୁ ଜଳର କଳକଳ ନାଦ ଶୁଭେ, ଲହରୀର ଛଳଛଳ ରୂପ ଦିଶେ । ସେଠି ତାରାର ଢଳଢଳ ଛାୟା ପଡ଼େ । ସେଠି ରାତିରେ ବସିଲେ ସେପାରିର ଦିଗନ୍ତ ତରୁରାଜିର ଛାୟା ଚିଲିକାକୂଳରେ ପାରିକୁଦର କ୍ଷୀଣ ଛାୟା ଦିଶିଲା ପରି ନୀଳାଭ ଦେଖାଯାଏ । ସେଠି ବସି ଗୀତ ଗାଇଲେ, ଲହରୀ-ସଂଗୀତ ସଙ୍ଗେ ମିଶି ତାର ଦୂରାଗତ ପଥିକ କାନକୁ ଅଲଗା ଜଣାପଡ଼େନାହିଁ । ସେଠି ଥରେ ଆଖି ବୁଜି ଶୋଇପଡ଼ିଲେ ଜଣାପଡ଼େ, ସତେ ଯେପରି ଲହରୀ ଉପରେ ଭାସି ଭାସି, ହସି ହସି ବ୍ରାହ୍ମଣୀର ଅନନ୍ତ ଲକ୍ଷ୍ୟପଥରେ ଏ ପ୍ରାଣ ଭାସିଯାଉଛି, ଏ ଜୀବନ ମିଶିଯାଉଛି ! ସେପାଖ ତରୁରାଜିର କୁସୁମସୈାରଭ ଏ ପାଖକୁ ଭାସିଆସେ । ସେ ପାଖର ପକ୍ଷୀ ଏ ପାଖକୁ ଉଡ଼ିଆସି ନଦୀବକ୍ଷରେ ତାର ଅବାଧ ଗତି ଥିବାର ପରିଚୟ ଦେଇଯାଏ । ବର୍ଷାଦିନର ବିଜୁଳିରେଖା ସେହି କୁଡ଼ିଆ ଖଣ୍ଡିକୁ ପ୍ରତି ମୁହୂର୍ତ୍ତରେ ଆଲୋକିତ କରୁଥାଏ । ଆଷାଢ଼ର କଳାହାଣ୍ଡିଆ ମେଘ ସେହି କୁଡ଼ିଆ ସିଧା ଆକାଶକୁ ଉଠିଲେ ସେପାଖର ନାଉରୀଭାଇ ନଈ ମଝିରୁ ନାଆ ଫେରାଇନିଏ ।

 

ଏହିପରି ସେ କୁଡ଼ିଆଖଣ୍ଡି । କେତେ ଯୁଗର କେତେ ସ୍ମୃତି ସେଠି ନିହିତ ଅଛି କିଏ କହିବ ? କହିଲେ ସେହି ପକ୍ଷୀ କହିବ; କହିଲେ ସେ ପବନ କହିବ । ମନୁଷ୍ୟ-ହୃଦୟରେ କି ତାହା ସମ୍ଭାଇ ପାରେ ? ମନୁଷ୍ୟ ଜୀବନ କି ଏତେ ଯୁଗର ଏତେ ସ୍ମୃତି ଧରିରଖିପାରେ ?

 

ପନ୍ଦରଜଣ ଯାତ୍ରୀ ଆମେ- ସେହି କୁଡ଼ିଆର ପିଣ୍ଡା ଖଣ୍ଡିକରେ ଆଶ୍ରୟ ନେଲୁ । ମୂକ ଭାବରେ ଦୁଇ ଚାରିଟା ଗାଈ ଆମକୁ ଚାହିଁରହିଲେ । କୁଡ଼ିଆ ପାଖ ବୁଦା ଭିତରେ ଦୁଇ-ଚାରିଥର ପକ୍ଷୀ ଫଡ଼ଫଡ଼ ଶବ୍ଦ ଶୁଭିଲା । ଆମେ ଅପରିଚିତ, ଆମକୁ ସେମାନେ ଚିହ୍ନିପାରିଲେ ନାହିଁ ବୋଧହୁଏ !

 

କିନ୍ତୁ ବ୍ରାହ୍ମଣୀ- ସେ ନୀରବ ରହିଲା ନାହିଁ ସେ ଯାହା ଗାଇଯିବାର ଗାଇଗଲା, ଯାହା କହିବାର କହିଗଲା । ତାର ହୃଦୟ ଆବେଗକୁ ବାଧା ଦେବା ପାଇଁ ଏ ମହୀମଣ୍ଡଳରେ ଅଛି କିଏ ?

 

ପଥକ୍ଲାନ୍ତ ପଥିକ ଆମେ, ହୃଦୟ ଭିତର ଜଡ଼ ହୋଇ ଆସିଛି, ଆଖି ଦୁଇଟା ଜନ୍ମାଷ୍ଟମୀର ମହାମାୟୀ ରଜନୀର ଛାୟା ପରି ଗଭୀର ନିଦ୍ରାରେ ଘୋଡ଼ାଇ ହୋଇପଡ଼ିଛି । କିଏ କାହାକୁ କିଛି ନ କହି ବସି ରହିଲୁ । ସେତେବେଳେ ତାହା ଆମ୍ଭମାନଙ୍କର ନିଦ୍ରାବସ୍ଥା କି ଜାଗ୍ରତ ଅବସ୍ଥା ଜାଣିପାରିବାର ଶକ୍ତି ନ ଥିଲା ।

***

 

(୩)

 

‘‘ଶୁଣିବ ବନ୍ଧୁ ବ୍ରାହ୍ମଣୀର ପରିଚୟ !’’ -ସେହି ଅବସ୍ଥାରେ ସମସ୍ତଙ୍କୁ ଯେପରି ଏହି ଏକା ଶବ୍ଦ ଶୁଣାଗଲା ! କେହି ଆଖି ଫିଟାଇଲେ ନାହିଁ - ଶୋଇ ରହିଲେ ।

 

ପୁଣି ଶୁଭିଲା- ‘‘ଏହିଠାରେ ଘର ତାର, ଏହିଠାରେ ଘର । ଏହି ଧୂଳିରେ ତାର ପାଦଧୂଳି ମିଶିଛି, ଏହି ପବନରେ ତାର ବୁକୁର ନିଃଶ୍ୱାସ ଲାଗି ରହିଛି । ସେ ବହୁତ ଦୂରର କଥା, ଏହି ଯେଉଁ ଗୋଟି ଗୋଟି ଲହରୀ ଆସି ଏହି ଦଶହାତ ଦୂରରେ ମୁଣ୍ଡ ପିଟୁଛନ୍ତି, କାହିଁକି ପିଟୁଛନ୍ତି ଜାଣ ?’’

 

ନିଦ୍ରାଭିଭୂତ କେତେଜଣ ପଥିକ ସ୍ୱପ୍ନଭୋଳରେ କଡ଼ ଲେଉଟାଇଲା ପରି ହେଲେ । ପୁଣି ସ୍ୱରଲହରୀ ଶୁଭିଲା - ବ୍ରାହ୍ମଣୀ କାନ୍ଦୁଛି - ବ୍ରାହ୍ମଣୀ ତାର ଲହରୀ ଛଳରେ କାନ୍ଦୁଛି । ଅବଳା ସେ, ନ କାନ୍ଦିବ ବା କିପରି ? ହୃଦୟ ତାର ଲହରୀରୁ ବଳି ତରଳ, ଜୀବନ ତାର କୁସୁମ ସୌରଭଠାରୁ ରସମୟ । ଏକଥା ତ ଭାଇ ପ୍ରତିଦିନ ଦେଖୁଛ । ପ୍ରତିଦିନ ତ ଏହି କୂଳରେ ବସୁଛ, ପ୍ରତିଦିନ ତ ଏହି କୂଳରେ କେତେ ଖେଳ ଖେଳୁଛ । ଟାଣ ପବନ ନ ଥିଲା ବେଳେ ତୁଚ୍ଛାଟାକୁ ଧୀରିଧୀରି ଲହରୀ ଉଠି ଯେତେବେଳେ ତୁମର ଗୋଡ଼ତଳେ ପିଟିହେଉଥାଏ, ତହିଁର କାରଣ କ’ଣ ଏ ପର୍ଯ୍ୟନ୍ତ ଜାଣି ନାହିଁ ? ସେ ପିଟି ହୁଏ ନାହିଁ, ସେ କଥା କହିବାକୁ ଚେଷ୍ଟା କରେ । ତୁମରି ପରି କେତେ ସ୍ନେହର ଜିନିଷକୁ ଏପର୍ଯ୍ୟନ୍ତ ସେ ଖୋଜି ଖୋଜି ପାଇନାହିଁ । କେଉଁ ଦୁର୍ଗମ ପାହାଡ଼କୋଳରୁ ଦୁର୍ବାର ସମୁଦ୍ର ପର୍ଯ୍ୟନ୍ତ ସେ ଖୋଜି ଖୋଜି ଯାଉଛି; ତୁମରି ପରି କେତେ ସରଳ ହୃଦୟ ପାଖେ ହୃଦୟର ତରଳ ବ୍ୟଥା କହିବାକୁ ଚେଷ୍ଟା କରୁଛି; କିନ୍ତୁ ଦିନେହେଲେ କେହି ତାର ବ୍ୟଥା ବୁଝିଲା ନାହିଁ ।’’

 

‘‘ଆଗରୁ କହିଛି, ଏହିଠାରେ ସେ ଘର କରିଥିଲା । କେତେ ସୁଖସଂପଦରେ ବଢ଼ିଥିଲା, କେତେ କ’ଣ ଆଶା ଧରି ଜୀବନର ସାଧନମନ୍ଦିରରେ ପୂଜାଫୁଲ ସଜାଡ଼ି ରଖିଥିଲା ସବୁ କୁଆଡ଼େ ତାର ଉଭେଇ ଗଲା । ତହିଁର ହିସାବ ଏ ପର୍ଯ୍ୟନ୍ତ କେହି ରଖିନାହାନ୍ତି ।’’

 

‘‘ଏ ବ୍ରାହ୍ମଣୀ କନ୍ୟା ଅନାଥିନୀ ଥିଲା । ତା ନାଁ ଥିଲା କମଳା । କମଳାର ରୂପଥିଲା, ଗୁଣଥିଲା । ଜୀବନର ଶୈଶବ ଶୁଭରେ କଟିଲା । କିଶୋରୀ ଜୀବନରେ ଏହି କୂଳେକୂଳେ ସେ ବାଲିର ଶଙ୍କର ଗଢ଼ି ପୂଜା କଲା। ଯୌବନରେ କେତେ ମଧୁର ସ୍ୱପ୍ନ ଦେଖିଲା ଜୀବନରେ ତିରିଶ ବର୍ଷ ପାଖାପାଖି କମଳାର ଗୃହସଂସାର ବଡ଼ ମଧୁମୟ ଥିଲା ।’’
 

‘‘ଏହିଠାରେ କମଳା-ଜୀବନରେ ଝଡ଼ ଆରମ୍ଭ ହେଲା । ଆଜି ଯେ ଏଠି ଝଡ଼ ଦେଖୁଛ, ଏ ତ ସାମାନ୍ୟ ଝଡ଼ - ଏ ତ ପ୍ରକୃତିର ଝଡ଼; କିନ୍ତୁ ସେ ଝଡ଼ ବଡ଼ ଭୟଙ୍କର - ତାହା ଭାଗ୍ୟରେ ଝଡ଼-। ସେ ଝଡ଼ କମଳାକୁ ସଂସାର-ସମୁଦ୍ରରେ ହଲଚଲ କରିଦେଲା । ସମୁଦ୍ର ଗର୍ଜନ ପରି ବିପଦରାଶି ତାକୁ ଚାରିଆଡ଼ୁ ଘୋଟିଆସିଲା । ବଜ୍ର ତାର ବୁକୁ ଉପରେ ନାଟକଲା । ମାତ୍ର ଲୁହ ତାର ଗଙ୍ଗାନଦୀର ଧାର ପରି କେତେ ପ୍ରାଣୀରେ ଶାନ୍ତି ଢ଼ାଳି ବହିଗଲା ........କିନ୍ତୁ ନିଷ୍ଠୁର ହୃଦୟ ତାହା ବୁଝିଲା ନାହିଁ ।’’

 

ସମସ୍ତେ ଶୋଇଲା ପରି ପଡ଼ିଥିଲେ । ପୁଣି ଏକା ସ୍ୱର ଉଠିଲା –

 

‘‘କମଳାର ଘର ଖଣ୍ଡିକ ଥିଲା ଶାନ୍ତିର କୁଟୀର । ବାଇଶି ବର୍ଷରେ ସେ ବିଧବା ହେଲା । ବିଧବା ଜୀବନର କଠୋର ସାଧନା ତାକୁ ମେଘାସନ ପରି ସଂସାରର ଝଡ଼-ତୋଫାନ ଭିତରେ ଦୃଢ଼ରୂପେ ରଖାଇପାରିଲା । ସେତେବେଳକୁ ତାର କୋଳର ସଙ୍ଖାଳୀ ଏକାଦେଶୀକୁ ପାଞ୍ଚବର୍ଷ । ପବିତ୍ର ଏକାଦଶୀରେ ଜନ୍ମ, ତେଣୁ ନାଁ ଏକାଦଶୀ । ଏକାଦଶୀକୁ ଜନ୍ମ କରି ଯେ କମଳାକୁ ପାଞ୍ଚବର୍ଷ ପରେ ବରାବର ଏକାଦଶୀ ବ୍ରତ ପାଳିବାକୁ ହେବ, ଏକଥା ସେ ପୁଅର ନାଁ ଦେଲାବେଳେ ଜାଣି ନ ଥିଲା ।’’

 

‘‘ବିଧବା ଅନାଥିନୀ କମଳାର ସାଧନା ଭୁଇଁ ଏ, ଆଜି ଏ ନିଷ୍ଠୁର ମାନବର ନିବାସସ୍ଥଳୀ ହୋଇଛି । ପବିତ୍ର ଯଜ୍ଞକୁଣ୍ଡରେ ଆଜି କୁକୁର ବସା ବାନ୍ଧିଛି । ଗୌରବମୟ କୋଣାର୍କ ଦେଉଳରେ ଆଜି ପଶ୍ଚିମଦେଶର ଜଳଦସ୍ୟୁ ଅତ୍ୟାଚାରର ପୀଠ ତିଆରି କରିଛି । ଛି, ଛି, ସେକଥା କହି ଆଉ କିଛି ଲାଭ ହେବନାହିଁ । ବିଧବା କମଳାକୁ ସମାଜ ଅପବାଦ ଅପମାନକୁ ସେ ଖାତିର ନ କରି ନିଜ ସାଧନା ନିଜେ କରିଗଲା ।’’

 

‘‘ଏହି ଘାଟପାଖେ, ଏହି କୁଟୀର ସ୍ଥାନରେ ଶତ ଶତ ଅତିଥିଙ୍କ ସେବା ଚାଲିଲା । ବିଧବା କମଳାର ଶାକାନ୍ନ କେତେ କ୍ଳାନ୍ତ ହୃଦୟରେ ଅମୃତ ସିଞ୍ଚିଲା । ଯେତେବେଳେ ବୈଶାଖର ତାଳୁଫଟା ଖରା, ଏ ସମଗ୍ର ବାଲୁକାରାଜ୍ୟରେ ଅଖଣ୍ଡଲୀଳା ବିସ୍ତାର କରିଥାଏ, ସେତେବେଳେ ଏହି ସ୍ଥାନରେ ବିଧବା କମଳାର ପାଣି ଆଞ୍ଜୁଳାକ ଯେ କେତେ ଆକୁଳ ହୃଦୟରେ ଆଶାର ମନ୍ଦାକିନୀ ଧାରା ବୁହାଇଛି, ତାର ହିସାବ ନାହିଁ । ପୁଣି ଧାରାଶ୍ରାବଣର ନିବିଡ଼ ଅନ୍ଧକାର, ଭୀଷଣ ବଜ୍ର-ବିଜୁଳିର ଲୀଳା ଭିତରେ କେତେ ପଥହୁଡ଼ା ଯେ ଏହିଠାରେ ପଥ ପାଇ, ଏହିଠାରେ ମୁଣ୍ଡ ଗୁଞ୍ଜି ଜୀବନର ମୂଲ୍ୟ ବୁଝିଛନ୍ତି, ସେକଥା ସେହିମାନେ ହିଁ ଜାଣନ୍ତି । ପୌଷ-ଜାଡ଼ରେ ହାତଗୋଡ଼ ପଙ୍ଗୁ ହୋଇ ଆସିଲା ବେଳେ ବାରଗାଁବୁଲା ଭିକାରି ଏହିଠାରେ ପିଣ୍ଡାରେ ବସି କମଳାର ଛିଣ୍ଡା କମ୍ବଳ ଖଣ୍ଡିକରେ କେତେ ସୁଖର ରାତି ପୁହାଇଯାଇଛନ୍ତି । ଏହିପରି କେତେକେତେ କଥା ଏହି ସ୍ମୃତିମୟ ଭୂମିଖଣ୍ଡକରେ ଲେଖାଅଛି ।’’

 

‘‘କମଳା ସାକ୍ଷାତ୍‌ ମାତୃରୂପିଣୀ ଥିଲା । କମଳା କେବଳ ଏକାଦଶୀର ମାଆ ନ ଥିଲା, ସେ ହତାଶ ପଥହୁଡ଼ାଦଳଙ୍କର ମଧ୍ୟ ମାଆ ଥିଲା । ଏହିପରି ଶାନ୍ତିମୟ କୁଟୀର ଭିତରେ ଦିନେ ରାତିରେ ଏକ ପଥିକ ଆସି ଭେଟିଲେ । ସେ ଦିନ ଗହ୍ମାପୂର୍ଣ୍ଣମୀ । ଏ ନଈ ସେଦିନ ଦୁଇକୂଳ ଖାଇ ଚାଲୁଥିଲା । କମଳାର କୁଟୀର ଭିତରେ ଅତିଥିଚର୍ଚ୍ଚାର ଧୁମ୍‌ଚାଲିଲା । ସେ ଗୋଡ଼ ଧୋଇବାକୁ ପାଣି ଦେଲା, ବସିବାକୁ ଆସନ ଦେଲା । ତେଣେ ଯାହା କିଛି ରାନ୍ଧିବାର ଥିଲା, ଚୁଲୀ ଲଗାଇ ବସାଇଦେଲା ।

 

‘‘ବାଟର ପଥିକ ସେଥିରେ କିଛି ଖବର ରଖିଲା ନାହିଁ । ସେ ତ ସେଠି ଆଶ୍ରୟ ନେବାକୁ ଆସି ନ ଥିଲା । କମଳାର କୋଳରେ ସଙ୍ଖାଳି ଏକାଦଶୀକୁ ସାଙ୍ଗରେ ଧରି ଯାଇ ବସିଲା ନଈକୂଳରେ । ପଥିକ ଠକ - ପଥିକ ଦସ୍ୟୁ । ଦସ୍ୟୁବୃତ୍ତି ତାର ବ୍ୟବସାୟ । ଜାତିରେ ସେ ଗଉଡ଼ । ଘର ତାର ପଟିଆ ସୀମା ଜଙ୍ଗଲ ଭିତରେ । ଏକାଦଶୀର ବେକର ମାଳିଟାକୁ ଏକ ହାତରେ ଟାଣି ଧରି ପଥିକ ପଚରିଲା - ଠିକ୍‌କହ, ଏ ଘରେ ଆଉ କି ସୁନା ଜିନିଷ ଅଛି ?

 

‘‘ଏକାଦଶୀ ପାଟିକଲା, ‘ମାଆ’ ।

 

‘‘ଏହି ଥରେ ମାତ୍ର ଚିତ୍କାର, ଆଉ କିଛି ଶବ୍ଦ ଶୁଭିଲା ନାହିଁ । ତରଙ୍ଗ ଶବ୍ଦରେ କେବଳ ବାଧା ପଡ଼ିଲା ତାର ପ୍ରତିଧ୍ୱନି କୁଟୀର ଭିତରେ ଯାଇ ପହଞ୍ଚିଲା ।

 

‘‘କମଳା ଧାଇଁ ଆସି ‘ଧନ ମୋର’ କହି ଚାହିଁ ଦିଏ ତ ଏକାଦଶୀର ବେକର ମାଳି ପଥୀକ ହାତରେ - ସେ ନିଷ୍ଠୁର ଲୋଲୁପ ଦୃଷ୍ଟିରେ ଥରେ କମଳାକୁ ଓ ଥରେ ନଦୀଗର୍ଭକୁ ଚାହୁଁଛି ।

 

‘‘କମଳା ଆଉ ବେଳ ସହିଲା ନାହିଁ । ସେ ଏକାଦଶୀକୁ ପାଣି ଭିତରୁ ଖୋଜି ଟାଣି ଆଣିବା ପାଇଁ ନଈକି ଡ଼େଇଁ ପଡ଼ିଲା.......।’’

 

ଆଖି ବୁଜି ପଡ଼ିଥିବା ଲୋକଙ୍କ ମଧ୍ୟରୁ କେହି କେହି ଚମକି ଉଠିଲା ପରି ହେଲେ ।

 

ପୁଣି ଶୁଭିଲା, ‘‘ତା’ପରେ ସବୁ ଶେଷ । କମଳା ଆଉ ଫେରିଲା ନାହିଁ । ଏବେ ସେହି ବ୍ରାହ୍ମଣୀ ବହୁଚି । କେତେଦିନ, କେତେମାସ, କେତେବର୍ଷ ଗଲାଣି; ବ୍ରାହ୍ମଣୀ ଆଉ ଫେରୁନାହିଁ । ବ୍ରାହ୍ମଣୀ ତାର କୋଳର ସଙ୍ଖାଳିକୁ ଖୋଜୁଛି । ସେ ଲହରୀ ଛଳରେ କାନ୍ଦୁଛି, ସେ ପବନ ସ୍ରୋତରେ କଥା କହୁଛି । ସେ ଆଷାଢ଼ମାସର ଅନ୍ଧାର ରୂପରେ ଗମ୍ଭୀର ହୋଇ ରହିଛି । ତାହାରି ହୃଦୟ-ଧନକୁ ଖୋଜି ଖୋଜି ସେ ଆମରି ପରି କେତେ ତରଳ-ହୃଦୟକୁ ଆଦରରେ ଲହରୀ-ହାତରେ ଆଉଁସି ପକାଉଛି । ଲହରୀ ଯାହା କହୁଛି, ତା’ର ଅର୍ଥ ଆଉ କିଛି ନୁହେଁ; ତାହା ହେଉଛି, ‘ଧନ ମୋର ସତେ କି ଏତେ ଦିନ ଫେରିପାଇବି ?’’

 

‘‘ଆଉ, ଏ ସ୍ମୃତିମୟ ଭୂମିଖଣ୍ଡକ ଉପରେ ଏ କୁଡ଼ିଆଖଣ୍ଡକ ଠିଆହୋଇଛି । ଆଜି ଆମେ ଏହି କୁଡ଼ିଆରେ, କମଳାର ମାତୃସ୍ନେହର ପୀଠ ଉପରେ ଆଶ୍ରୟ ନେଇଛେ !’’

 

‘‘ଲୋକେ କହନ୍ତି, ଏ ନଈ ନଈ ନୁହେ, ଏ ସେହି ବ୍ରାହ୍ମଣୀ; ଏ ସେହି ସ୍ନେହମୟୀ ମାଆ କମଳା ! ଏ ଅମୃତମୟର ଜନନୀ - କେତେବେଳେ କାନ୍ଦୁଛି, କେତେବେଳେ ହସୁଛି, କେତେବେଳେ ବାୟାଣୀ ହେଉଛି । ଆଜି ବାୟାଣୀ ହୋଇଛି । ଏହିପରି ରାତିରେ ସେ ତ ତାର ଧନକୁ ଖୋଜିବ ନାହିଁ ଆଉ ଖୋଜିବ କେତେବେଳେ ?’’

 

ବ୍ରାହ୍ମଣୀ ସେପଟେ ବୁଢା ନାଉରୀଭାଇର ଡ଼ାକ ଶୁଭିଲା - ‘କିଏ ହୋ ଭାଇ, ଆସୁଛି ?’

 

ସମସ୍ତେ ଉଠି ବସିଲେ । ନାଆ ଆସିଲା - ନାଆ ଚାଲିଲା । ସମସ୍ତେ କୁହାକୁହି ହେଲେ - କାଲି ଏକ ବିଚିତ୍ର ସ୍ୱପ୍ନ - ସ୍ୱପ୍ନ କି ଆଉ କ’ଣ କିଏ କହିବ ? କାଲି ତ ସଦାନନ୍ଦ କହୁଥିଲା, ‘ନଈ କାନ୍ଦୁଛି’ ବୋଲି ।

 

ସଦାନନ୍ଦ ନୀରବ ରହିଲା । ରାତିର କଥା ଆଉ ଥରେ ସେ କହିଲା ନାହିଁ, କେବଳ ଶୁଣି ହସିଦେଲା ।

 

ମଧୁପୁର

ତା ୧୭।୯।୧୯୩୧

***

 

ଭଗ୍ନହୃଦୟ

 

ବଜାରର ଏକ କ୍ଷୁଦ୍ର କୋଣରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ବଂଶୀ ଯୁବକ, ବୟସ ପ୍ରାୟ ପଚିଶି ହେବ; ମାତ୍ର ଏ ବୟସରେ ସେ ସଂସାରର ବହୁତ ଉତ୍‌ଥାନ ପତନ ସହିଥିଲା-। ଯେଉଁ ଦିନ ସେ ଗାଁ ମହାଜନ ଦ୍ୱାରା ସର୍ବସ୍ୱାନ୍ତ ହୋଇ ଗାଁ ଛାଡ଼ିଲା; ସେ ଭାବିଥିଲା ଯେ ଆତ୍ମହତ୍ୟା କରିବ; କିନ୍ତୁ ସେ ତାହା କରିପାରିଲା ନାହିଁ । ଭାଗ୍ୟ ପରୀକ୍ଷା ପାଇଁ ସେ ସିଧା ଗୋପାଳପୁର ଆସି ଜାହାଜ ଚଢି ରେଙ୍ଗୁନ ଚାଲିଲା । ତାକୁ ବାଧା ଦେବା ପାଇଁ କିମ୍ବା ତା’ ଲାଗି ଆଖିରୁ ଲୁହ ଗଡ଼ାଇବା ପାଇଁ ତା’ଘରେ କେହି ନଥିଲେ ।

 

ରେଙ୍ଗୁନ ସହରର ସତାଇଶ ନମ୍ବର ଏକ ହୋଟେଲରେ ବଂଶୀ ଜୀବନର କାର୍ଯ୍ୟ ଚାଲିଲା । ସେ ଦରମାରେ ହୋଟେଲରେ ଚାକିରି ଖଣ୍ଡିଏ ପାଇଲା । ତାର କାର୍ଯ୍ୟ ହେଲା ସେ ପ୍ରତିଦିନ ସକାଳୁ ହୋଟେଲ ମାଲିକ ପାଖରୁ ବୋଝେ ପିଠା, ଖଜା ,ଏବଂ ଗରାଏ ପାଣିନେଇ ବଜାର ଭିତରେ ବସି ବିକିବ, ସନ୍ଧ୍ୟାବେଳେ ମାଲିକ ଆଗେ ହିସାବ ଦେବ ।

 

ଏହି ଖଜା ବିକିବାବେଳେ ଦିନେ ରମା ସହିତ ତା’ର ସାକ୍ଷାତ ହେଲା । ରମା ଯୁବତୀ । ଯୌବନର ଲାବଣ୍ୟଲହରୀରେ ସେ ଢଳଢଳ ହେଉଥିଲା । ସେ ବୋଝେ ପାନ ନେଇ ବଜାରରେ ଏକ କୋଣରେ ବିକି ବସେ । ଆପଣାର ଅନ୍ଧୁଣୀ ମାଆ ଛଡ଼ା ସଂସାରରେ ତା’ର ଆଉ କିଏ ନ ଥିଲେ । ଅନ୍ଧୁଣୀ ଜୀବନରେ ମଧ୍ୟ ସୁଖ ନ ଥିଲା । ସତର ବର୍ଷ ତଳେ ଗାଁରେ ଥିବାବେଳେ ସେ ବିଧବା ହୋଇଥିଲା । ସେତେବେଳକୁ ତିନି ବର୍ଷର ରମା ଛଡ଼ା ତାର ଆପଣାର ହୋଇ ଆଉ କିଏ ନ ଥିଲେ । ଗାଆଁ କୋଠ-ଭୋଗକୁ ଚାନ୍ଦା ଦେଇ ନ ପାରି ସେ ଗାଆଁ ମହାଜନଙ୍କର ଦ୍ରୋହୀ ହେଲା-। ଏହି ଗୁରୁତର ଦୋଷରୁ ସେ କୌଣସିମତେ ମୁକ୍ତି ପାଇପାରିଲା ନାହିଁ । ଗାଁଲୋକେ ତାକୁ ଦୋଚାରୁଣୀ ବୋଲି ଠିକ୍‌କଲେ । ତେଣୁ ଗାଆଁରେ ରହିବାକୁ ତାର ଆଉ ବାସ ରହିଲା ନାହିଁ । ସେ କିପରି ଦୁଃଖସ୍ରୋତରେ ଭାସି ଆସି ଯେ ରେଙ୍ଗୁନରେ ଲାଗିଲା, ତାହା ଛଡ଼ା ସେକଥା ଆଉ କିଏ ଜାଣନ୍ତି ନାହିଁ । ରମାକୁ ସେତେବଳକୁ ତିନି ବରଷ - ସେ ଅଜ୍ଞାନ ପିଲା ଥିଲା ।

 

ମାଆ ଅନ୍ଧୁଣୀ ହେବା ଦିନଠାରୁ ରମା ଉପରେ ମାଆକୁ ପୋଷିବା ଭାର ପଡ଼ିଲା । ମାଆ ହୋଟେଲରେ ବାସନ ମାଜି କିଛିକିଛି ପଇସା, କେଉଁଦିନ ବା ମୁଠେ ଅଧେ ଅଇଁଠା ଭାତ ପାଉଥିଲା । ସେତିକିରେ ଦୁହେଁ ଚଳୁଥିଲେ । ଦୁର୍ଭାଗ୍ୟକୁ ସେ ଅନ୍ଧୁଣୀ ହେଲା; ଯୁବତୀ ରମାକୁ ହୋଟେଲରେ କାମ କରିବାକୁ ଭଲ ଲାଗିଲା ନାହିଁ । ସେ ବୋଝେ ପାନ ନେଇ ପ୍ରତିଦିନ ବଜାରକୁ ଯାଏ । ବଜାରର ଏକ କୋଣରେ ତାର ସୁବର୍ଣ୍ଣବର୍ଣ୍ଣ ଦେହର ଶୋଭା ଖେଳାଇ ଦେଇ ବିକି ବସେ । ତାର କୃଷ୍ଣକୁଞ୍ଚିତ କେଶ, ସଲଜ୍ଜ ଆନତ ଚାହାଣୀ ଦର୍ଶକଙ୍କ ଆଖିରୁ ସେ ଯେତେ ଘୋଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ପାରେନାହିଁ ।

 

ଦିନେ ହଠାତ୍‌ ରମାକୁ ଦେଖି ବଂଶୀର ହୃଦୟ ଭିତର ଅପୂର୍ବ ଭାବରେ ଥରେ ଉଠିଲା । ଉଚ୍ଛୃଙ୍ଖଳ ଯୌବନର ମୋହ ବନ୍ଦ କରି ପାରିଲାନାହିଁ । ବଂଶୀର ଭାବ ଦେଖି ରମାର କର୍ଣ୍ଣମୂଳ ଆରକ୍ତ ହୋଇ ଉଠିଲା । ସେଦିନ ଗଲା, ତା’ ଆରଦିନ ଗଲା, ତା’ ଆରଦିନ ଗଲା, କିଏ କାହାକୁ ଚିହ୍ନିଲେ ନାହିଁ, କିଏ କାହାର ପରିଚୟ ମଧ୍ୟ ନେଲେ ନାହିଁ । ଅଥଚ ପ୍ରତିଦିନ ଦୁହେଁ ସେହି ଏକା ସ୍ଥାନରେ ବସି ବିକନ୍ତି । ଗ୍ରାହକ ବଂଶୀ ଦୋକାନୀରୁ ଜଳଖିଆ ଖାଇ, ରମା ଦୋକାନରୁ ପାନ ନେଇ ଚାଲିଯାଆନ୍ତି । କେତେ ଯେ ଲୋକ ଏପରି ଯାଆନ୍ତି ତହିଁର ଠିକଣା ନ ଥାଏ; ମାତ୍ର ସେ ଦୁହେଁ ସେହିପରି ବସିଥାନ୍ତି । କିଏ କାହାକୁ କଥା କହନ୍ତି ନାହିଁ, ଅଥଚ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟରୁ, ପ୍ରତି ଥରର ଚାହାଣୀ, ହସରୁ ଜଣୋପଡ଼େ ଯେ ସେ ଦୁହେଁ ଯେପରି ଘନିଷ୍ଠତା ବଢିଲା । ସକାଳୁ ବଜାରକୁ ଆସିଲା ବେଳେ ଦୁହିଁଙ୍କ ଭିତରୁ ଯେ ଆଗ ଆସେ ସେ ଅନ୍ୟଜଣକ ଜାଗାଟି ଓଳାଇଦେଇଥାଏ । ରମା ପାଇଁ ଜାଗା ନ ଥିଲେ ବଂଶୀ ନିଜ ଜାଗାଟି ତା’ ପାଇଁ ଛାଡ଼ିଦେଇ ଆଉ ଟିକିଏ କୁଣିଆ ହୋଇ ଦୂରକୁ ବସେ । କ୍ରମେ ଏଣିକି ଦୁହେଁ ମୁହାଁମୁହିଁ ହେଲେ କିଏ କାହାକୁ କଥା ନ କହି ହସିଦିଅନ୍ତି ।

 

ଦୁହେଁ କଥାବାର୍ତ୍ତା ହେଲେ । ଦୁହେଁ ଦୁହିଁଙ୍କର ପରିଚୟ ନେଲେ । ଟିକିଏ କ’ଣ ଦରକାର ହେଲେ ରମା ବଂଶୀର ପରାମର୍ଶ ନିଏ । ବଂଶୀର ଗ୍ରାହକ ଆସିଲେ ସେ ରମାର ପାନ ଦୋକାନ କଥା ତା’ ଆଗେ ପ୍ରଶଂସା କରି କହି ତା’ ପାଖକୁ ପଠାଇ ଦିଏ ।

 

ଏହିପରି ଚାରି ମାସ କଟିଗଲା । ପ୍ରତିଦିନ ସକାଳୁ ସେ ଦୁହେଁ ଆସନ୍ତି, ସନ୍ଧ୍ୟା ହେଲେ ଏକା ସମୟରେ ଦୋକାନ ଉଠାଇ ଘରକୁ ଫେରନ୍ତି । ଏ ମଧ୍ୟରେ ଦୁହେଁ ସ୍ୱର୍ଗର ଆନନ୍ଦ ଉପଭୋଗ କରୁଥାନ୍ତି । ଯେଉଁଦିନ ବଂଶୀର ମାଲିକ ତାକୁ ବିକିବାକୁ ନ ପଠାଇ ଅନ୍ୟ କାର୍ଯ୍ୟରେ ଲଗାଇଦିଏ, ସେ ଦିନଟା ତା’ ପିଣ୍ଡରେ ଜୀବନ ଥିଲା ପରି ତାକୁ ଲାଗେ ନାହିଁ । ତା’ ହୃଦୟ ଭିତରେ ହାହାକାର ପଡ଼ିଯାଏ । ତା’ ମୁହଁରୁ ଢଳଢଳ ହସ, ତା’ କଣ୍ଠର ମଧୁର ସ୍ୱର ସବୁ କେଉଁ ଅତୀତ ସ୍ମୃତିକୁ ଖୋଜୁ ଖୋଜୁ ଲୁଚି ପଡ଼େ । ସେ ସେଦିନକ ଗୁରୁତର ମର୍ମବେଦନା ଭୋଗକରେ । ତେଣେ ରମା ମଧ୍ୟ ବଂଶୀର ଆସିବା ବିଳମ୍ବ ହେଲେ ବାଟ ଚାହିଁଚାହିଁ ବସେ । ଗ୍ରାହକ ପ୍ରତି ତାର ଲକ୍ଷ୍ୟ ନ ଥାଏ । କିଏ ପାନ ମାଗିଲେ ତାକୁ ଗୁଆ ଦିଏ, ଚୂନ ମାଗିଲେ ଭଙ୍ଗାପାନ ଦେଇପକାଏ । ପଇସା ନ ରଖି ଗ୍ରାହକକୁ ବିଦାୟ ଦିଏ, ପଇସା ରଖି କାହାକୁ କିଛି ମଧ୍ୟ ଦିଏ ନାହିଁ । ଏଥିପାଇଁ ସେ ଗ୍ରାହଙ୍କଠାରୁ ଧମକ ସହେ । ସନ୍ଧ୍ୟାବେଳକୁ ସେ ଦୁଇ-ଚାରି ପଇସାର ଜିନିଷ ବିକି ଘରକୁ ଫେରେ । ସେ ରାତିକ ତାର ସେହିପରି ଚିନ୍ତାରେ କଟେ । ସେ ଅନାହାରରେ ବଂଶୀ କଥା ଭାବିଭାବି ଶୋଇପଡ଼େ-। ତା’ ଆରଦିନ ବଂଶୀକୁ ବଜାରରେ ଦେଖିଲେ ତାର ଶୁଷ୍କ ମୁଖରେ ପୁଣି ପଦ୍ମ ଫୁଟେ-। ବଂଶୀ ଏସବୁ କଥା ବୁଝିପାରେ । ରମାକୁ ଦେଖିଲେ ତା’ ମୁହଁର ରଙ୍ଗ ବଦଳି ଯାଇ ସୁନ୍ଦର ଦିଶେ, ସତେ ଯେପରି ଗୋଲାପ ଫୁଲ ! ରମାର ପଦେ କଥାରେ ସେ ସ୍ୱର୍ଗର ଆନନ୍ଦ ଅନୁଭବ କରେ; ତାର ରୋମ ଟାଙ୍କୁରିଉଠେ । କ୍ରମେ ଦୁହେଁ ଦୁହିଁଙ୍କୁ ଏପରି ଚିହ୍ନିଲେ ଯେ ଜଣେ ଜଣଙ୍କୁ ନ ଦେଖି ରହିପାରିଲେ ନାହିଁ ।

 

ଏ ମଧ୍ୟରେ ଚାରିମାସ କଟିଯାଇଛି । ବଂଶୀ ଆଉ ରମା ରେଙ୍ଗୁନ ସହର ଛାଡ଼ି ଗୋଟିଏ ଛୋଟିଆ ଗାଁରେ ଯାଇ ଅଛନ୍ତି । ଦୁହେଁ ଦୁହିଁଙ୍କୁ ପରସ୍ପର ବାନ୍ଧି ଦେଇଛନ୍ତି । ଜଣେ ହସିଲେ ଆଉ ଜଣେ ହସୁଛି, ଜଣେ କାନ୍ଦିଲେ ଆଉ ଜଣେ କାନ୍ଦୁଛି । ଜଣଙ୍କର ମନ କଥା ଆଉ ଜଣେ ନ ଜାଣି ପାରିଲେ ମନରେ ଅଭିମାନ ଆସୁଛି । ଦୁହେଁ ଜୀବନର ମଧୁମୟ ମୁହୂର୍ତ୍ତରେ - ଯେଉଁ ମୁହୂର୍ତ୍ତରେ ମାନବ ଜୀବନରେ ଆଶା, ଆନନ୍ଦ, ପ୍ରେମର ଗୋଲାପଫୁଲ ଫୁଟେ - ସେହି ମୁହୂର୍ତ୍ତରେ ପହଞ୍ଚିଛନ୍ତି-। ସେମାନଙ୍କ ପାଖରୁ ଜଗତର ଦୁଃଖ, ଯାତନା, ବିରହ, ଅନୁଶୋଚନା ଖୁବ୍‌ଦୂରରେ ଅଛି-। ଫୁଲ ଫୁଟିଲେ ସେମାନେ ଭାବୁଛନ୍ତି ଯେ ସେମାନଙ୍କ ଆନନ୍ଦରେ ଫୁଲ ଆନନ୍ଦ ଅନୁଭବ କରୁଛି । ସନ୍ଧ୍ୟାରେ ଆରକ୍ତ କିରଣରେ, ଆକାଶରେ ପବିତ୍ର ନୀଳିମାରେ, ପବନର ମୃଦୁମନ୍ଦ ସଂଚାଳନାରେ ସେମାନଙ୍କ ଜୀବନ ତାଳେ ତାଳେ ନାଚୁଛି, ସେ ଯେପରି ଦୁଇଟି ମାନବ-ଆତ୍ମା ପରସ୍ପର ବନ୍ଧାବନ୍ଧି ହୋଇ ଆନନ୍ଦ ଅମୃତାନନ୍ଦରେ ଭାସିଭାସି ସ୍ୱର୍ଗଦିଗକୁ ଚାଲିଛନ୍ତି - କେବଳ ତାଙ୍କ ପଛରେ ପଡ଼ିରହିଛି ପାପପୂର୍ଣ୍ଣା ଧରଣୀ ।

 

ଦିନେ ବଂଶୀ ରମାକୁ କହିଲା, ‘‘ଆଚ୍ଛା ରମା, ଘରଛଡ଼ା, ଲକ୍ଷ୍ମୀଛଡ଼ାର ଆଉ ଧର୍ମ ଅଛି ନା ? ପୁଣି, ଯେଉଁମାନେ ଲାଗିପଡ଼ି ରାଗ, ହିଂସାରେ ଯାହାକୁ ଘରଛଡ଼ା କରି ଦାଣ୍ଡର ଭିକାରି କରି ଦୂରକୁ ଠେଲି ଦିଅନ୍ତି, ସେହି ଦାଣ୍ଡର ଭିକାରି ସେମାନଙ୍କୁ ନ ମାନି, ସେମାନଙ୍କ କର୍ମ, ସମାଜକୁ ଅବଜ୍ଞା ଦେଖାଇ ଚଳିଲେ ତାର ବାକି ଦୋଷ ? ମୁଁ ଯାହାଙ୍କ ଘେନି ରେଙ୍ଗୁନର ହୋଟେଲରେ ଭାତ ବିକି ଚଳିଲି, ଆଉ ତୋର ବୋଉ ବାସନ ମାଜି ପେଟ ପୋଷିଲା, ସେମାନଙ୍କ ମନଗଢ଼ା ନୀତିକୁ ମାନି ନ ଚଳିଲେ କିଛି ଦୋଷ ହେବ ଭାବୁଛୁ ? ମୁଁ ଅନେକ ସମୟରେ ଭାବେ ମୋର ଯଦି ପକ୍ଷୀ ଥା’ନ୍ତା, ଏଠାରୁ ଉଡ଼ିଯାଇ ସେ ଦିଅଁ ଦେବତା, ସେ ଗାଆଁଗଣ୍ଡାରେ ନିଆଁ ଲଗାଇଦେଇ ଆସନ୍ତି । ସେହି ଧର୍ମହୀନ ନୀତିଶାସ୍ତ୍ରକୁ ନମାନି ଆମେ ଯଦି ଘରକରିବା, ତେବେ ଭଗବାନ କି କାରଣରୁ ଆମକୁ ଅଭିଶାପ ଦେବେ ?’’

 

ରମା ହଠାତ କିଛି ଉତ୍ତର ଦେଇପାରିଲା ନାହିଁ । ତା’ ମୁହଁର ରଙ୍ଗ ପାଉଁଶିଆ ପଡ଼ିଗଲା-। ତାହାର ସୁଗୋଲ ଦେହଭାର ବଂଶୀର ବାହୁ ଉପରେ ରଖି ବ୍ୟଥିତ କଣ୍ଠରେ ମୁହଁ ପୋତି କହିଲା, ‘‘ହଁ, ଅଭିଶାପ ଦେବେ । ତୁମେ ଯଦି ମୋତେ ଠକିବ- ତୁମେ ଆଗ ନିୟମ କର, ତୁମେ ଆଗ ନିୟମ କର, ତୁମେ ଯଦି-’’

 

ରମା ଆଉ ସହଜରେ କଥା କହିପାରିଲା ନାହିଁ, ବଂଶୀର ମୁହଁରୁ ମଧ୍ୟ କଥା ବାହାରିଲା ନାହିଁ ।

 

ରମା କହିଲା, ‘‘ନାହିଁ, ତମେ ଯଦି ନିୟମ ନ କରିବ, ତେବେ ମୋ ଘରକୁ ମୁଁ ଘରକୁ ମୁଁ ଫେରିଯିବି ।’’

 

ବଂଶୀ କହିଲା, ‘‘ମୁଁ ପ୍ରତିଜ୍ଞା କଲି, ତୁମ ଛଡ଼ା ଏସଂସାରରେ ମୋର ଆଉ କିଏ ନାହିଁ ।’’

 

ରମା ଏକ ଦୀର୍ଘନିଃଶ୍ୱାସ ପକାଇଲା । ତାର ଆଖି ଛଳଛଳ ହୋଇଗଲା । ଦୁଇ ଟୋପା ତପ୍ତ-ଲୋତକ ବଂଶୀର ବାହୁ ଉପରେ ପଡ଼ିଲା ।

 

ବଂଶୀ ପଚାରିଲା, ‘‘କାନ୍ଦୁଛ ଯେ !’’

 

ରମା କାନ୍ଦ କାନ୍ଦ ହୋଇ କହିଲା, ‘‘କାନ୍ଦିବି ନାହିଁ କାହିଁକି ? ମୋ ଛଡ଼ା ମୋ ମାଆର ସଂସାରରେ ଆଉ କିଏ ନାହାନ୍ତି । ମୁଁ କେତେ ପାପ କରି ତୁମ ସଙ୍ଗେ ଭୁଲି ଚାଲିଆସିଛି । ସେ ମୋ ବାଟ ଚାହିଁଚାହିଁ ଦରମରା ହୋଇ ପଡ଼ିଥିବ । ତୁମେ ଯାଅ ତୁମ ବାଟରେ, ମୋ ବାଟରେ ମୁଁ ଫେରିଯିବି । ସଜ ହେଲେ ପୁଣି କେବେ ଦେଖା । ମୁଁ ତ ପ୍ରତିଦିନ ଦେଖୁଛି, ମୋ ଭଳି କେତେ ଅନାଥିନୀ ରେଙ୍ଗୁନ ବଜାରରେ ବୁଲି ଭିକ ମାଗୁଛନ୍ତି । ମୁଁ କାହିଁକି ସେ ବଜାର ଛାଡ଼ି ତୁମ ପାଖକୁ ଆସିଲି ଜାଣେ ନାହିଁ । ବଂଶୀ, ବଂଶୀ, ତୁମେ ମୋତେ ଆଉ ଭୁଲାଅ ନାହିଁ - ମୋ ବିନା ମୋ ମାଆ ମରିଯିବ, ମୋତେ ତୁମେ ଆଉ କଥା କହ ନାହିଁ ।’’

 

ଏହା କହି ରମା କ୍ଷଣକାଳ ମୌନ ରହି ମୁହଁ ପୋତି ବସିଗଲା । କିଛିକ୍ଷଣ ପରେ ବଂଶୀର ତପ୍ତନିଃଶ୍ୱାସ ତାର ଗଣ୍ଡଦେଶରେ ବାଜିବାରୁ ସେ ହଠାତ୍ ଚମକି ଉଠିଲା । ଏତିକି କହିଲା, ‘‘ଥାଅ ବଂଶୀ, ପୁଣି କେବେ ଦେଖାହେବ ।’’

 

ତା’ ଆରଦିନ ବଂଶୀ ରେଙ୍ଗୁନ ବଜାରକୁ ଆସି ଦେଖିଲା, ରମା ତା’ ଥାନରେ ବସି ପାନ ବିକୁ ନାହିଁ । ସେ ତାର ଘର ଠିକଣା ଜାଣେ ନାହିଁ ଯେ ସେଠାକୁ ଯାଇ ସବୁ ହାଲଚାଲ ବୁଝିଆସିବ । ଗଳିଗଳି ହୋଇ କେତେ ଗଳି ବୁଲିଲା; ମାତ୍ର ତର ଭେଟ ପାଇଲା ନାହିଁ । ଭାବିଲା, ନିଶ୍ଚୟ ରମାକୁ ସେ ହରାଇଛି । ରମାକୁ ହରାଇ ସେ ନିଜକୁ ହରାଇ ବସିଲା । କୌଣସିଥିରେ ତାର ମନ ଲାଗିଲା ନାହିଁ । ଏହିପରି ନଅଦିନ କଟିଗଲା ।

 

ଦଶମ ଦିନ ବଂଶୀ ଦୁଆରେ କିଏ ଡ଼ାକିଲା । ବଂଶୀ ଦୁଆର ଫିଟାଇ ଦେଖେ ତ ରମା ହସିହସି ଉଭା । ତାର ସେହି ମୋହମଦିରାଲିପ୍ତ ହାସ ପାଖେ ବଂଶୀର ପୂର୍ବ ରାଗ ଅଭିମାନ ସବୁ ତରଳି ଗଲା । ସେ ତାକୁ ଦୁଇବାହୁ ଭିତରେ ଟାଣିନେଇଗଲା । ସେ ମୁହୂର୍ତ୍ତରେ ତା’ ଆଖିକୁ ସମସ୍ତ ଧରଣୀ ଏକ ଲାବଣ୍ୟମୟୀ ନାରୀ ମୂର୍ତ୍ତି ଆକାରରେ ଦେଖାଗଲା । ରମା କରସ୍ପର୍ଶରେ ତାର ହୃଦୟର ଅନ୍ତଃସ୍ଥଳ ଥରିଉଠିଲା । ରମା ମୋହବଶରେ ତାର ବାହୁତଳେ ଢଳିପଡ଼ିଲା ।

 

କିନ୍ତୁ ବଂଶୀ ଆଉ ବେଶୀଦିନ ରମା ପାଖରେ ରହିଲା ନାହିଁ । ଦିନେ ସେ ତା’ ସାଙ୍ଗ ଛାଡ଼ି ହଠାତ୍ ଅଦୃଶ୍ୟ ହେଲା । ରମା ବଂଶୀର ଆଉ କିଛି ଖବର ରଖିଲା ନାହିଁ । ବଂଶୀ ସଙ୍ଗେ ପଡ଼ି ଯେ ସେ ତାହା ଜୀବନକୁ ଅନ୍ୟମାନଙ୍କ ଆଗରେ - ଜଗତ୍‌ଆଗରେ କଳଙ୍କିତ କରିଛି, ଏହା ସେ ବୁଝିଲା । ଅନ୍ଧୁଣୀ ମାଆର ସ୍ନେହାଶ୍ରୟରେ ତାର ଦୁଃଖର ଦିନଗୁଡ଼ିକ କଟିବାକୁ ଲାଗିଲା । କେତେଦିନ ପରେ ତାର ଗୋଟିଏ ପୁଅ ହେଲା; କିନ୍ତୁ ଯେଉଁ ସନ୍ତାନ ପାଇଲେ ନାରୀ ମାଆ ବୋଲି ଗର୍ବରେ ଚାଲେ, ରମାର ସେପରି ଚାଲିବାର ସାହସ ନ ଥିଲା । ଦୁଃଖିନୀ ରମାର ଜୀବନ ଆହୁରି ଦୁଃଖମୟ ହୋଇ ଉଠିଲା ।

 

ଏ ମଧ୍ୟରେ କେତେ ବର୍ଷ କଟିଗଲା । କେତେ ବସନ୍ତ ଗଲା, କେତେ ଶରତ୍‌ଗଲା, ରେଙ୍ଗୁନ୍‌ର ଗଳିରେ କେତେ ପରିବର୍ତ୍ତନ ଘଟିଲା; କୁଡ଼ିଆଘର ଜାଗାରେ ଦୋ’ମହଲା ପକ୍କାଘର ମୁଣ୍ଡ ଟେକିଲା । ପକ୍କାଘର ତାର ବିପୁଳ ବିଭବ ସୌନ୍ଦର୍ଯ୍ୟ ସହ ଭୂଇଁ ସହିତ ମିଶିଗଲା । ଯାତ୍ରୀ ଆସିଲେ, ଯାତ୍ରୀ ଗଲେ; କିନ୍ତୁ ବଂଶୀ ଜୀବନରେ କିଛି ପରିବର୍ତ୍ତନ ଘଟିଲା ନାହିଁ ।

 

ବଂଶୀ ପରି କେତେ ଗୃହଛଡ଼ା ଲକ୍ଷ୍ମୀଛଡ଼ା ଯୁବକ ସଂସାରର ଦୁର୍ଗମ ପଥରେ ରେଙ୍ଗୁନର ଗଳିରେ ଗଳିରେ ବୁଲିଲେ, କେତେ ଗୃହହୀନ ଗୃହକଥା ଭାବି କାନ୍ଦିଲେ; ମାତ୍ର ବଂଶୀ ଆଖିରେ ଗତକଥାମାନ ଭାବି ଟୋପେ ଲୁହ ଦେଖାଗଲା ନାହିଁ । ଲକ୍ଷ ଳକ୍ଷ ମନୁଷ୍ୟଙ୍କ ବାସ ରେଙ୍ଗୁନରେ; କାହା ହୃଦୟରେ କେତେ ପ୍ରକାର ଆଶା ନିରାଶା ଖେଳିଥିବ ନିଶ୍ଚୟ; କିନ୍ତୁ ବଂଶୀ ହୃଦୟରେ ଆଶା ନାହିଁ କି ନିରାଶା ନାହିଁ- ସେ ଯେପରି ମନୁଷ୍ୟଆକାରଧାରୀ ଏକ ଜଡ଼ ପଦାର୍ଥ ।

 

ବଂଶୀ ରମାକୁ ଛାଡ଼ିଦେଇ ସହରର ଆଉ ଏକ ଜାଗାରେ ଗୋଟିଏ ହୋଟେଲରେ ଯାଇ ରହିଲା । ଆଗ ଅପେକ୍ଷା ସେ ବେଶୀ ଦରମା ପାଇଲା, ସୁବିଧା କାମ ପାଇଲା; କିନ୍ତୁ ତାର ନିରାନନ୍ଦ ହୃଦୟ କୌଣସିଥିରେ ପ୍ରସନ୍ନ ହେଲା ନାହିଁ । ସେ ଦୋକାନରେ ବସି ବିକିଲା । ତାର ଚିନ୍ତାପୂର୍ଣ୍ଣ ମୁଖମଣ୍ଡଳ ଦେଖି ତାକୁ ରୋଗୀ ବୋଲି ଲୋକେ ଜାଣିପାରିଲେ । ଘଣ୍ଟାର କଣ୍ଟା ବୁଲିଲା ପରି ତାର କାର୍ଯ୍ୟଗୁଡ଼ିକ ଏକାପରି ଚାଲିଲା । ସେ ପ୍ରତିଦିନ ଏକା ଜାଗାରେ ବସେ, ଏକା ଜିନିଷ ବିକେ, ଏକ ଗ୍ରାହକଙ୍କୁ ଦେଖେ, ଏକା କାର୍ଯ୍ୟ କରେ; ଶେଷରେ ଦରମା ପାଇଲା ଦିନ ସେ ଆନନ୍ଦ ଅନୁଭବ କରେ ନାହିଁ । ଟଙ୍କାକୁ ଧରି, ତାକୁ କ’ଣ କରିବ ବୋଲି ବହୁ ସମୟ ଭାବେ । ଶେଷରେ ତାର ଶତ ଆବର୍ଜ୍ଜନାପୂର୍ଣ୍ଣ ଭଙ୍ଗାଘରେ ଥିବା ଭଙ୍ଗା କିରାସିନ ପେଡ଼ା ଭିତରେ, ଚିରାକନା ଖଣ୍ଡିକରେ ବାନ୍ଧି ଥୋଇଦିଏ । ଏହିପରି ମାସେ ନୁହେଁ ଦୁଇମାସ ନୁହେ, ଦୀର୍ଘ ଦଶବର୍ଷ କାଳ ଚାଲିଲା । ଏହି ଦଶବର୍ଷ ମଧ୍ୟରେ ଟଙ୍କାରେ ତାର ଭଙ୍ଗା ବାକ୍‌ସଟି ପ୍ରାୟ ଭାରାକ୍ରାନ୍ତ ହୋଇପଡ଼ିଲା । ହଜାରେ ଟଙ୍କା ଜମା କରି ଯେ ସେ କ’ଣ କରିବ କିଛି ଠିକ୍ କରିପାରିଲା ନାହିଁ । ଟଙ୍କା କଥା ଭାବିଲେ ତା’ ମନରେ ଆଦୌ ଆନନ୍ଦ ଆସିଲା ନାହିଁ ।

 

ଭଗ୍ନ ଅବସନ୍ନ ହୃଦୟରେ ବଂଶୀ ବେଳେବେଳେ ବଜାରକୁ ବୁଲିଯାଏ । କେତେ ବିଳାସ ବାସନାରେ ଭାସିଭାସି ଲୋକେ ତାର ଦୁଇ ପାଖେ ସୁଅପରି ଚାଲିଥାନ୍ତି । ସେ ତାର ମଳିନ ବେଶଟି ଧରି ନିରାନନ୍ଦ ଭାବରେ ସବୁ ଦେଖୁଥାଏ । ଲୋକେ ଘୋଡ଼ାଗାଡ଼ି ମଟରଗାଡ଼ିରେ ଚଢ଼ି ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଚାଲିଥାନ୍ତି । ତାହା ଦେଖି ବଂଶୀ ମନରେ ହିଂସା ଆସେ ନାହିଁ, କିମ୍ବା ଦୁଃଖୀ ଲୋକଟିଏ ଗଳିରେ ନର୍ଦ୍ଦମା ଭିତରୁ ଅଇଁଠାପତ୍ର ଗୋଟାଇ ସେଥିରେ ଲାଗିଥିବା ପଚାସଢ଼ା ଜିନିଷ ଖାଇବାର ଦେଖିଲେ ତା’ ମନରେ ଦୁଃଖ ଆସେ ନାହିଁ । ସେ ମନୁଷ୍ୟର ସୁଖଦୁଃଖର ବାହରେ, କୌଣସି ଗୋଟିଏ ଅମୂଲ୍ୟ ଜିନିଷ ଖୋଜିଲା ପରି ଚାଲିଥାଏ ।

 

x x x

 

ମେଳା ଦେଖିବା ପାଇଁ ବଂଶୀ ଦିନେ ସହରର ଏକ ସ୍ଥାନକୁ ବୁଲିଯାଇଥିଲା । ମେଳାରେ କେତେ ଉତ୍ସବ, କେତେ ନାଟ ତାମସା - ଲୋକେ ସୁଅପରି ଯିବାଆସିବା କରୁଥାନ୍ତି । ବଂଶୀ ଯାଇ ଗୋଟିଏ ଉଚ୍ଚ ଜାଗାରେ ବସିଲା । ସଂସାରର ନାନା ଦୃଶ୍ୟଦର୍ଶନ-କ୍ଲାନ୍ତ ତାର ଆଖି ଦୁଇଟି କାହିଁରେ ଲାଗି ରହିଲା ନାହିଁ । ସେ ବସି ଦେଖୁ ଦେଖୁ ହଠାତ୍ ଚମକିପଡ଼ିଲା । ଦେଖିଲା, ଜଣେ ସ୍ତ୍ରୀଲୋକ ତାର ଶିଶୁକୁ କୋଳରେ ଧରି ଦଶବର୍ଷର ଏକ ବାଳକର ହାତ ଧରି ଧରି ଚାଲିଛି । ସେ ତାକୁ ଚିହ୍ନିଲା ପରି ହେଲା; ମାତ୍ର କେଜାଣି କାହିଁକି ମନରେ ସନ୍ଦେହ ଆସିଲା । ଆଖିକୁ ଅବା ଜାଲୁଜାଲୁଆ ଦିଶୁଥିବ ଭାବି ସେ ଦୁଇ ହାତରେ ଆଖି ମଳି ପୁଣି ଚାହିଁଲା, ପୁଣି ଦେଖିଲା, ସେହି ପରିଚିତ ଛବି । ସେ ହଉଛି ରମା, ଯାହାକୁ ଖୋଜି ଖୋଜି ବଂଶୀ ଦଶବର୍ଷ କାଳ କ୍ଲାନ୍ତ ହୋଇପଡ଼ିଛି ।

 

ବଂଶୀର ମନ ଆଉ ସ୍ଥିର ହେଲା ନାହିଁ । ସେ ରମା ଆଗରେ ଶହେ ହାତ ଦୂରରେ ଯାଇ ଠିଆହେଲା; ମାତ୍ର ରମା ତାକୁ ଚିହ୍ନିଲା ନାହିଁ । ବଂଶୀ ଫେରିଆସିଲା ।

 

ରମା ଖଣ୍ଡେଦୂର ଯାଇ ଏକ ଦୋକାନ ପାଖରେ ବସିଲା । ବାଳକଟି ତା’ ପାଖେ ଠିଆହେଲା ଏବଂ ଶିଶୁଟି ତଳେ ଖେଳିବାକୁ ଆରମ୍ଭ କଲା । ବଂଶୀ ପୁଣି ଚିହ୍ନାଦେବା ପାଇଁ ତା’ ଆଗକୁ ଗଲା । ତା’ ଗୋଡ଼ ପାଦେ ଆଗକୁ ଚଳିଲେ ଆଉ ପାଦେ ପଛକୁ ଯିବାକୁ ଇଚ୍ଛା ହେଉଥାଏ-। ସେ ଯେ ନିଶ୍ଚୟ ରମା, ସେଥିରେ ବଂଶୀ ମନରେ ଆଦୌ ସନ୍ଦେହ ରହିଲା ନାହିଁ । ଯୌବନ-ପ୍ରଭାତର ଶୁଭ୍ରକାନ୍ତି ରମାର ମୁହଁରେ ନ ଥିଲା ସତ; ମାତ୍ର ଚାହାଁଣି ଭିତରେ ଭୋଗବିଳାସର ସେହି ଜ୍ୱାଳାମୟୀ ଚିତ୍ର ସେହିପରି ଥିଲା । ସେହି ଚାହାଣିକି ବଂଶୀ ଜୀବନରୁ ପୋଛିପାରି ନ ଥିଲା । ଆଜି ତାହା ତା’ ପ୍ରାଣକୁ ଶତଗୁଣ ହୋଇ ବିନ୍ଧିଲା । ସେ କ୍ଲାନ୍ତ ଅବସନ୍ନ ହୋଇ ଖଣ୍ଡେ ଦୂରରେ ଠିଆହେଲା । ପାଖକୁ ଯିବାକୁ ସାହାସ ହେଲାନାହିଁ । ମନରେ ଭୟ ହେଲା, କାଳେ ବା ସେ ତାକୁ ଚିହ୍ନିଦେବ ଏବଂ ଗତ ଦୋଷ ପାଇଁ ତିରସ୍କାର କରିବ । ତା’ ବୁକୁ ଭିତର ଦୁମ୍‌ଦୁମ୍ ହୋଇ ଥରିଲା । ବାଳକଟି ଯେତେବେଳେ ତା’ କ୍ଷୁଦ୍ର ମସ୍ତକ ଉତ୍ତୋଳନ କରି ତା’ ଆଡ଼କୁ ଚାହିଁଲା, ତାର ତାଳୁରୁ ତଳିପାଯାଏଁ ବରଡ଼ାପତ୍ର ପରି କମ୍ପିଗଲା । ସେ ମନେମନେ ଭାବିଲା, ନିଶ୍ଚୟ ମୋ ପୁଅ ମୋତେ ଚିହ୍ନିବ ଏବଂ ତା’ ମାଆ ପ୍ରତି ମୁଁ ଯେ ଅନ୍ୟାୟ କରିଛି ତାହା କହି ଭର୍ତ୍ସନା କରିବ ।

 

ସେଦିନ ରାତିରେ ବଂଶୀର ଆଖିକୁ ନିଦ ଆସିଲା ନାହିଁ । ପିତୃ-ମାତୃ-ପରିବାର-ବନ୍ଧୁହୀନ ସଂସାରରେ ଯେ ତାର ଜଣେ ଅଛି - ତାର ଏକ ସନ୍ତାନ ଅଛି, ଏକଥା ତାକୁ ସ୍ୱପ୍ନ ପରି ଲାଗିଲା । ‘ମୋର ପୁଅ’ ଏକଥା ଭାବିଦେଲେ ତା’ ହୃଦୟ ଯେପରି ଆନନ୍ଦରେ ଥରିଉଠେ, ଦୁଃଖରେ ମଧ୍ୟ ସେହିପରି ଅବଶ ହୋଇପଡ଼େ ।

 

ସକାଳେ ତାର କୌଣସିଥିରେ ମନ ଲାଗିଲା ନାହିଁ । ସେ ସିଧା ସିଧା ଦଶବର୍ଷ ତଳେ ସହରର ଯେଉଁ ସ୍ଥାନରେ ବସି ମିଠେଇ ଖଜା ବିକୁଥିଲା, ସେଠାକୁ ଚାଲିଗଲା । ସେହି ସ୍ଥାନରେ ଠିଆହୋଇ ଚାରିଆଡ଼କୁ ଚାହିଁଲା । ତାର ରୋମ ଟଙ୍କୁରିଉଠିଲା । କାହିଁ କେଉଁଠାରେ ସେ ଉନ୍ମେଷ-ଯୌବନା ରମାକୁ ଦେଖିଲା ନାହିଁ । ସେ ନିରାଶରେ ସେଠାରେ ବସି ପଡ଼ିଲା । ଦଶବର୍ଷ ତଳର ସକଳ ସ୍ମୃତି ଗୋଟି ଗୋଟି ହୋଇ ତା’ ଆଖି ଆଗରେ ଭାସିଗଲା । ସେ ନିର୍ଜୀବ ପୁତ୍ତଳିକା ପରି କ୍ଷଣକାଳ ରହି ପୁଣି ଉଠିଲା । ତା’ ପରେ ଯେଉଁଠାରେ ସେ ରମାକୁ ଶେଷ ଥର ପାଇଁ ବିଦାୟ ଦେଇ ଯାଇଥିଲା, ସେଠାକୁ ଯାଇ ଦେଖିଲା । ତାର ଯୌବନ-ଦୃପ୍ତ ବାହୁଯୁଗଳ ତଳେ ରମା ଯେପରି ଆଶ୍ରୟ ଖୋଜିଥିଲା, ସେ ସେହିଠାରେ ସେହିପରି ରମାର ଲୀଳାପୁଲକ କମ୍ପିତ ବାହୁ ତଳେ ଆଶ୍ରୟ ନେବା ପାଇଁ ଅଧୀର ହେଲା । କ’ଣ କରିବ, କାହାକୁ କହିବ ? ହୃଦୟର ଅନ୍ତସ୍ତଳରେ ଯେଉଁ ବେଦନା ତାକୁ ଅବସନ୍ନ କରିପକାଉଛି, ତାହା କାହା ଆଗରେ ଫିଟାଇ କହିବ, କିଛି ଭାବିପାରିଲା ନାହିଁ । ତହିଁର ବା କିଏ ପ୍ରତିକାର କରିବ ? ତାର ଜୀବନରେ ସେ ଆଉ କିଛି ଆଶା ଦେଖିଲା ନାହିଁ । ଏକମାତ୍ର ସେହି ପୁତ୍ରମୁଖ ଦେଖି, ତା’ ମୁହଁରେ ସ୍ନେହର ଚୁମ୍ବନଟିଏ ଦେଇ ସେ ସଂସାରରୁ ବିଦାୟ ନିଅନ୍ତା, ଏଇ ତାର କାମନା; କିନ୍ତୁ ଏ କାମନା କିପରି ପୂରଣ ହେବ ?

 

ରମା ଯେଉଁ ଘରେ ତାର ବୁଢ଼ୀମାକୁ ଧରି ଥିଲା, ବଂଶୀ ସେ ଘରେ ଯାଇ ପହଞ୍ଚିଲା । ସେଠା ଲୋକେ କହିଲେ, ‘‘ଦଶବର୍ଷ ତଳେ ରମା ବୋଲି ସେଠାରେ ଗୋଟିଏ ପାନବିକାଳୀ ବାଳିକା ଥିଲା । ଜଣେ ଦୁଷ୍ଟ ଯୁବକ ତାକୁ କେତେ ଦିନ ଭୁଲାଇ ରଖି ଛାଡ଼ିଦେଇ ଚାଲିଗଲା । ତାର ଗୋଟିଏ ପୁଅ ହେଲା ପରେ ତାକୁ କିଏ ବିଭା ହେବାକୁ ରାଜିହେଲେ ନାହିଁ । ଏ ମଧ୍ୟରେ ତାର ମାଆ ମରିଗଲା । ରମା ପୁଅଟିକୁ ବୁକୁରେ ଧରି ଭିକମାଗି ଚଳୁଥିଲା । ତା’ ରୂପରେ ମୋହିତ ହୋଇ ଏବଂ ତାର ଦୁଃଖ ଦେଖି ଜଣେ ବର୍ମା ଚାଉଳବେପାରୀ ତାକୁ ବିଭାହେଲା । ସେ ଏବେ ମେନ୍-ଚଉକଠାରେ ସୁଖରେ ଅଛି ।’’

 

ଦଶବର୍ଷ ପରେ ବଂଶୀ ଯେଉଁଠାରେ ରମାକୁ ଦେଖିଥିଲା, ପ୍ରତିଦିନ ସନ୍ଧ୍ୟାବେଳେ ସେହିଠାକୁ ଯାଏ । ସେ ବାଟରେ ପ୍ରତିଦିନ ରମାକୁ ଦେଖେ । ରମା ବଜାର ସଉଦା କରି ପୁଅକୁ ସାଙ୍ଗରେ ଧରି ତା’ ଆଗରେ ଚାଲିଯାଏ; କିନ୍ତୁ ତାକୁ ଚିହ୍ନେ ନାହିଁ । ବଂଶୀ ହୃଦୟରେ ତାଣ୍ଡବନୃତ୍ୟ ଆରମ୍ଭ ହୁଏ । ତାର ଇଚ୍ଛା ହୁଏ, ସେ ଧାଇଁଯାଇ ପୁଅକୁ କୁଣ୍ଢାଇପକାଇ ତାକୁ ଆପଣାର ପରିଚୟଟି ଦେଇ ଅଦୃଶ୍ୟ ହୋଇଯିବ, ଆଉ କିଛି ତାର ଲୋଡ଼ା ନାହିଁ ।

 

ବଂଶୀ ଦିନକୁଦିନ ଦାରୁଣ ମନୋବେଦନା ଭୋଗ କଲା । ସଂସାରର ସକଳ ଦୃଶ୍ୟ ତାକୁ ନିତାନ୍ତ ରୁକ୍ଷ, ତିକ୍ତ ବୋଧ ହେଲା । ସହାୟହୀନ ଭାବରେ ଘରର ଏକ କୋଣରେ ପଡ଼ିରହି ତାର ମସ୍ତିଷ୍କ ବିକୃତ ହୋଇପଡ଼ିଲା । ପିତୃହୃଦୟର ମଧୁମୟ ରସରେ ଜୀବନ ତାର ବେଳେବେଳେ ଉଛୁଳିଉଠିଲା । ଶେଷରେ ଠିକ୍ କଲା ଯେ ରମାକୁ ନିଜର ପରିଚୟ ଦେଇ ଦେଖାକରିବ । ଏହା ବିଚାରି ସେ ବଜାରକୁ ଗଲା । ରମା ସଉଦା ଧରି ଘରକୁ ଫେରୁଥିଲା । ଶିଶୁ କନ୍ୟାଟି ପାଖରେ ଥିଲା ଏବଂ ବଡ଼ପୁଅ ପଛେପଛେ ଚାଲୁଥିଲା । ଠିକ୍ ତା’ ଘରର ଫାଟକ ଦୁଆରରେ ବଂଶୀ ତା’ ଆଗେ ଠିଆହୋଇ କହିଲା, ‘‘ତୁମେ ମୋତେ ଚିହ୍ନିପାରୁନାହିଁ ?’’

 

ରମା ଚକ୍ଷୁ ଦୁଇଟି ବିସ୍ଫାରିତ କରି ଦେଖିଲା । ହଠାତ୍ ତା’ ମନକୁ ମହାଆତଙ୍କ ଘୋଟିଆସିଲା । ସେ ଭୟରେ ଏକ ପାଟିକରି ବଡ଼ପୁଅକୁ ଡାହାଣ ହାତରେ ଘୋଷାରି ଘୋଷାରି ଘର ଭିତରକୁ ପଶିଗଲା । ସେ ଘରକୁ ଗଲା, ଦଶବର୍ଷ ତଳର ସକଳ ସ୍ମୃତି ତା’ ମାତୃ-ହୃଦୟରେ ନିରାନନ୍ଦ ଆଣିଦେଲା । ସେ ଏକାକୀ ବସି ବହୁତ କାନ୍ଦିଲା - ବଂଶୀ ଯେ ତାକୁ ଠକିଦେଇ ଚାଲିଗଲା, ଏକଥା ମନେପକାଇ ଭୟରେ ତା’ ହୃଦୟ ଥରିଉଠିଲା । ବିଚାରିଲା ସତେ ଅବା ତାର ବର୍ତ୍ତମାନର ସ୍ୱାମୀ ବଂଶୀ ପରି ତାକୁ ଦାଣ୍ଡର ଅନାଥିନୀ କରି ଛାଡ଼ି ଚାଲିଯିବ !

 

ଏଣେ ଦିନ ପରେ ଦିନ ବହିଗଲା । ବଂଶୀ ମନରେ ଅଶାନ୍ତି ଦିନକୁଦିନ ବଢ଼ିଲା । ତାର ହୃଦୟ ସନ୍ତାନ-ଦର୍ଶନ ଆଶାରେ ଅଧୀର ହେଲା । ସେ କେବଳ ସଂସାରରେ ତାର ଏକମାତ୍ର ସେହି ପୁଅଟିକୁ ଦେଖିବା ପାଇଁ ବ୍ୟାକୁଳ ହେଲା । ତା’ ପାଇଁ ନିଜର ପ୍ରାଣ ଦେବାକୁ ପ୍ରସ୍ତୁତ ହେଲା । କେବଳ ଥରେ ମାତ୍ର ତାକୁ କୋଳକୁ ଟାଣିନେଇ ତା’ପରେ ଚିରକାଳ ପାଇଁ ଆଖି ବୁଜିବାକୁ ସଜ ହୋଇଥିଲା । ସେଥିଲାଗି ସକଳ ବିପଦ, ସକଳ ଅଶାନ୍ତି, ସକଳ ଦୁଃଖ ଭୋଗିବାକୁ ସେ ସ୍ଥିର କଲା-। ତାର ଦଶବର୍ଷ ତଳର ମହାପାପକୁ ଜଗତ୍‌ର ସକଳ ବସ୍ତୁ ଯେପରି ଅଙ୍ଗୁଳି ନିର୍ଦ୍ଦେଶରେ ତାକୁ ଚିହ୍ନାଇଦେଲେ । ସେ ସେଥିପାଇଁ ପ୍ରାୟଶ୍ଚିତ୍ତ ଖୋଜି ବସିଲା - କିପରି ପ୍ରାଣ ଦେବ ।

 

ରମା ପାଖକୁ ସେ ଚିଠି ଲେଖିଲା, ଖଣ୍ଡେ ନୁହେ, ଦୁଇଖଣ୍ଡ ନୁହେଁ, କୋଡ଼ିଏ ଖଣ୍ଡ ଚିଠି ଲେଖିଲା । ଚାରିମାସ କଟିଗଲା, କୌଣସି ଚିଠିର ଉତ୍ତର ଆସିଲା ନାହିଁ । ତହୁଁ ସେ ଠିକ୍ କଲା, ତାର ସ୍ୱାମୀ ପାଖକୁ ସବୁକଥା ଲେଖି ପୁଅକୁ ଥରେ ମାତ୍ର ଦେଖିବାପାଇଁ ପ୍ରାର୍ଥନା କରିବ ଏବଂ ତାର ପାପକଥା ଶୁଣି ସେ ଯଦି ତାକୁ ଗୁଳି ମାରିବାକୁ ବାହାରିବ, ତେବେ ଦମ୍ଭରେ ତା’ ଆଗରେ ଠିଆ ହୋଇ ବୁକୁ ପତାଇ କହିବ, ‘‘ମୋର ପିତୃ ସ୍ନେହ ଏ ଗୁଳିକୁ ଭୟ କରେ ନାହିଁ ।’’

 

ବଂଶୀ ଯେଉଁ ଦିନ ରମାର ସ୍ୱାମୀ ପାଖକୁ ଖଣ୍ଡେ ଚିଠି ଲେଖିଲା, ତାର ଦୁଇଦିନ ପରେ ସେ ଉତ୍ତର ପାଇଲା - ‘‘କାଲି ସକାଳେ ମୁଁ ଘରେ ଥିବି, ଆପଣ ଆସିପାରନ୍ତି ।’’

 

ତୁମ୍ଭର-

 

ତା’ ଆରଦିନ ସକାଳେ ବଂଶୀ ରମାର ସ୍ୱାମୀ ସଙ୍ଗେ ଦେଖା କରିବାକୁ ବାହାରିଲା । କିପରି ଯିବ ଏବଂ କ’ଣ କହିବ ଭାବି ତା’ ହୃଦୟ ଥରି ଉଠିଲା । ବାଟରେ ତାର ଶ୍ୱାସରୁଦ୍ଧ ହେବାକୁ ବସିଲା । ବଡ଼ ସନ୍ତର୍ପଣରେ ସେ ଦୁଆରେ ଯାଇ ଦେଖିଲା, ଜଣେ ଦୀର୍ଘକାୟ ବଳିଷ୍ଠ ବ୍ୟକ୍ତି ଠିଆହୋଇଛି । ସେ ବ୍ୟକ୍ତି ବଂଶୀକୁ ଦେଖି, ପରିଚୟ ପଚାରି ଘର ଭିତରକୁ ଡାକିନେଇଗଲା । ଦୁହେଁ ବାହାର ଘରେ ବସିଲେ । ଦରକାର ପଡ଼ିଲେ ବଂଶୀ କିପରି କଥା କହିବ, ଏହାହିଁ ଭାବୁଥାଏ-

 

ବହୁତ କଷ୍ଟରେ ସେ ପ୍ରକୃତିସ୍ଥ ହୋଇ କହିଲା, ‘‘ତୁମେ ମୋତେ କ୍ଷମା ଦେବ । ତୁମେ ଜାଣ କି ନାହିଁ ମୁଁ ଜାଣେ ନାହିଁ -’’

 

ସେ ବ୍ୟକ୍ତି ବଂଶୀ କଥାରେ ବାଧା ଦେଇ କହିଲା, ‘‘ମୁଁ ସବୁ ଜାଣିଛି, ମୋ ସ୍ତ୍ରୀ ମୋତେ ସବୁକଥା କହିଛି ।’’ ଏହା କହି ସେ ମୁଖ ଗମ୍ଭୀର କରିଦେଲା । ବଂଶୀ ମନରେ ଭାବାନ୍ତର ଆସିଲା-। ବଂଶୀ କହିଲା, ‘‘ମୁଁ ଆଉ କିଛି ଦରକାର କରୁନାହିଁ । ମୁଁ ଦୁଃଖରେ ମରିବା ଉପରେ ବସିଛି । କେବଳ ଥରେ ମାତ୍ର ପିଲାଟିକୁ ଦେଖିବି, କୋଳରେ ଧରିବି ତାପରେ ଚାଲିଯିବି ।’’

 

ଗୃହସ୍ଥ ଡାକିଲା ‘‘ମନ୍‌ସୁ ।’’

 

ପ୍ରାୟ ପାଞ୍ଚମିନିଟ୍ ପରେ ଦଶବର୍ଷର ଗୋଟିଏ ଲୀଳାମୟ ବାଳକ ହସିହସି ଆସି ଘରେ ପହଞ୍ଚିଲା । ନବାଗତ ବଂଶୀକୁ ଦେଖି ସେ ଆଗ ଥକିଗଲା । ଗୃହସ୍ଥ କହିଲା, ‘‘ଯାଆ ବାପା, ସେ ଡାକୁଛନ୍ତି, ତାଙ୍କ ପାଖକୁ ଯା ।’’

 

ବଂଶୀର ହାତଯୋଡ଼ାକ ଜଡ଼ ହୋଇ ଆସୁଥିଲା । ସେ ବଡ଼ କଷ୍ଟାରେ ମନ୍‌ସୁର ସୁକୋମଳ ହାତ ଦୁଇଟି ଧରି କୋଳକୁ ଟାଣି ନେଇଗଲା । ତାର ଶିଥିଳ ଆଖି-ପଲକ ତଳୁ ଝରଝର ଲୁହ ବୋହିପଡୁଥିଲା । ସମୁଦାୟ ଅଙ୍ଗ ଥରିଉଠୁଥିଲା, ମନରେ ବିଦ୍ୟୁତ୍ ଖେଳୁଥିଲା । ମନ୍‌ସୁକୁ ସେ କୋଳଭିତରକୁ ଟାଣିନେଇ ଖୁବ୍ ନିବିଡ଼ ଭାବରେ ଜାକିପକାଇଲା । ତା’ ପରେ ତା’ ମୁଖମଣ୍ଡଳରେ ଘନଘନ ଭାବରେ ଏପରି ଚୁମ୍ବନ ଦେଲା ଯେ, ମନ୍‌ସୁ ଅସ୍ଥିର ହୋଇପଡ଼ିଲା । ବାଳକ କିଛି ବୁଝିପାରିଲା ନାହିଁ । ବଂଶୀର ଲୋତକଧାରରେ ତାର ସମସ୍ତ ଶରୀର ଓଦା ହୋଇଗଲା। ବଂଶୀ କହିଲା, ‘‘ବାବା, ବାବା...’’

 

ଏତିକି ମାତ୍ର କହି ସେ ମନ୍‌ସୁକୁ କୋଳରୁ ଛାଡ଼ିଦେଲା । ରମାର ପତିକୁ ସେ ପଦେ ମାତ୍ର କଥା କହିଲା ନାହିଁ । ଭୂତ ପରି ସେଠାରୁ ଉଠି ବାହାରି ଗଲା । ବାଳକ ମନ୍‌ସୁ ସଚକିତ ନେତ୍ରରେ ତା’ ଆଡ଼କୁ ଚାହିଁରହିଥିଲା ।

 

ଏ ଘଟନାର ଦଶଦିନ ପରେ ହଜାରେ ଟଙ୍କାର ଏକ ଇନ୍‌ସିଓର ଆସିଲା । ଇନ୍‌ସିଓର ଲଫାଫା ଭିତରେ ଚେକ୍ କାଗଜରେ ଏତିକି ଲେଖାଥିଲା - ‘ବାବା, ତୋର ମାଆକୁ କହିବୁ, ତୋର ଏ ସମ୍ପତ୍ତି ।

 

 

ତୋର ପିତା

 

ବଂଶୀ

***